କୋରାପୁଟ : କୋଭିଡ-୧୯ ଯୋଗୁଁ ଦୁଇ ବର୍ଷ ଧରି ପ୍ରାଥମିକ ଶିକ୍ଷାରେ ନାହିଁ ନ ଥିବା କ୍ଷତି ହୋଇଛି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ କ୍ଷତି ହୋଇଥିବା ପାଠର ଭରଣା କରିବାକୁ ହୋଇଥିଲା ଯୋଜନା । ସ୍କୁଲ ଖୋଲିବା ପରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ରହିଥିବା ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ବିକାଶ ସହ ପୂର୍ବ ଦୁଇ ଶ୍ରେଣୀର ଯଥାକ୍ରମେ ୫୦ ଓ ୬୦ ପ୍ରତିଶତ ପୁନଃଶିକ୍ଷାଦାନ କରାଯିବାକୁ ଯୋଜନା ହୋଇଥିଲା । ଏନେଇ ରାଜ୍ୟ ସରକାର ଶିକ୍ଷାବର୍ଷ ଆରମ୍ଭରେ ଲାଗୁ କରିଥିଲେ ଲଣ୍ଣିଂ ରିକଭରି ପ୍ଲାନ(ଏଲଆରପି) । ଶିକ୍ଷା ବିଭାଗରୁ ପ୍ରତି ଜିଲ୍ଲା ଶିକ୍ଷାଧିକାରୀ ଓ ଡିପିସିଙ୍କୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଥିଲା ।
ଏହି ଯୋଜନା ଅନୁସାରେ ଛାତ୍ରଛାତ୍ରୀଙ୍କର ପୂର୍ବ ଶ୍ରେଣୀର ୬୦ ଓ ତା ପୂର୍ବ ଶ୍ରେଣୀର ୫୦ ପ୍ରତିଶତ ପାଠ୍ୟକ୍ରମ ଏହି ଯୋଜନା ଅନୁସାରେ ଶେଷ କରାଯିବ । ଏଥିପାଇଁ ପ୍ରତି ମାର୍ଗଦର୍ଶିକା ଓ ପୁସ୍ତକ ପ୍ରସ୍ତୁତି କରାଯିବ ବୋଲି ଘୋଷଣା ହୋଇଥିଲା । ହେଲେ ମାର୍ଚ୍ଚ, ଏପ୍ରିଲ, ମେ’ ମାସ ଶେଷ ହୋଇଥିବାବେଳେ ଏବେଯାଏ ଏ ସମ୍ବନ୍ଧରେ ପାଠ୍ୟ ପୁସ୍ତକ ପହଞ୍ଚି ପାରିଲାନାହିଁ । ଫଳରେ କୋରାପୁଟ ଜଲ୍ଲାର ଶିକ୍ଷକମାନେ ଉତ୍ଥାନ(ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଚାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ୨୦୧୮ ରେ ପ୍ରସ୍ତୁତ ପୁସ୍ତକ) ଓ ଉଜ୍ଜଳ(୧ମ ରୁ ୫ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ୨୦୧୮ ରେ ପ୍ରସ୍ତୁତ ପୁସ୍ତକ) ପୁସ୍ତିକାରେ ଏହି ଲଣ୍ଣିଂ ରିକଭରି ପ୍ଲାନ ଶେଷ କରିଛନ୍ତି । ଏପରିକି ଜିଲ୍ଲାରେ ରହିଥିବା ଶିକ୍ଷକମାନେ ଏହି ବହିରୁ ପାଠପଢାଇ ପରୀକ୍ଷା କରାଇ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ତେବେ ତିନି ବର୍ଷ ତଳର ପୁସ୍ତକ କ’ଣ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଖରେ ଥିଲା କି ? ଯେଉଁଠି ମାର୍ଗଦିର୍ଶିକା ଓ ପୁସ୍ତକ ଆସିନାହିଁ ସେଠାରେ କିପରି ଓ କେଉଁ ପରିସ୍ଥିତିରେ ଏହି ମହତ୍ବକାଂକ୍ଷୀ ଯୋଜନା ସଫଳ ହେଲା ।
କିପରି ଓ କେଉଁ ପରିସ୍ଥିତିରେ ଉତ୍ଥାନ ଓ ଉଜ୍ଜଳ ଯୋଜନାର ବହିକୁ ଏହି ଲଣ୍ଣିଂ ରିକଭରି ପ୍ଲାନ(ଏଲଆରପି) ପାଇଁ ଲାଗୁ କଲେ । ଏଥିରେ କୋରାପୁଟ ଜିଲ୍ଲାରେ ରହିଥିବା ୭୭୯୯ ସ୍କୁଲର ୫୯ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ହେଲା କି ବୋଲି ପ୍ରଶ୍ନ ଉଠିଛି । ତେବେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ନିକଟରେ ଅନୁଷ୍ଠିତ ୫୧ ତମ ଜିଲ୍ଲାପରିଷଦ ବୈଠକରେ ପ୍ରଦତ ତଥ୍ୟ ଅନୁସାରେ ଏବେ ବି ୧୦୦ ରୁ ୪୭ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଗଣିତ କରିପାରନ୍ତି ନାହିଁ । ସେହି ଶ୍ରେଣୀରେ ୫୧ ପ୍ରତିଶତ ଛାତ୍ରଛାତ୍ରୀ ଅକ୍ଷର ଚିହ୍ନିପାରନ୍ତି ନାହିଁ । କୋରାପୁଟ ଜିଲ୍ଲାରେ ୫ ଶ୍ରେଣୀରେ ପଢୁଥିବା ୪୭ ପ୍ରତିଶତ ଗଣିତ କରିପାରୁ ନ ଥିବାବେଳେ ୫୪ ପ୍ରତିଶତ ସାହିତ୍ୟରେ ଅକୃତକାର୍ଯ୍ୟ ହୁଅନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ଅଷ୍ଟମ ଶ୍ରେଣୀରେ ୪୦ ପ୍ରତିଶତ ଗଣିତ କରିପାରୁ ନ ଥିବାବେଳେ ୪୫ ପ୍ରତିଶତ ସାହିତ୍ୟରେ ଫେଲ ହୁଅନ୍ତି ବୋଲି ତଥ୍ୟରେ ଉହ୍ଲେଖ ରହିଛି ।
ଏନେଇ ଶିକ୍ଷକ କୁନ୍ଦନ ମିଶ୍ର କହିଛନ୍ତି ଯେ ଏଲଆରପି ଖାଲି ଘୋଷଣା କରିଦେଲେ ସିନା ହେଲେ ପୁସ୍ତକ ଦେଲେନି । ୨୦୧୮ରେ ହୋଇଥିବା ଉତ୍ଥାନ ଓ ଉଜ୍ଜଳ ଯୋଜନାର ବହିରେ ପିଲାଙ୍କୁ ପଢାଇଲୁ । ଜିଲ୍ଲା କାର୍ଯ୍ୟାଳୟରୁ ପରିସଂଖ୍ୟାନ ଦେବାକୁ ଚାପ ପଡିବାରୁ ଯାହା ଆମ ହାତରେ ଥିଲା ତାହା ଦେଇଛୁ ବୋଲି ସେ କହିଛନ୍ତି ।
ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ରାମଚନ୍ଦ୍ର ନାହାକ କହିଛନ୍ତି ଯେ ସରକାରଙ୍କ ନିୟମ ଅନୁସାରେ ଜଲ୍ଲାରେ ଶିକ୍ଷାଦାନ ଚାଲିଛି । ଯାହା ଯେତେବେଳେ ସରକାର ପ୍ରଦାନ କରୁଛନ୍ତି ତାହା କରୁଛୁ ବୋଲି ସେ କହିଛନ୍ତି ।
