ଅଭାବୀ ଶ୍ରେଣୀଗୃହ, ଫୁଙ୍ଗୁଳା ପଡିଛି ହତା, ପାଠପଢା ପ୍ରଭାବିତ

ବାଙ୍କୀ : ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ଓସ୍ତିଆ ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତମାନର ଦଧିବାମନଜୀୟୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଛନ୍ତି ୨୨୧ ଜଣ ଛାତ୍ରଛାତ୍ରୀ । ବିଦ୍ୟାଳୟ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଓସ୍ତିଆ ପଞ୍ଚାୟତର ବିଷ୍ଣୁପୁର ଗ୍ରାମରେ ୧୯୬୪ ମସିହାରେ ପ୍ରତିଷ୍ଠା ହୋଇଥିଲା ଦଧିବାମନଜୀୟୁ ମଧ୍ୟ ଇଂରାଜୀ ବିଦ୍ୟାଳୟ । ୬ଷ୍ଠ ଓ ୭ମ ଶ୍ରେଣୀର ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ । ପରବର୍ତ୍ତି ସମୟରେ ଏଠାରେ ୮ମ ଶ୍ରେଣୀର ସୁବିଧା ଉପଲବ୍ଧ ହୋଇଥିଲା । ଦଧିବାମନଜୀୟୁ ମଧ୍ୟ ଇଂରାଜୀ ବିଦ୍ୟାଳୟ ନିକଟରେ ଥିଲା ବିଷ୍ଣୁପୁର-ନୂଆ ଓସ୍ତିଆ ପ୍ରାଥମିକ ବିଦ୍ୟାଳୟ । ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟରେ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଏ ପାଠ ପଢୁଥିଲେ । ପୁରୁଣା ୩ ବଖରା ଆଜବେଷ୍ଟ ଘରକୁ ୨ ବଖରା ଛାତ ଘରେ ପାଠପଢା ହେଉଥିଲା । ସରକାରଙ୍କ ନୂତନ ଶିକ୍ଷାନୀତିରେ ବିଷ୍ଣୁପୁର-ନୂଆ ଓସ୍ତିଆ ପ୍ରାଥମିକ ବିଦ୍ୟାଳୟକୁ ଦଧିବାମନଜୀୟୁ ମଧ୍ୟ ଇଂରାଜୀ ବିଦ୍ୟାଳୟ ସହ ମିଶ୍ରଣ କରାଗଲା । ଏହା ନୂତନ ଦଧିବାମନଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟ ନାମରେ ନୂତନ ରୂପରେଖ ବହନ କରିଛି । ମାତ୍ର ବିଡମ୍ବନାର ବିଷୟ ମିଶ୍ରଣ ପରେ ବି ଅଧୁନା ପୂର୍ବପରି ପୁରୁଣା ନାମିତ ବିଦ୍ୟାଳୟରେ ୧ମ ରୁ ୩ୟ ଶ୍ରେଣୀ ପାଠପଢା ଚାଲିଛି । ଅଭାବି ଶ୍ରେଣୀ ଗୃହ ଦୃଷ୍ଟିରୁ କାଗଜ କଲମରେ ବିଦ୍ୟାଳୟ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ପୁରୁଣା ବିଦ୍ୟାଳୟରେ ବିପଦପୂର୍ଣ୍ଣ ଭାବରେ ପାଠପଢା ଚାଲିଛି । ଗୋଟିଏ ଶ୍ରେଣୀରେ ୧ମ ଓ ୨ୟ ଶ୍ରେଣୀର ପିଲାଏ ପାଠପଢୁଛନ୍ତି । ଅନ୍ୟ ଏକ କୋଠରୀରେ ୩ୟ ଶ୍ରେଣୀର ପାଠପଢା । ବର୍ତ୍ତମାନ ସୁଧା ବିଦ୍ୟାଳୟର ପୁରୁଣା ହତା ଫୁଙ୍ଗୁଳା ପଡିଛି । ପ୍ରାଚୀର ନଥିବାରୁ ବିଦ୍ୟାଳୟ ପରିସରରେ ବୁଲା ଗାଈ ଗୋରୁ ଏବଂ ଅସାମାଜିକ ଲୋକମାନଙ୍କର ଅବାଧ ପ୍ରବେଶ ହେତୁ ବିଦ୍ୟାଳୟ ପରିବେଶ ବିପଦ ସଂକୂଳ । ଗତ ଫାଇଲିନ୍ ବାତ୍ୟାରେ ଭାଙ୍ଗି ପଡିଥିବା ବିଦ୍ୟାଳୟର ଫାଟକ ପୂର୍ବପରି ତଳେ ପଡିରହିଛି । ରକ୍ଷଣା ବେକ୍ଷଣ ଅଭାବରୁ ଦିନକୁ ଦିନ ପରିବେଶ ବିପଦ ସଂକୂଳ ପାଲଟିଛି । ବିଭିନ୍ନ ସମୟରେ ପରିଦର୍ଶନରେ ଆସୁଥିବା ଅଧିକାରୀ,ବ୍ଲକ ପ୍ରଶାସନର ଦୃଷ୍ଟିରେ ବିଦ୍ୟାଳୟର ସମସ୍ୟା ଜଣାଥିଲେ ମଧ୍ୟ ସୁଧାର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପଞ୍ଚାୟତ ପକ୍ଷରୁ ପୁରୁଣା ବିଦ୍ୟାଳୟ ପରିସର ସୁରକ୍ଷା କିମ୍ବା ବ୍ଲକ ପ୍ରଶାସନ ଏ ଦିଗରେ ଯତ୍ନବାନ ହେଲେ ଦଧିବାମନଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟ ନିଜର ପରିବେଶ ଓ ଶୈକ୍ଷିକ ପରିବେଷ୍ଟନୀକୁ ସୁଦୃଢ କରିପାରନ୍ତା । ପୁରୁଣା ବିଷ୍ଣୁପୁର-ନୂଆ ଓସ୍ତିଆ ବିଦ୍ୟାଳୟର ଫୁଙ୍ଗୁଳା ହତାକୁ ପ୍ରାଚୀର କରାଯାଇ ପୁରୁଣା ବିପଦ ସଂକୂଳ ଘରକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରାଗଲେ ବର୍ତ୍ତମାନର ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ନିଜର ଐତିହ୍ୟ ଏବଂ ଗରିମା ପ୍ରତିଷ୍ଠା କରି ବିଦ୍ୟାଳୟର ସୁନାମ ବଜାୟ ରଖିବାରେ ସକ୍ଷମ ହେବ ବୋଲି ସ୍ଥାନୀୟ ଅଭିଭାବକ ମାନେ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *