ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ଆସିଲେନି ଡାକ୍ତର

କଟକ : ରାଜ୍ୟର ସରକାରୀ ମେଡିକାଲ କଲେଜରେ ଏବେ ଆସିଷ୍ଟାଣ୍ଟ୍ ପ୍ରଫେସରରୁ ଆରମ୍ଭ କରି ପ୍ରଫେସର ପର୍ଯ୍ୟନ୍ତ ବିଶେଷଜ୍ଞ ଡାକ୍ତର ଅଭାବ । ଏଭଳି ସ୍ଥିତିରେ ମେଡିକାଲ୍ ପାଠ୍ୟକ୍ରମର ସିଟ୍ କଟିବା ଆଶଙ୍କା ଥିବାରୁ ରାଜ୍ୟ ସରକାର ଠିକା ନିଯୁକ୍ତି କରି କାମ ଚଳାଇବା ପାଇଁ ଯେଉଁ ଯୋଜନା କରିଥିଲେ, ତାହା ବି ଫସରଫାଟି ଯାଇଛି । ଖାଲି ପଡ଼ିଥିବା ୫୦ ପ୍ରଫେସର ଓ ୧୪୪ ଆସୋସିଏଟ୍‌ ପ୍ରଫେସର ପଦବିରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆବଶ୍ୟକ ଥିବା ୫୦ ପ୍ରଫେସର ପଦବି ପାଇଁ ମାତ୍ର ୧୦ ଜଣ ଆବେଦନ କରିଥିବାବେଳେ ୧୪୪ ଆସୋସିଏଟ୍‌ ପ୍ରଫେସର ପଦବି ପାଇଁ ୧୦୪ ଜଣ ଆବେଦନ କରିଥିଲେ । ଯାଞ୍ଚ ପ୍ରକ୍ରିୟା ପରେ ୧୦୪ ରୁ ୭୧ ଜଣଙ୍କୁ ଆସୋସିଏଟ୍‌ ପ୍ରଫେସର ପଦବି ପାଇଁ ଓ ୧୦ ରୁ ୭ ଜଣଙ୍କୁ ପ୍ରଫେସର ପଦବି ପାଇଁ ସାକ୍ଷାତକାରକୁ ଡକାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ନ ଆସିବାରୁ ଶେଷରେ ମାତ୍ର ଜଣେ ପ୍ରଫେସର ଓ ୨୦ ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ ନିଯୁକ୍ତି ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ । ଏଭଳି ଘଟଣା ଏବେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି ।

ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ୧୦ଟି ସରକାରୀ ମେଡିକାଲ କଲେଜରେ ୫୦ ପ୍ରଫେସର ଓ ୧୪୪ ଆସୋସିଏଟ୍‌ ପ୍ରଫେସର ପଦ ଖାଲିପଡ଼ିଛି । ଏସ୍‌ସିବି ମେଡିକାଲ କଲେଜରେ ସର୍ବାଧିକ ୧୬ଟି ପ୍ରଫେସର, ୪୨ଟି ଆସୋସିଏଟ୍‌ ପ୍ରଫେସର ପଦ, ଏମ୍‌କେସିଜି, ବ୍ରହ୍ମପୁରରେ ୫ ପ୍ରଫେସର ଓ ୩୧ ଆସୋସିଏଟ୍‌ ପ୍ରଫେସର, ଏସ୍‌ଏନ୍‌ଏନ୍‌ ମେଡିକାଲ କଲେଜରେ ୪ ପ୍ରଫେସର, ୧୧ ଆସୋସିଏଟ୍‌ ପ୍ରଫେସର, ପିଆରଏମ୍‌ ମେଡିକାଲ କଲେଜରେ ୪ ପ୍ରଫେସର ଓ ୮ ଆସୋସିଏଟ୍‌ ପ୍ରଫେସର, ଏଫ୍‌ଏମ୍‌ ମେଡିକାଲ କଲେଜରେ ୮ ପ୍ରଫେସର, ୧୧ ଆସିଷ୍ଟାଣ୍ଟ ପ୍ରଫେସର, ବିବିଏମ୍‌ସିଏଚ୍‌ରେ ୪ ପ୍ରଫେସର, ୧୦ ଆସୋସିଏଟ୍‌ ପ୍ରଫେସର, ଏସ୍‌ଜେଏମ୍‌ସିଏଚ୍‌ରେ ୪ ପ୍ରଫେସର, ୧୦ ଆସୋସିଏଟ୍‌ ପ୍ରଫେସର, ସୁନ୍ଦରଗଡ଼ ଓ କେନ୍ଦୁଝର ମେଡିକାଲ କଲେଜରେ ଜଣେ ଲେଖାଏଁ ପ୍ରଫେସର ଓ ଯଥାକ୍ରମେ ୬ ଓ ୭ ଆସୋସିଏଟ୍‌ ପ୍ରଫେସର ପଦ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏପଟେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସରଙ୍କୁ ଏନ୍‌ଏମ୍‌ସି ଗାଇଡ୍‌ ଲାଇନ୍‌ ପୂରଣ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବାକୁ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରେ ୧ ଲକ୍ଷ ୨୫ ହଜାର ଟଙ୍କା ଦରମାରେ ପ୍ରଫେସରଙ୍କୁ ଓ ୧ ଲକ୍ଷ ଟଙ୍କା ଦରମାରେ ଆସୋସିଏଟ୍‌ ପ୍ରଫେସରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ ।

ଏହି କାରଣରୁ ହୁଏତ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯେଉଁ ୨୦ ଜଣଙ୍କୁ ଏବେ ଆସୋସିଏଟ୍ ପ୍ରଫେସର ପଦବିରେ ନିଯୁକ୍ତି ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ଏସ୍‌ସିବି ପାଇଁ ୪ ଜଣ, ଏମ୍‌କେସିଜି ପାଇଁ ୭ ଜଣ, ବଲାଙ୍ଗୀର ମେଡିକାଲ ‌କଲେଜ ପା‌ଇଁ ୩, ପୁରୀ ମେଡିକାଲ କଲେଜ ପାଇଁ ୨, ପିଜିଆଇଏମ୍‌ଇଆର ଏଣ୍ଡ କ୍ୟାପିଟାଲ ହସ୍ପିଟାଲ ପାଇଁ ୨ ଜଣ, ବାଲେଶ୍ବର ଓ ବାରିପଦା ମେଡିକା‌ଲ କଲେଜ ପାଇଁ ଜଣେ ଲେଖାଏ ଆସୋସିଏଟ୍‌ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି । ଜଣେ ଚୁକ୍ତିଭିତ୍ତିକ ପ୍ରଫେସରଙ୍କୁ ବାଲେଶ୍ବର ମେଡିକାଲ କଲେଜ ଇଏନ୍‌ଟି ବିଭାଗରେ ନିଯୁକ୍ତି ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଡାକ୍ତର ସଙ୍କଟ ଦେଖା ଦେଇଥିବା ବେଳେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଜରିଆରେ ଠିକ୍‌ ସମୟରେ ନିଯୁକ୍ତି, ପଦୋନ୍ନତି ଦିଗରେ ପଦକ୍ଷେପ ନିଆଯାଉ ନଥିବାରୁ ଯୋଗ୍ୟତା ଥିବା ଡାକ୍ତର ସ୍ଥାୟୀ ନିଯୁକ୍ତିରୁ ବଂଚିତ ରହୁଥିବା ଅଭିଯୋଗ ହେଉଛି ।

Leave a Reply

Your email address will not be published. Required fields are marked *