ବିନା ଟେଣ୍ଡରରେ ସିଏମ୍‌ସି ଅର୍ଥ ହରିଲୁଟ୍ : ୬ ବର୍ଷରେ ୭ ଶହ କୋଟି !

କଟକ : କଟକ ମହାନଗର ନିଗମ (ସିଏମ୍‌ସି)ରେ ଆଉଟସୋର୍ସିଂ ନାମରେ ବ୍ୟାପକ ହରିଲୁଟ୍ ଚାଲିଛି । ବିନା ଟେଣ୍ଡରରେ ଚାଲିଥିବା ଏହି କାରବାରରେ ଗଲା ୬ ବର୍ଷ ଭିତରେ ସିଏମ୍‌ସି ଲୋକ (କର୍ମଚାରୀ) ଯୋଗାଉଥିବା ସଂସ୍ଥାକୁ ୭୦୦ କୋଟିରୁ ଅଧିକ ଟଙ୍କା ଦେଇସାରିଲାଣି । ୨୦୧୨ରେ ଶେଷଥର ଟେଣ୍ଡର ହୋଇଥିଲେ ବି ୨୦୧୬ ରୁ ଆଜି ପର୍ଯ୍ୟନ୍ତ ବିନ‌ା ଟେଣ୍ଡର ଏସବୁ ଟଙ୍କା ଖର୍ଚ୍ଚ ହୋଇଛି । ଗଲା ୬ ବର୍ଷ ଭିତରେ ଏଥିପାଇଁ ତିନି ତିନି ଥର ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ତାହା କିନ୍ତୁ ଚୂଡ଼ାନ୍ତ ହୋଇପାରୁନାହିଁ । ତିନି ଥର ଟେଣ୍ଡର ଆହ୍ବାନ କରି‌ ଟେଣ୍ଡର ଖୋଲାଯାଇ ନାହିଁ । ବିଭିନ୍ନ ଆଳରେ ଏହାକୁ ବାତିଲ କରାଯାଇଛି । ସିଏମ୍‌ସିର ନୂଆ କାଉନ୍‌ସିଲ ଗଠନ ହେବାପରେ ଏଷ୍ଟାବ୍ଲିସମେଣ୍ଟ୍ କମିଟି ଏସବୁର ହିସାବ ମାଗିଛି । ଏହା ପରେ ଅଧିକାରୀସ୍ତରରେ ଏବେ ଛନକା ପଶିଥିବା ଜଣାପଡ଼ିଛି । ଅପରପକ୍ଷେ, ସିଏମସିରେ ଆଉଟସୋର୍ସିଂ କାମ କରୁଥିବା ଦୁଇଟି ସଂସ୍ଥାର ପାଖାପାଖି ୭୦ ଜଣ କର୍ମଚାରୀ ନେତା, ଯନ୍ତ୍ରୀ ଓ ଅଧିକାରୀଙ୍କ ଘରେ କାମ କରୁଛନ୍ତି । ସିଏମସିରୁ ଟଙ୍କା ନେଇ ଘରୋଇ କାମରେ ନିୟୋଜିତ ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟ କରିଛି ।

ତଥ୍ୟ ଅନୁଯାୟୀ ସିଏମ୍‌ସିରେ ଲୋକ ଯୋଗାଉଥିବା ଆଉଟସୋର୍ସିଂ ସଂସ୍ଥ‌ା ମଧ୍ୟରୁ ସ୍ବର୍ଣ୍ଣଦେବୀ ନାମକ ସଂସ୍ଥା ସିଏମ୍‌ସିରେ ଚାକିରି କରୁଥିବା ଜଣେ ଓ୍ବାର୍କ ସରକାର ପ୍ରଶାନ୍ତ ବେହେରାଙ୍କ ପତ୍ନୀଙ୍କ ନାମରେ ରହିଛି । ଏହି ସଂସ୍ଥ‌ା ୨୬୦ ଲୋକ ‌ଯୋଗାଇଛି । ସ୍ବର୍ଣ୍ଣଦେବୀ ସଂସ୍ଥ‌ା ସିଏମ୍‌ସିରୁ ମାସକୁ ହାରାହାରି ୪ କୋଟି ଟଙ୍କାର ବିଲ୍ ନେଉଛି । କର୍ମଚାରୀଙ୍କ ପତ୍ନୀଙ୍କ ନାମରେ ଥିବା ଆଉଟସୋର୍ସିଂ ସଂସ୍ଥା ସଂପର୍କିତ ଖବର ସିଏମ୍‌ସି କମିସନର ଓ ମେୟର ଜାଣିଛନ୍ତି ନା ନାହିଁ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ସିଏମସି ପକ୍ଷରୁ ଲୋକ( କର୍ମଚାରୀ) ଯୋଗାଇବାକୁ ଏଷ୍ଟାବ୍ଲିସମେଣ୍ଟ୍ ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ୨୦୧୨ରେ ଟେଣ୍ଡର ଆହ୍ବାନ କରାଯାଇଥିଲା । ଏଷ୍ଟାବ୍ଲିସମେଣ୍ଟରେ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟର, ସିକ୍ୟୁରିଟି, ପିଅନ, କୁଲି ଯୋଗାଇବାକୁ କୁହାଯାଉଥିଲା । ସ୍ବାସ୍ଥ୍ୟ ବିଭାଗରେ କୁଲି, ମାଳି ଇତ୍ୟାଦି ଯୋଗାଇବାକୁ ଏହି ଟେଣ୍ଡର ହୋଇଥିଲା । ନିରାକାର ସିକ୍ୟୁରିଟି ଓ ସ୍ବର୍ଣ୍ଣଦେବୀକୁ ଏହି ଟେଣ୍ଡର ମିଳିଥିଲା । ନିରାକାର ୩୬୨ କର୍ମଚାରୀ ଯୋଗାଇଥିବା ବେଳେ ସ୍ବର୍ଣ୍ଣ ଦେବୀ ଏବେ ୨୬୦ କର୍ମଚାରୀ ‌ଯୋଗାଇଛନ୍ତି । ଉଭୟ ସଂସ୍ଥ‌ା ମାସକୁ ୧୦ କୋଟି ଟଙ୍କା, ଅର୍ଥାତ୍‌ ବର୍ଷକୁ ୧୨୦ କୋଟି ଟଙ୍କା ନେଉଛନ୍ତି ।

ସେହି ହିସାବ‌ରେ ସିଏମସି ଗତ ୬ ବର୍ଷ ହେବ ବିନା ଟେଣ୍ଡର ୭୦୦ କୋଟିରୁ ଅଧିକ ଟଙ୍କା ଦେଇସାରିଛି । ୨୦୧୨ ମସିହାରେ ହୋଇଥିବା ଟେଣ୍ଡରର ଅବଧି ୨୦୧୬ ମସିହା ଯାଏ ରହିଥିଲା । ୨୦୧୬ ମସିହାରେ ଆଉଥରେ ଟେଣ୍ଡର ହୋଇଥିଲେ ବି ୪ ମାସ ପରେ ଏହି ଟେଣ୍ଡରକୁ ବାତିଲ କରି ଦିଆଯାଇଥିଲା । ପୁଣି ୨୦୧୮ ମସିହାରେ ଡକାଯାଇଥିବା ଟେଣ୍ଡରକୁ ୯ ମାସ ପରେ ବାତିଲ କରି ଦିଆଗଲା । ୨୦୨୧ ମସିହାରେ ମଧ୍ୟ ଏଥିପାଇଁ ଆଉଥରେ ଟେଣ୍ଡର ହୋଇଥିଲା । ତାକୁ ମଧ୍ୟ ବାତିଲ କରାଗଲା । ଏଭଳି ବାରମ୍ବାର ଟେଣ୍ଡର ବାତିଲ ହେବା, ୭ ଶହ କୋଟି ଟଙ୍କାରୁ ଅଧିକ କାରବାର ବିନା ଟେଣ୍ଡରରେ ହେବା ଏବଂ କର୍ମଚାରୀ ନେତା, ଅଧିକାରୀଙ୍କ ଘରେ ନିୟୋଜିତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏବେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *