ଯାଜପୁର : ଯାଜପୁର ଜିଲ୍ଲା ଡଙ୍କାରୀ ପାହାଡ଼ ତଳେ ୩୮ ଶହ କୋଟି ଟଙ୍କା ବ୍ୟୟରେ ତୈଳ ପ୍ରକଳ୍ପ ହେବ । ପେଟ୍ରୋଲିୟମ୍ ବିଭାଗ ଦାୟିତ୍ବରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମିତି ଗୋଟିଏ ବଡ ଘୋଷଣା କରିଥିଲେ । ଏହି ଘୋଷଣାକୁ ପାଞ୍ଚ ବର୍ଷ ଛୁଇଁଲାଣି । ସମାନ ସମୟରେ ଘୋଷଣା ହୋଇଥିବା ଆନ୍ଧ୍ରପ୍ରଦେଶର ମାଙ୍ଗାଲୋର ଓ କର୍ଣ୍ଣାଟକର ପୁଡୁଲର ପ୍ରକଳ୍ପ ଇତି ମଧ୍ୟରେ କାର୍ଯ୍ୟକ୍ଷମ ହୋଇସାରିଛି । ଗତ ବର୍ଷ ଧର୍ମେନ୍ଦ୍ରଙ୍କର ବିଭାଗ ବଦଳିଗଲା; ଅଥଚ ଓଡ଼ିଶାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଏକଥା ନୁହେଁ ଯେ ଏଥିପାଇଁ ଅନୁଦାନ ବ୍ୟବସ୍ଥା ନଥିଲା । ବରଂ ଅନୁସନ୍ଧାନରୁ ଯାହା ଜଣାପଡୁଛି, କଳାପଥର କେଳେଙ୍କାରୀ ପାଇଁ ଏହି ବୃହତ୍ ପ୍ରକଳ୍ପ ବଳି ପଡ଼ିଗଲା । କଳାପଥର ବ୍ୟବସାୟୀ ଏବଂ ଅସାଧୁ ଗୋଷ୍ଠୀ ଯୋଜନାବଦ୍ଧ ଭାବେ ବିରୋଧ କରି କେନ୍ଦ୍ର ସରକାରଙ୍କ ଏହି ଭୂତଳ ତୈଳ ସଂରକ୍ଷଣ ଭଣ୍ଡାରକୁ ଅଟକାଇ ଦେଇଛନ୍ତି । ରାଜ୍ୟ ସରକାର ବି ନିରବଦ୍ରଷ୍ଟା । ଉଭୟ କେନ୍ଦ୍ର-ରାଜ୍ୟ ମଧ୍ୟରେ ସର୍ବନିମ୍ନ ସମନ୍ବୟ ପରିଲକ୍ଷିତ ହେଉନାହିଁ ।
ଧର୍ମେନ୍ଦ୍ର ବିଭାଗ ବଦଳାଇବା ପରେ ଆଉ ତନାଘନା କରୁନାହାନ୍ତି କିମ୍ବା ବର୍ତମାନର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଏହି ପ୍ରକଳ୍ପକୁ ଯେତିକି ଗୁରୁତ୍ବ ଦେବା କଥା ତାହା ପରିଲକ୍ଷିତ ହେଉନାହିଁ । ପରିଣାମ ହେଲା, ଏହି ପ୍ରକଳ୍ପର ଭାଗ୍ୟ ସରକାରୀ ନଥି ଭିତରେ ବନ୍ଧା ପଡ଼ିଛି ଏବଂ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇଥିଲେ ଯେତିକି ଲୋକ ନିଯୁକ୍ତି ପାଇଥାନ୍ତେ, ସେ ବାଟ ବି ବନ୍ଦ । ଆହୁରି ସାଂଘାତିକ କଥା ହେଲା, ନିକଟରେ ଡଙ୍କାରୀ ପାହାଡ଼ରେ ୬ଟି ସୈରାତକୁ ଧର୍ମଶାଳା ତହସିଲ ପୁଣି ନିଲାମ କରିଛି । ପରୋକ୍ଷରେ କହିଲେ, ରାଜସ୍ବ ଆଳରେ ପ୍ରସ୍ତାବିତ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାରକୁ ଏକ ପ୍ରକାର ଆହୁତି ଦିଆଯାଇଛି ।

୨୦୧୭-୧୮ ଆର୍ଥିକବର୍ଷରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ ତଳେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପାଇଁ କେନ୍ଦ୍ର ସରକାରଙ୍କର ପେଟ୍ରୋଲିୟମ୍ ମନ୍ତ୍ରାଳୟ ଘୋଷଣା କରିଥିଲେ । ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭିନ୍ନ ଭିନ୍ନ ସମୟରେ ଅଞ୍ଚଳ ଗସ୍ତ କରି ପ୍ରକଳ୍ପ ପାଇଁ ସବୁଜ ସଙ୍କେତ ଦେଇଥିଲେ । ଧର୍ମଶାଳା ତହସିଲର ଡଙ୍କାରୀ ମୈାଜା ଖାତା ନମ୍ବର ୨୨୧, ପ୍ଲଟ୍ ନମ୍ବର ୬୦୦ ରେ ୪ ଶହ ଏକର ଜମିକୁ ନେଇ ପାହାଡ଼ ତଳେ ଏହି ପ୍ରକଳ୍ପର ପ୍ରସ୍ତାବ ରହିଛି । ୨୦୧୮ ଜୁନ୍ରେ ୩୮୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । ୧୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ୧୦ଟି କଳାପଥର ଖାଦାନ ଓ କ୍ରସର ବନ୍ଦ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ୨୦୧୮ ମାର୍ଚ୍ଚ ୨୦ରେ ନିର୍ଦ୍ଦେଶ ଦେଇଥିଲେ । ମାତ୍ର, ଧର୍ମଶାଳା ତହସିଲରେ ଲଘୁଖଣିଜ ସମ୍ପଦ କାରବାରରେ ହଜାର ହଜାର କୋଟି ଟଙ୍କା ମୁନାଫା କରୁଥିବା ପ୍ରଭାବଶାଳୀ ଏମିତି ଗୋଟିଚାଳନା କଲେ ଯେ ଏହି ପ୍ରକଳ୍ପ ସଂକ୍ରାନ୍ତ ଫାଇଲ ବିଶେଷ ଆଗେଇଲା ନାହିଁ । ଓଲଟା ଡଙ୍କାରୀ ପାହାଡ଼ରେ ଏକାଧିକ କଳାପଥର ଖାଦାନ ବିବାଦକୁ ନେଇ ହାଇକୋର୍ଟ, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ସୁପ୍ରିମକୋର୍ଟରେ ମାମଲା ହେଲା, ଯାହା ଏବେ ଜାରି ରହିଛି । ଏସବୁ ମାମଲା ଫଏସଲା ଦିଗରେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ କେହି ସ୍ବତନ୍ତ୍ର ଉଦ୍ୟମ କରୁନାହାନ୍ତି ।
ଉଲ୍ଲେଖଥାଉକି, ଡଙ୍କାରୀ ତୈଳଭଣ୍ଡାର କାର୍ଯ୍ୟକାରୀ ହୋଇଥିଲେ ସିଧାସଳଖ ୫ ଶହ ନିଯୁକ୍ତି ଓ ହଜାର ହଜାର ଲୋକ ଆତ୍ମନିଯୁକ୍ତି ସହିତ ଅଞ୍ଚଳର ବିକାଶ ତ୍ବରାନ୍ବିତ ହୋଇପାରିଥା’ନ୍ତା । ଏପରିକି ଖଣିଖାଦାନ ଦ୍ବାରା ପ୍ରଦୂଷଣରେ ଅଣନିଶ୍ବାସୀ ହେଉଥିବା ଅଞ୍ଚଳବାସୀ ବିକାଶରେ ସାମିଲ ହୋଇଥା’ନ୍ତେ ।
