ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପିଡିଏସ୍ କିରାସିନି କୋଟା ଯୋଗାଣରେ ବଡ଼ଧରଣର ଦୁର୍ନୀତି ହୋଇଛି । ଜିଲ୍ଲାର ଯେତିକି ସଂଖ୍ୟକ ଖାଉଟିଙ୍କ ପାଇଁ କିରାସିନି କୋଟା ଆସୁଛି, ମାସିକିଆ କୋଟାରୁ ୧୦ ହଜାର ଲିଟର୍ କିରାସିନି ବଣ୍ଟା ହେଉନି । ପ୍ରତି ମାସରେ ଏ ୧୦ ହଜାର ଲିଟର୍ କିରାସିନି କୁଆଡ଼େ ଯାଉଛି ? ପିଡିଏସ୍ ଧାର୍ଯ୍ୟ ଦର ହିସାବରେ ଏ ବାବଦ ମାସିକ ପ୍ରାୟ ୮ ଲକ୍ଷ ଟଙ୍କାର ହିସାବ ଯୋଗାଣ ବିଭାଗ ପାଖରେ ମଧ୍ୟ ନାହିଁ । କୌଣସି ବିଭାଗୀୟ ଅଧିକାରୀଙ୍କ ପାଖରେ ଏହାର ସ୍ପଷ୍ଟ ଉତ୍ତର ନାହିଁ । ଏପରିକି ଖୋଦ୍ ଜିଲ୍ଲା ଯୋଗାଣ ଅଧିକାରୀ ମଧ୍ୟ ଏ ନେଇ ଅଜ୍ଞ ବୋଲି ଆଜି ମାନିଛନ୍ତି । ମାସିକ କୋଟାରୁ ୧୦ ହଜାର ଲିଟର୍ କିରାସିନି କେଳେଙ୍କାରୀ ନେଇ ଗତ ମେ ୨୩ ତାରିଖରେ ଖବର ପ୍ରକାଶ ପାଇଥିଲା । ଏହା ପରେ ଯୋଗାଣ ବିଭାଗ ଚେଇଁ ଉଠିଛି । ଖାଉଟିଙ୍କ ପାଇଁ ଆସୁଥିବା କିରାସିନି କାହା ପାଖକୁ ଯାଉଛି, ତା’ର ତଦନ୍ତ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପି. ମୁଣ୍ଡା ସୂଚନା ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଏନ୍ଏଫ୍ଏସ୍ଏ(ନ୍ୟାସ୍ନାଲ ଫୁଡ୍ ସିକ୍ୟୁରିଟି ଆକ୍ଟ୍)ରେ ୭ ଲକ୍ଷ ୩୧ ହଜାର ୮୩ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଜିଲ୍ଲା ଯୋଗାଣ ବିଭାଗ ଅଧୀନରେ ରହିଥିବା ଖାଉଟି ଡିଲର୍ଙ୍କ ଜରିଆରେ ହିତାଧିକାରୀ ରାସନ୍ କାର୍ଡ଼ ଦ୍ବାରା କିରାସିନି ପାଉଛନ୍ତି । ୧ ଲିଟର୍ ହିସାବରେ ୩ ମାସର କିରାସିନି ୩ ଲିଟର୍ ଏକାଥରକେ ପ୍ରଦାନ କରାଯାଉଛି । ଗଞ୍ଜାମ ଜିଲ୍ଲାରେ ୭ ଲକ୍ଷ ୩୧ ହଜାର ୮୩ ପରିବାର ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ସେମାନଙ୍କ ପାଇଁ ୧ ଲିଟର୍ ହିସାବରେ ମାସିକ ୭ ଲକ୍ଷ ୩୧ ହଜାର ୮୩ ଲିଟର୍ କିରାସିନି ଆସିବା କଥା । କିନ୍ତୁ ସରକାରୀ କୋଟା ଅନୁସାରେ ଏହି ଖାଉଟିଙ୍କ ପାଇଁ ମାସିକ ୭ ଲକ୍ଷ ୪୧ ହଜାର ୩୧୮ ଲିଟର୍ କିରାସିନି ଆସୁଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଯେତିକି ଖାଉଟି କାର୍ଡ଼ ରହିଛି, ତା’ ଠାରୁ ପ୍ରାୟ ୧୦ ହଜାର ଲିଟର୍ ଅଧିକ କିରାସିନି ପ୍ରତି ମାସରେ ଆସୁଛି ।

ସରକାରୀ ନିୟମ ଅନୁସାରେ ପ୍ରତି ୩ ମାସରେ ଥରେ ଗୋଟିଏ ରାସନ୍ କାର୍ଡ଼ ପାଇଁ ୩.୧୩୯ ଲିଟର୍ କିରାସିନି ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି । ତଦନୁସାରେ କୋଟା ମଧ୍ୟ ଆସୁଛି । କିନ୍ତୁ ହିତାଧିକାରୀଙ୍କୁ ୩ ମାସରେ ୩ ଲିଟର୍ କିରାସିନି ଦିଆଯାଉଛି । ଏଣୁ ଅବଶିଷ୍ଟ କିରାସିନି କାହା ପାଖକୁ ଯାଉଛି, ତାହା ନିଶ୍ଚିତ ରୂପେ ତଦନ୍ତ ସାପେକ୍ଷ । ବର୍ତ୍ତମାନ ଖାଉଟି ପ୍ରତି ଲିଟର୍ ପିଛା ଡିଲର୍ ଠାରୁ ୮୦/୮୨ ଟଙ୍କା ଦେଇ କିରାସିନି କିଣୁଛନ୍ତି । ଏହି ହିସାବ ଅନୁସାରେ ମାସିକ ୧୦ ହଜାର ଲିଟର୍ କିରାସିନିର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ । ଏହି ୮ ଲକ୍ଷ ଟଙ୍କାର କିରାସିନି କୁଆଡ଼େ ଯାଉଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯୋଗାଣ ବିଭାଗ ହିସାବରେ ୩ ମାସର ଧାର୍ଯ୍ୟ କୋଟା ଅନୁସାରେ କିରାସିନି ଆସୁଛି । କିନ୍ତୁ ଖାଉଟିଙ୍କୁ ୩ ଲିଟର୍ ବଣ୍ଟନ ହେଉଛି । ଏହା ଯୋଗାଣ ବିଭାଗ ଅଧିକାରୀଙ୍କ ଜ୍ଞାତସାରରେ ହେଉଛି ନା ଏହା ପଛରେ ଅନ୍ୟ କ’ଣ ରହସ୍ୟ ରହିଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମୁଣ୍ଡା କହିଛନ୍ତି, ଖାଉଟିଙ୍କ ପାଇଁ ଧାର୍ଯ୍ୟ କୋଟା ଅନୁସାରେ କିରାସିନି ବଣ୍ଟନ କରାଯାଇଥାଏ । ଖାଉଟିଙ୍କୁ କମ୍ କିରାସିନି ଯୋଗାଣ ଅଭିଯୋଗର ତଦନ୍ତ କରାଯିବ । ଏ ଦିଗରେ ଏସିଏସ୍ଓମାନଙ୍କୁ ମଧ୍ୟ ଚିଠି କରାଯିବ ବୋଲି କହିଛନ୍ତି ।
