ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବିକାଶଠୁ ବହୁ ଦୂରରେ ଡମୁଗୁଡ଼ା ଗାଁ

ନବରଙ୍ଗପୁର : ସ୍ୱାଧୀନତାର ଦୀର୍ଘ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଯେମିତି ବିକାଶର ଛାଇ ପଡ଼ିନାହିଁ ଏହି ଗାଁ ଉପରେ । ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ବିଜୁଳି, ଗମନା-ଗମନ ଓ ପାନୀୟ ଜଳ ଭଳି ସମସ୍ତ ମୌଳିକ ସୁବିଧା ଏଠି ବିପର୍ଯ୍ୟସ୍ତ । ଏହିଭଳି ନାହିଁ ନାହିଁର ଗାଁ ହେଉଛି  ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଅନ୍ତର୍ଗତ ଡମୁଗୁଡା ଗାଁ । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏବେ ଅଭିଶପ୍ତ ଜୀବନ ବିତାଉଛନ୍ତି ଏହି ଗାଁ ଲୋକେ । ଗାଁକୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ । ଜଙ୍ଗଲ ପାହାଡ଼ ରାସ୍ତା ଦେଇ ଗଲା ପରେ ପଡେ ଏହି ଡମୁଗୁଡା ଗାଁ । ଦୁଇ ଚକିଆକୁ ଛାଡି ଦେଲେ ଚାରି ଚକିଆ ଗାଡି ଏହି ରାସ୍ତାରେ ଗଡିବା ସ୍ୱପ୍ନ । ବର୍ଷା ଦିନେତ ଯାତାୟାତ କଥା ନକହିବା ଭଲ । ଗାଁରେ ନା ଅଛି ବିଦ୍ୟାଳୟ, ନା ଅଛି ଅଙ୍ଗନବାଡି କେନ୍ଦ୍ର । ଏମିତିକି ବିଜୁଳି ଆଲୁଅ ଗ୍ରାମବାସୀଙ୍କ ପାଇଁ ସାତସପନ ହୋଇପଡିଛି ।

ପ୍ରାୟ ୪୦ ବର୍ଷର ପୁରୁଣା ଏହି ଗାଁରେ ୨୫ ପରିବାରରୁ ଅଧିକ ଲୋକେ ବସବାସ କରୁଥିବା ବେଳେ ଗ୍ରାମର ଅଧିକାଂଶ ପରିବାର ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି । ଡମୁଗୁଡ଼ା ଗାଁରେ ଦୁଇଟି ମାତ୍ର ନଳକୂପ ଥିବାବେଳେ ସେଥିରୁ ଅନେକ ସମୟରେ ଦୂଷିତ ପାଣି ବାହାରୁଛି । ଯ।ହା ଦ୍ଵାରା ବାଧ୍ୟ ହୋଇ ମହିଳାମାନେ ଗ୍ରାମରୁ ୨ କିଲୋମିଟର ଦୂରରେ ଥିବା ଝରଣା ପାଣି ଉପରେ ହିଁ ନିର୍ଭର କରିଥାନ୍ତି । ଦୀର୍ଘଦିନ ଧରି ଝରଣା ପାଖରେ ଜମା ହୋଇ ରହିଛି ଅପରିଷ୍କାର ଜଳ । ଡେଙ୍ଗୁ, ମ୍ୟାଲେରିଆ, ଜଣ୍ଡିସ୍ ଆଦି ରୋଗ ବ୍ୟାପିବାର ଭୟ ରହିଥିବା ବେଳେ ସେଠାରୁ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।

ଗାଁରେ ରାସ୍ତା ନଥିବାରୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଖଟିଆ ଓ ଷ୍ଟ୍ରେଚେରରେ ବୋହି ନେବାକୁ ପଡିଥାଏ ରୋଗୀଙ୍କୁ । ଯାହା ଫଳରେ ପ୍ରସୂତି, ଗର୍ଭବତୀ ଓ ବୟସ୍କଙ୍କ ଅଧବାଟରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଗାଁରେ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ପିଲାଙ୍କ ଭବିଷ୍ୟତ ଅନ୍ଧକାରରେ ଠେଲି ହେଇଯାଉଥିବା ବେଳେ ଦିନକୁ ଦିନ ବହୁମାତ୍ରାରେ ଅପପୃଷ୍ଟିର ଶିକାର ହେଉଛନ୍ତି କୁନି କୁନି କୋମଳମୋତି ନିଷ୍ପାପ ଶିଶୁ । ଲୋକପ୍ରତିନିଧି ଏବଂ ପ୍ରଶାସନ ପାଖରେ ଦଉଡି ଦଉଡି ନୟାନ୍ତ ହେଲାପରେ ମଧ୍ୟ ବାଧ୍ୟ ହୋଇ ଅଭିଶପ୍ତ ଜୀବନ ବିତାଉ ଛନ୍ତି ଏହି ଡମୁଗୁଡ଼ା ଗାଁର ଗ୍ରାମବାସୀ । ନିର୍ବାଚନ ଆସିଲେ ନେତା ମାଳ ମାଳ ପ୍ରତିଶ୍ରୁତି ଦେଇଥାନ୍ତି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସବୁ ଭୁଲି ଯାଆନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ରୂପଧର ଗୌଡ଼ ଓ ଲକ୍ଷ୍ମୀ ଗୌଡ଼ ସମେତ ଗ୍ରାମବାସୀ ପ୍ରମୁଖ ଅଭିଯୋଗ କରିଛନ୍ତି ।

 

Leave a Reply

Your email address will not be published. Required fields are marked *