ଯାଜପୁର : ପାଣିପାଗ ବିଭାଗ ସୂଚନା ମୁତାବକ କେରଳରେ ମୌସୁମୀ ପହଞ୍ଚି ସାରିଥିବା ବେଳେ ଓଡ଼ିଶାରେ ଖୁବଶୀଘ୍ର ପହଞ୍ଚିବ । ମୌସୁମୀ ବର୍ଷାରେ ବନ୍ୟା ଆଶଙ୍କା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଗୁଆ ପଦକ୍ଷେପ ନିଆଯାଉଛି । ବନ୍ୟା ସମୟରେ ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହିତ ବିପନ୍ନଙ୍କୁ ଉଦ୍ଧାର, ସହାୟତା ଯୋଗାଇ ଦେବାକୁ ସ୍ବତନ୍ତ୍ର ରିଲିଫ କମିସନଙ୍କ ନିୟନ୍ତ୍ରଣରେ ଥିବା ଷ୍ଟେଟ୍ ପୋର୍ଟ ଇଂଜିନିୟରଙ୍କ ସହଯୋଗରେ ଜରୁରୀ ସେବା ବିଭାଗ ଦ୍ବାରା ବିଭିନ୍ନ ଜିଲ୍ଲାରେ ଅସ୍ଥାୟୀ ନାବିକ ଓ ଖଲାସୀ ନିଯୁକ୍ତ ହୋଇଛନ୍ତି । ଅଭିଜ୍ଞ ଓ ଦକ୍ଷ ନାବିକମାନଙ୍କୁ ୬ ମାସିଆ ଅସ୍ଥାୟୀ ନିଯୁକ୍ତି ପାଇଁ ପ୍ରତିବର୍ଷ ପରୀକ୍ଷା କରାଯାଉଥିବା ବେଳେ ଏଥିରେ ମଧ୍ୟ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ୯୦ ଭାଗ ଦୃଷ୍ଟିଦୋଷ ଥିବା ଓ ପହଁରା ଜାଣିନଥିବା ବ୍ୟକ୍ତିଙ୍କୁ ନାବିକ ନିଯୁକ୍ତି ମିଳିଛି । ଅଥଚ ୧୦ ବର୍ଷ ଧରି ନାବିକ ରୂପେ ଅଭିଜ୍ଞତା ଥିବା ତଥା ସମୁଦ୍ରରେ ମାଛ ମାରୁଥିବା ବ୍ୟକ୍ତିଙ୍କୁ ଉଦେଶ୍ୟମୂଳକ ଭାବେ ବାଦ୍ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ।
ବର୍ଷା ଋତୁରେ ଜୁନ୍ରୁ ନଭେମ୍ବର ୬ ମାସ ବନ୍ୟା ଆଶଙ୍କା ଦୃଷ୍ଟିରେ ରଖି ଅସ୍ଥାୟୀ ନାବିକ ଓ ଖଲାସୀ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ମାସିକ ୮୮୭୦ ଟଙ୍କା ଦରମା ଥିବା ବେଳେ ଏବେ ଏହା ୧୧ ହଜାର ୧ ଶହ ଟଙ୍କାକୁ ବୃଦ୍ଧି ପାଇଛି । ଯାଜପୁର ଜିଲ୍ଲାରେ ଏଥର ୩୫ ଜଣ ନାବିକ ଓ ୩୨ ଜଣ ଖଲାସୀଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ନିଯୁକ୍ତି ପାଇଆସୁଥିବା ଅଭିଜ୍ଞ ନାବିକ ଦୁର୍ଯ୍ୟୋଧନ ମହାନ୍ତି ୨ ବର୍ଷ ହେଲା ନିଯୁକ୍ତିରୁ ବାଦ ପଡ଼ିଛନ୍ତି । ଏଥର ମଧ୍ୟ ଶ୍ରୀ ମହାନ୍ତି ପରୀକ୍ଷାରେ ଭଲ କରିଥିଲେ ବି ଉଦେଶ୍ୟମୂଳକ ଭାବେ ତାଙ୍କୁ ବାଦ୍ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଅଥଚ କୋରେଇର ୨ ଜଣଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ସେମାନେ ନୌକା ଚଳାଇବା ଜାଣିନଥିବା ବେଳେ ଜଣେ ୯୦ ଭାଗ ଦୃଷ୍ଟିହୀନ । ବିନା ଚଷମାରେ ଦେଖିବା ଅସମ୍ଭବ ବୋଲି ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ନୌକା ଦୁର୍ଘଟଣା ଘଟି ବହୁ ଜୀବନ ନଷ୍ଟ ହେଉଥିବା ବେଳେ ଏଭଳି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଛି ।
ଏ ସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଉମେଶ ଲେଙ୍କାକୁ ପଚାରିବାରେ ସେ କହିଛନ୍ତି ଅବେଦନକାରୀଙ୍କ ପ୍ରମାଣପତ୍ର ତନଖି ପରେ ଅଭିଜ୍ଞ ଅଧିକାରୀ ଫାୟାର ଅଫିସର, ଡାକ୍ତରୀ ଦଳ, ଷ୍ଟେଟ୍ ପୋର୍ଟ ଇଂଜିନିୟରଙ୍କ ପ୍ରତିନିଧିଙ୍କ ଦ୍ବାରା ପରୀକ୍ଷାନିରୀକ୍ଷା ଓ ନୌଚାଳନା ପରୀକ୍ଷା କରାଯାଉଛି । ସେଥିରେ ସେ କିମ୍ବା ତାଙ୍କ କାର୍ଯ୍ୟାଳୟର କୌଣସି କର୍ମଚାରୀ ସାମିଲ ହେଉନାହାନ୍ତି । ୪୫ ଜଣ ଆବେଦନ କରିଥିବା ବେଳେ ୩୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଅଭିଯୋଗର ସତ୍ୟାସତ୍ୟ ନାହିଁ ବୋଲି ଶ୍ରୀ ଲେଙ୍କା କହିଛନ୍ତି ।
