ବାଲେଶ୍ବର : କିଛିଦିନ ପୂର୍ବରୁ ବିଧାୟକଙ୍କ ଘରେ ପଶି ମୋବାଇଲ ଚୋରାଇଥିଲେ । ପ୍ରାତଃଭ୍ରମଣ ବେଳେ ଜଣେ ବରିଷ୍ଠ ନେତାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ବେକରୁ ସୁନାଚେନ ଝାମ୍ପିନେଲେ । ବିଚ୍ ରାସ୍ତାରେ ଅବସରପ୍ରାପ୍ତ ଅଫିସରଙ୍କୁ ମଧ୍ୟ ଏସ୍ପିଙ୍କ ନାଁ ନେଇ ଲୁଟିଲେ । ଖାଲି ଏତିକି ନୁହେଁ, ଗତକାଲି ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବାଲେଶ୍ବର ସହରର ୨ ମହିଳା ନେତ୍ରୀ । ଜଣେ ବାଲେଶ୍ବର ପୌରପାଳିକାର ୩୧ ନମ୍ବର ୱାର୍ଡ କାଉନସିଲର ତଥା ବିଜେଡି ନେତ୍ରୀ ରଂଜିତା ମହାପାତ୍ର ଓ ଅନ୍ୟଜଣେ ବିଜେପି ଜିଲ୍ଲା ସମ୍ପାଦିକା ମହୁଆ ପ୍ରଧାନ ।
ଗତକାଲି ସଂଧ୍ୟା ସମୟରେ କାଉନସିଲର ଶ୍ରୀମତୀ ମହାପାତ୍ର ଏବଂ ତାଙ୍କ ପରିବାର ସହରର ନୂଆବଜାରକୁ କିଛି ଜିନିଷପତ୍ର କିଣିବାକୁ ଆସିଥିଲେ । କିଣାକିଣି ସାରି ଏକ ଅଟୋରିକ୍ସାରେ ଫେରୁଥିବା ବେଳେ ଜିଲ୍ଲା ଆୟୁର୍ବେଦ ହସ୍ପିଟାଲ ନିକଟରେ ୧୫/୨୦ ଜଣ ଯୁବକ ଅଟୋରିକ୍ସା ଆଗକୁ ଆସି ସେମାନଙ୍କୁ ଅଟକାଇଥିଲେ । ସମସ୍ତଙ୍କ ହାତରେ ମାରଣାସ୍ତ୍ର ଥିଲା ଏବଂ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ସମସ୍ତଙ୍କୁ ଅଟୋରିକ୍ସାରୁ ବାହାରକୁ ବାହାରିବାକୁ ଧମକାଇଥିଲେ । ତେବେ ଶ୍ରୀମତୀ ମହାପାତ୍ର ତୁରନ୍ତ ଅଟୋରିକ୍ସାରୁ ଓହ୍ଲାଇ ଆସି ସେମାନଙ୍କ ମଧ୍ୟରୁ ଜଣେ ଯୁବକକୁ ଧରିବାକୁ ଚେଷ୍ଟା କରିବାରୁ ସେ ତାଙ୍କ ବେକରେ ପଡ଼ିଥିବା ସୁନାଚେନ ଛିଡ଼ାଇବାକୁ ଚେଷ୍ଟା କରିଥିଲା । ଶ୍ରୀମତୀ ମହାପାତ୍ର ନିଜ ଭିତରେ ସାହସ ଜୁଟାଇ କୌଶଳ କ୍ରମେ ତାକୁ କାବୁ କରି ନେଇଥିଲେ । ସହଦେବଖୁଣ୍ଟା ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ପୁଣି ସଂଧ୍ୟା ସମୟରେ ଲୁଟେରାଦଳ ଏପରି ଆତଙ୍କ ରଚୁଥିବା ବେଳେ ପୁଲିସ ଘଟଣା ସ୍ଥଳର ପହଞ୍ଚି ପାରିନଥିଲେ । ଆଖପାଖରେ ଥିବା ଲୋକ ଓ ଦୋକାନୀଙ୍କ ସହଯୋଗରେ ଶ୍ରୀମତୀ ମହାପାତ୍ର ସମ୍ପୃକ୍ତ ଯୁବକଙ୍କୁ କାବୁ କରିନେବାରୁ ଅନ୍ୟମାନେ ମାଡ଼ ଭୟରେ ସେଠାରୁ ଫେରାର ହୋଇ ଯାଇଥିଲେ ।
ଏହାପରେ ତାଙ୍କ ସ୍ବାମୀ ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ କର ଘଟଣାସ୍ଥଳରେ ପହଞ୍ଚି ଅନ୍ୟମାନଙ୍କ ସହଯୋଗରେ ଧରାପଡ଼ିଥିବା ସମ୍ପୃକ୍ତ ଯୁବକକୁ ସହଦେବଖୁଣ୍ଟା ଥାନାରେ ଜିମା ଦିଆଯାଇ ଘଟଣା ସମ୍ପର୍କରେ କହିଥିଲେ । ଏପରିକି ଶ୍ରୀ କର ଲୁଟେରା ଗ୍ୟାଙ୍ଗ୍ର ଅଧିକାଂଶ ଯୁବକ ଗଳାପୋଲ ଓ ଅରଡ଼ ବଜାର ଅଞ୍ଚଳର ବୋଲି ମଧ୍ୟ ପୁଲିସକୁ ଜଣାଇଥିଲେ । ହେଲେ ସବୁ ଜାଣିବା ଶୁଣିବା ପରେ ବି ଘଟଣାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ଉକ୍ତ ଯୁବକକୁ ଅଟକ ରଖିବା ଛଡ଼ା ଆଉ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି । ସେପଟେ ଗତକାଲି ସଂଧ୍ୟାରେ ବିଜେପି ଜିଲ୍ଲା ସମ୍ପାଦିକା ମହୁଆ ପ୍ରଧାନ ସହଦେବଖୁଣ୍ଟା ବସଷ୍ଟାଣ୍ଡ ସ୍ଥିତ ପାର୍ଟି ଅଫିସରୁ ଏକ ବୈଠକ ସାରି ମାକଲପୁର ସ୍ଥିତ ତାଙ୍କ ଘରକୁ ଫେରୁଥିଲେ । ମଠସାହି ନିକଟରେ ତାଙ୍କର ଫୋନ୍ ଆସିବାରୁ ସ୍କୁଟି ରଖି ବ୍ୟାଗ୍ରୁ ମୋବାଇଲ ବାହାର କରୁଥିଲେ । ଏତିକି ବେଳେ ୩/୪ ଜଣ ଯୁବକ ଦୁଇଟି ବାଇକ୍ରେ ଆଖି ପିଛୁଳାକେ ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ । ମହୁଆ ବଡ଼ ପାଟିରେ ଚିତ୍କାର କରି ଆଖପାଖର ଲୋକଙ୍କୁ ଡାକିଥିଲେ ହେଁ ଲୁଟେରାମାନେ ସେଠାରୁ ଫେରାର ହେବାରେ ସଫଳ ହୋଇଥିଲେ । ଏନେଇ ସେ ମଧ୍ୟ ଗତକାଲି ରାତିରେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିବା ବେଳେ ପୁଲିସ କେବଳ ତଦନ୍ତ ଭିତରେ ସୀମିତ ରହିଯାଇଥିବା ଜଣାଯାଇଛି ।
ତେବେ ବାଲେଶ୍ବର ସହରରେ କେବଳ କାଉନସିଲର ଶ୍ରୀମତୀ ମହାପାତ୍ର କିମ୍ବା ବିଜେପିର ଜିଲ୍ଲା ସମ୍ପାଦିକା ଶ୍ରୀମତ୍ରୀ ପ୍ରଧାନ ନୁହନ୍ତି ପ୍ରତିଦିନ କୌଣସି ନା କୌଣସି ଗଳି ଏବଂ ରାସ୍ତାରେ ଯୁବତୀ, ମହିଳା, ଛାତ୍ରୀ ଓ ବ୍ୟବସାୟୀମାନେ ଡକାୟତି ଓ ଲୁଟ୍ର ଶିକାର ହେଉଛନ୍ତି । ଏନେଇ ଥାନାରେ ପ୍ରତିଦିନ ଅଭିଯୋଗ ହେଉଥିଲେ ହେଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅନେକ ଲୋକ ଲୁଟ୍ର ଶିକାର ହୋଇ ମଧ୍ୟ ଥାନାକୁ ଅଭିଯୋଗ କରିବାକୁ ଯାଉନାହାନ୍ତି । ସହରରେ ପୁଲିସ୍ର ଏହି ନିଷ୍କ୍ରିୟତାକୁ ଠଉରେଇ ଲୁଟେରା ଗ୍ୟାଙ୍ଗ୍ ଏବେ ଚାରିଆଡ଼େ ମାତିଛନ୍ତି । ଆଉ ସେଥିରୁ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ବାଦ ପଡ଼ୁନାହାନ୍ତି । ଆଇନ୍ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ପାଇଁ ବାଲେଶ୍ବର ସହରର ଚାରିପଟେ ୪ଟି ମୁଖ୍ୟ ଥାନା, ୨୪ ଘଣ୍ଟିଆ ପିସିଆର ଭ୍ୟାନ୍ ସମେତ ସ୍ବତନ୍ତ୍ର ଭାବେ ଜଣେ କ୍ରାଇମ୍ ଡିଏସ୍ପି ଏବଂ ଏକାଧିକ ବରିଷ୍ଠ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ସରକାର ସେଥିପାଇଁ ସେମାନଙ୍କୁ ମୋଟାଅଙ୍କର ଦରମା ମଧ୍ୟ ଦେଉଛନ୍ତି । ତା’ ସତ୍ତ୍ବେ ଅପରାଧୀମାନେ ଦିନ ଦ୍ବିପ୍ରହରରେ ସହର ଛାତିରେ ପ୍ରତିଦିନ ଆତଙ୍କ ରଚି ଧରା ନପଡ଼ିବା ଜିଲ୍ଲା ପୁଲିସର ପାରିବାପଣିଆକୁ ପଦାରେ ପକାଇଛି । ତେଣୁ ପୁଲିସ ବେଳ ଥାଉ ଥାଉ ଯଦି ସତର୍କ ନହେବ ତା’ ହେଲ ଦିନ ଆସିବ ଥାନା ଭିତରେ ପଶି ଆତଙ୍କ ସୃଷ୍ଟି କରିବାକୁ ଅପରାଧୀ ଗୋଷ୍ଠୀ ଆଦୌ ପଛଘୁଞ୍ଚା ଦେବେ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
