ଆରଡି : ଗୁରୁବାର ଆରଡ଼ି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡତୋଫାନ ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଏହା ଫଳରେ ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ଶୀତଳପୁର ଗାଁ ନିକଟରେ ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ ପାଖାପାଖି ୫୦ ଫୁଟ ଧସିଯାଇଛି । ନଦୀ କୂଳକୁ ଲାଗିକରି ଥିବା ୩ଟି ପରିବାରଙ୍କର ୬ ବଖରା ଘର ଅଣ୍ଟାଏ ଉଚ୍ଚରୁ ଦବିଯିବାରୁ ଭିଟାମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ପରିବାର ଲୋକ । ତାହା ସହ ବର୍ଷା ପବନ ଲାଗି ରହିଥିବାରୁ ନଦୀ ଜୁଆର ଢେଉରେ କୂଳ ଖାଉଛି । ଯାହା ଫଳରେ ଗାଁ ଲୋକ ନଦୀବନ୍ଧକୁ ଜଗି ରହିଛନ୍ତି । ପୂର୍ବରୁ ନଦୀବନ୍ଧରେ ବିରାଟକାୟ ଫାଟ ସୃଷ୍ଟି ହୋଇଥିବା ବଳେ ନଦୀ କୂଳରେ ଥିବା ଘରଗୁଡିକର ଭୂସ୍ଖଳନ ଘଟି ଦବିଯାଇଥିଲା । ଏହାର ପ୍ରଭାବରେ ନଦୀବନ୍ଧରେ ଥିବା ଶହଶହ ବର୍ଷର ନଡିଆ ଓ ତାଳଗଛ ନଦୀ ଆଡକୁ ଢଳି ରହିଥିଲା । ଏବେ ବର୍ଷା ପବନରେ ନଦୀବନ୍ଧ ସମ୍ପୂର୍ଣ୍ଣ ଭାବେ ଧସିଯିବାରୁ ଭୟରେ ନଦୀକୂଳିଆ ଘର ଓ ଆସବାପତ୍ର ଛାଡି ପଳାଇଥିବା ସୂଚନା ମିଳିଛି ।
