ଆରଡିପୀଠରେ ଦୋକାନ ଭାଙ୍ଗି ଲୁଟ୍‌; ଅଭିଯୋଗ ପରେ ବି ଚୁପ୍‌ ବସିଛି ପୁଲିସ

ଆରଡ଼ି : ଭଦ୍ରକ ଜିଲ୍ଲା ଆରଡ଼ିପୀଠ ସମେତ ଆଖପାଖ ଅଞ୍ଚଳରେ ଏଇ କିଛିଦିନ ହେବ ଲୁଟେରାଙ୍କ ରାଜ୍‌ ଦେଖାଦେଇଛି । ଏପରିକି ଗତ ୩ ଦିନ ମଧ୍ୟରେ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ନିକଟ ସେମେତ ମୁଖ୍ୟ ବଜାରରେ ୨ଟି ଦୋକାନ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଥିସହ ପ୍ରବେଶପଥ ନିକଟରେ ଏକ ଘରୁ ସୁନାଗହଣା ସହ ନଗଦ ଟଙ୍କା ଚୋରି ହୋଇଥିବା ଆରଡି ଫାଣ୍ଡି ସହ ଧୁଷୁରୀଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ସବୁ ଜାଣି ଚୁପ ବସିଥିବା କହିଛନ୍ତି ଅଭିଯୋଗକାରୀ ।

ଏପରିକି ଗତକାଲି ବିଳମ୍ବିତ ରାତିରେ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାର ମାତ୍ର ୫୦ ମିଟର ଦୂରରେ ଥିବା କେଦାରନାଥ ପାଢୀଙ୍କ ଗ୍ରୋସରୀ ଦୋକାନକୁ କେହି ଦୁର୍ବୃତ୍ତ ଗ୍ୟାସ କଟର ଦ୍ବାରା ଚାବି କାଟିବା ସହ ଦୋକାନ ଭାଙ୍ଗି ନଗଦ ୭୦ ହଜାର ଟଙ୍କା ଚୋରି ହୋଇଥିବା ଆରଡି ଫାଣ୍ଡିରେ ଅଭିଯୋଗ ହୋଇଛି । ହେଲେ ପୁଲିସ ଲୋକ ଦେଖାଣିଆ ଭଳି ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଲୋକଙ୍କୁ ପଚରାପଚରି କରି ଚୁପ ବସିଛି ।

ପୀଠରେ ଦିନକୁଦିନ ଚୋରି ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ ଚୁପ ବସିଥିବାରୁ ଏବେ ଆଖଣ୍ଡଳମଣିଙ୍କ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଗତ ଦିନରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରୁ ବାରମ୍ବାର ଚୋରି ହେବା ଫଳରେ ଉଭୟ ଧୁଷୁରୀଥାନା ଓ ଆରଡି ଫାଣ୍ଡି ପକ୍ଷରୁ ରାତ୍ରୀକାଳିନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା । ହେଲେ ଏବେ ଥାନା ଓ ଫାଣ୍ଡିରେ ଥିବା ବାବୁମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପୁଣି ପୀଠରେ ଲୁଟେରାଙ୍କ ଏପରି କାରନାମା ବୃଦ୍ଧି ପାଇଥିବା ସାଧାରଣରେ ଚର୍ଚ୍ଚା ହୋଇଛି ।

Leave a Reply

Your email address will not be published. Required fields are marked *