ନିର୍ଦ୍ଦେଶକୁ ଅବମାନନା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଝୁଲୁଛି ଇଂରାଜୀ ନାମଫଳକ

ବାରିପଦା : ରାଜ୍ୟର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଇଂରାଜୀକୁ ଛାଡ଼ି ଓଡ଼ିଆ ଭାଷାରେ କାମ ହେବ । ସବୁ କାର୍ଯ୍ୟାଳୟ ସହ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲାଗିବ । ୪ ବ‌ର୍ଷ ପୂର୍ବେ ସରକାର ଏପରି କିଛି ସ୍ବତନ୍ତ୍ର ନିର୍ଦେଶ ଦେଇଥିଲେ । ନିର୍ଦେଶ ପାଳନ କରିବା ପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଗତ ନଭେମ୍ବର ମାସରେ ଚିଠି କରିଥିଲେ । କିଛି କିଛି କାର୍ଯ୍ୟାଳୟ ସହ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲେଖା ହେଲା । କିନ୍ତୁ ଉଦ୍ଦେଶ୍ୟ କାଣିଚାଏ ବି ପୂରା ହେଲାନି ।‌ ତେଣୁ ଗତ ଏପ୍ରିଲ୍‌ ମାସ ୨୯ ତାରିଖ ସୁଦ୍ଧା ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖିବା ପାଇଁ ଜିଲ୍ଲାପାଳମାନଙ୍କୁ ପୁଣି ଚିଠି କରାଗଲା ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିଭିନ୍ନ ବିଭାଗର ନାମଫକଳ ଇଂରାଜୀରେ ଲେଖା ରହିଛି । ଅଭ୍ୟର୍ଥନା କେନ୍ଦ୍ରଠାରୁ ଆରମ୍ଭ କରି ଜରୁରୀକାଳୀନ କାର୍ଯ୍ୟାଳୟର ନାମଫଳକ ଇଂରାଜୀରେ ଲେଖା ହୋଇଛି । କେବଳ ସେମିତି ନୁହେଁ; ବିଭିନ୍ନ ବ୍ଲକ୍‌ର ବିଡିଓ, ତହସିଲଦାର, ଏନ୍‌ଏସି ଓ ମୁନ୍‌ସିପାଲିଟି କର୍ମଚାରୀ ତଥା ‌ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନେ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ ପାଇନଥିବା ନିଜ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଆଗ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟର ନାମଫଳକ ପରିବର୍ତ୍ତନ କରନ୍ତୁ; ପରେ ସେମାନେ ତାଙ୍କ ନିର୍ଦେଶ ମାନିବେ ବୋଲି କହିଛନ୍ତି । ଜିଲ୍ଲାପାଳଙ୍କ ଏପରି ଦାୟିତ୍ବହୀନତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଜିଲ୍ଲାପାଳ ଓଡ଼ିଆଙ୍କ ଅସ୍ମିତାକୁ ସମ୍ମାନ ଦେବା ଶିଖନ୍ତୁ ବୋଲି ମୟୂରଭଞ୍ଜର ଅଣରାଜନୈତିକ ସଂଗଠନ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ‌ଜେନା କହିଛନ୍ତି । ସେହିପରି ଜିଲ୍ଲାର ବିକାଶ ତଥା ଓଡ଼ିଆମାନଙ୍କ ଉନ୍ନତି ପାଇଁ ଜିଲ୍ଲାପାଳ ପ୍ରଥମେ ଓଡ଼ିଆ ଭାଷାକୁ ଭଲପାଇବା ଦରକାର ବୋଲି ଅନେକ ବୁଦ୍ଧିଜୀବୀ କହିଛନ୍ତି । ତେବେ ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା । ହେଲେ ତାଙ୍କ ସହ କୌଣସି ପ୍ରକାର ସଂପର୍କ ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *