ଭୁବନେଶ୍ୱର : ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆଜି ଠାରୁ www.siam.in ରେ ଆବେଦନ କରିହେବ । ଗାଡ଼ିର ବୀମା କିମ୍ବା କୌଣସି ପ୍ରକାର ଚାଲାଣ ବକେୟା ଥିଲେ ମଧ୍ୟ ଆେବଦନ କରିହବ । ପୁରୁଣା ନମ୍ବର ପ୍ଲେଟ୍ ଭଳି ଏହାକୁ ସହଜରେ ଟାମ୍ପରିଂ କରିହେବ ନାହିଁ । ରାସ୍ତାରେ ଲାଗିଥିବା କ୍ୟାମେରା ଏହି ନମ୍ବର ପ୍ଲେଟ୍କୁ ସହଜରେ ପଢ଼ିପାରିବ । ଫଳରେ ଅପରାଧ ଘଟାଇ ଚାଲି ଯାଉଥିବା ଗାଡ଼ି ଓ ଚାଳକଙ୍କୁ ସହଜରେ ଚିହ୍ନଟ କରିହେବ । ପରିବହନ ବିଭାଗ ଦ୍ୱାରା ଅନୁମତିପ୍ରାପ୍ତ ସଂସ୍ଥା ହିଁ କେବଳ ଏହି ନୂଆ ନମ୍ବର ପ୍ଲେଟ୍ ଦେଇପାରିବେ । ବାହାରେ ବସି ନମ୍ବର ପ୍ଲେଟ ବନାଉଥିବା ସଂସ୍ଥା ଏହା ଦେଇପାରିବ ନାହିଁ । ମୋଟର ସାଇକଲ ପାଇଁ ୩୨୦ ରୁ ୩୮୦ ଟଙ୍କା ଦେବାକୁ ପଡୁଥିବାବେଳେ ଅଟୋ ପାଇଁ ୩୫୦ ରୁ ୪୫୦, କାର୍ ପାଇଁ ୫୯୦ ରୁ ୭୦୦ ଏବଂ ଭାରୀ ଯାନ ଲାଗି ୬୦୦ ରୁ ୮୦୦ ଟଙ୍କା ଦେବାକୁ ପଡ଼ିବ ।
ପ୍ରକାଶଥାଉକି, କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ଅନୁସାରେ ଏଣିକି ସବୁ ଗାଡ଼ିରେ ଏଭଳି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ ହୋଇଛି । ୨୦୨୨ ଡିସେମ୍ବର ସୁଦ୍ଧା ସବୁ ଗାଡ଼ିରେ ଏହି ନମ୍ବର ପ୍ଲେଟ ଲଗାଇବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହାକୁ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୫ ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ । ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକରଣ ହୋଇଥିବା ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏ ନେଇ ଗାଡ଼ି ମାଲିକଙ୍କୁ ଅନ୍ୟୂନ ୩ ମାସ ସମୟ ଦିଆଯିବ । ନୂଆ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗୁଥିବା ବେଳେ ପୁରୁଣା ଗାଡ଼ିରେ ଏହି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ପ୍ଲେଟ୍ କେବଳ ଗାଡ଼ି ନିର୍ମାଣକାରୀ ସଂସ୍ଥା ଓ ସ୍ବୀକୃତିପ୍ରାପ୍ତ ଡିଲର ଲଗାଇ ପାରିବେ । ସେଥିପାଇଁ ଅନଲାଇନରେ ଦେୟ ଦେବାକୁ ପଡ଼ିବ ।
