ରାଜନୀତିର ପଶାପାଲିରେ ଏମ୍‌କେସିଜି ମେଡିକାଲ କଲେଜ

ବ୍ରହ୍ମପୁର : ଦିନ ଥିଲା ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଏମ୍‌କେସିଜି ମେଡିକାଲ କଲେଜ ରାଜ୍ୟରେ ସୁନାମ ଅର୍ଜନ କରିଥିଲା । ଏହି ବଡ଼ ଡାକ୍ତରଖାନା ଉପରେ କେବଳ ଦକ୍ଷିଣ ଓଡ଼ିଶା ନୁହେଁ ପଡୋଶୀ ଆନ୍ଧ୍ରପ୍ରଦେଶର ରୋଗୀ ନିର୍ଭର କରୁଥିଲେ । ଏବେ କିନ୍ତୁ ପରିସ୍ଥିତି ଓଲଟା । ବ୍ରହ୍ମପୁରରେ ଏତେ ବଡ଼ ମେଡିକାଲ କଲେଜ ଥାଇ ମଧ୍ୟ ରୋଗୀମାନେ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇଁ ବିଶାଖାପାଟଣା, କଟକ କିମ୍ବା ଭୁବନେଶ୍ବର ଉପରେ ନିର୍ଭର କରୁଛନ୍ତି । ଏହା ନିଶ୍ଚିତ ରୂପେ ଚିନ୍ତାଜନକ ବିଷୟ । ଗତ କିଛି ମାସରେ ଏହି ମେଡିକାଲ୍ କଲେଜରୁ ବହୁ ସଂଖ୍ୟାକ ଅଭିଜ୍ଞ ଡାକ୍ତରଙ୍କ ଅନ୍ୟତ୍ର ବଦଳି ହେଉଥିବା ବେଳେ ସେମାନଙ୍କ ସ୍ଥାନ ପୂରଣ ପାଇଁ ନୂଆ ଡାକ୍ତର ନିଯୁକ୍ତି ନହେବାରୁ ଜନଅସନ୍ତୋଷ ବୃଦ୍ଧି ପାଇଛି । ସହରର ସାମାଜିକ ଅନୁଷ୍ଠାନ ଏବଂ ରାଜନୈତିକ ଦଳ ଏହାକୁ ନେଇ ସ୍ବର ଉତ୍ତୋଳନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଛି । ଶାସକ ଏବଂ ବିରୋଧୀ ରା‌ଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ଅଧିକ ତେଜିଆନ୍‌ କରିଛି । ଏହି ପ୍ରସଙ୍ଗକୁ ନେଇ ରାଜନୀତି ପ୍ରବଳ ହେଉଥିବା ବେଳେ ପ୍ରକୃତ ସମସ୍ୟା ଯେମିତିକୁ ସେମିତି ରହିଯାଇଛି । ଶତାଧିକ ଡାକ୍ତର ପଦବି ଖାଲି ପଡ଼ିଥିବା ନେଇ ଶାସକ ବିଜେଡି ନିଜେ ସ୍ବୀକାର କରୁଥିଲେ ମଧ୍ୟ ଏହି ମେଡିକାଲ୍‌ କଲେଜର ଭିତ୍ତିଭୂମି ପୂର୍ବାପେକ୍ଷା ସୁଦୃଢ଼ ଥିବା ଏବଂ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଉଥିବା ନେଇ ଯୁକ୍ତି ବାଢ଼ିଛି । ଯାହାକି ବିରୋଧାଭାଷ ସୃଷ୍ଟି କରୁଛି । ଶିକ୍ଷକ ଅଭାବରେ ଶିକ୍ଷାଦାନ ଯେଭଳି, ଡାକ୍ତର ଅଭାବରେ ଚିକିତ୍ସା ସେଭଳି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଭଳିକି ଏମ୍‌କେସିଜି ମେଡିକାଲ୍ କଲେଜକୁ ଦୂରଦୂରାନ୍ତରୁ ‌ରୋଗୀକୁ ନେଇ ଆସିଥିବା ସମ୍ପର୍କୀୟମାନେ ଉତ୍ତମ ଚିକିତ୍ସା ନପାଇବା ଯୋଗୁଁ ହତାସ ହୋଇ ଏଇଠି କିଛି ହେବନି, କୁଆଡ଼େ ନେଇଯିବା ଚାଲ ବୋଲି କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି ।

ଅନ୍ୟପକ୍ଷେ ଏମ୍‌କେସିଜି ମେଡିକାଲ କଲେଜ କେବଳ ସ୍ବାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ ନୁହେଁ, ଏଠାରେ ଡାକ୍ତରୀ ଶିକ୍ଷାଦାନ କରାଯାଇ ନୂଆ ପିଢ଼ିଙ୍କୁ ପ୍ରସ୍ତୁତ କରାଯାଉଛି । ଏହି ମେଡିକାଲ୍‌ କଲେଜ୍‌ର ଡାକ୍ତର ଅଭାବ କେବଳ ସ୍ବାସ୍ଥ୍ୟ ସେବା ଉପରେ ପ୍ରଭାବ ପକାଉନାହିଁ ବରଂ ଏଠାରେ ଅଧ୍ୟୟନ କରୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ମଧ୍ୟ ପ୍ରଭାବିତ କରୁଛି । ବିଭିନ୍ନ ବିଭାଗର ବରିଷ୍ଠ ଓ ଅଭିଜ୍ଞ ପ୍ରାଧ୍ୟାପକ, ସହ ପ୍ରାଧ୍ୟାପକଙ୍କ ବଦଳି ପରେ ସେହି ପଦଗୁଡିକ ଖାଲି ପଡ଼ିବା ଦ୍ବାରା ଉକ୍ତ ବିଭାଗର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ନୂଆ ମେଡିକାଲ କଲେଜ ଖୋଲିବା ପାଇଁ ଆବଶ୍ୟକ ଏଭଳି ଅଭିଜ୍ଞ ଡାକ୍ତରଙ୍କୁ ବଦଳି କରି ନେବାକୁ ରାଜ୍ୟ ସରକାର ବ୍ୟଗ୍ରତା ପ୍ରକାଶ କରୁଥିବା ବେଳେ ଏହି ମେଡିକାଲ କଲେଜରେ ଅଧ୍ୟୟନରତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ।

ଏହାକୁ ନେଇ ଏହି ମେଡିକାଲ୍ କଲେଜର ବିଦ୍ୟାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏହାକୁ ଅଣଦେଖା କଲେ ଆଗାମୀ ଦିନରେ ବଡ଼ ସମସ୍ୟା ମୁଣ୍ଡ ଟେକିବ। ଏପରକି ଆଗାମୀ ଦିନରେ ଏହି ମେଡିକାଲ କଲେଜରେ ନା‌ମଲେଖା ପ୍ରଭାବିତ ହେବ । ତେଣୁ କେବଳ ଆରୋପ ପ୍ରତ୍ୟାରୋପର ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ଏହି ମେଡିକାଲ କଲେଜର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ପ୍ରୟାସ ହେବା ଉଚିତ୍ ବୋଲି ବୁଦ୍ଧିଜୀବୀ ତଥା ସାଧାରଣରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *