ଯାଜପୁର : ନାଳ ଏପଟେ ରହିଛି ବରୀ ବ୍ଲକର ରତ୍ନଗିରି ଗ୍ରାମ ଓ ନାଳ ସେପଟେ ରହିଛି ରତ୍ନଗିରି ପଞ୍ଚାୟତର ଡିମିରିଆପାଳ ଓ ବଡଚଣା ବ୍ଲକର ପର୍ବତ ପଣସୁଆ, ପାଳପଣସୁଆ ଓ ନାନକାର ଗ୍ରାମ। ଉକ୍ତ କେନୁଅ ନାଳ ଉପରେ ବାଦୁଡ଼ି ବରଗଛ ନିକଟରେ ଏକ କଲଭର୍ଟ ନିର୍ମାଣ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଦ୍ବାରା ସଂଯୋଗ କରାଇଛି । ଏହି କଲଭର୍ଟଟି ଆଜି ହଠାତ୍ ଭୁଶୁଡ଼ି ପଡ଼ିବାରୁ ନାଳ ସେପଟେ ରହିଥିବା ଡିମିରିଆପାଳ, ପର୍ବତପଣସୁଆ, ପାଳପଣସୁଆ ଓ ନାନକାର ଆଦି ଗ୍ରାମ ସହ ରତ୍ନଗିରିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ସୂଚନା ଅନୁସରାରେ କିଛିଦିନ ହେବ ଏହି କଲଭର୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ଏହି ସ୍ଥାନଟି ବରୀ ବଡ଼ଚଣାର ସଂଯୋଗ ସ୍ଥଳ ହୋଇଥିବାରୁ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ଦୁଇ ବ୍ଲକର ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗି ନଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜି ସକାଳୁ ଏକ ବାଲି ବୋଝେଇ ଟ୍ରାକ୍ଟର ପୋଲ ଦେଇ ଯିବା ସମୟରେ ହଠାତ୍ ପୋଲଟି ଭାଙ୍ଗିଯାଇଥିଲା । ଟ୍ରାକ୍ଟର ଡାଲା ଅଂଶ ତଳୁକୁ ଖସିପଡି ଉପରକୁ ଉଠିଯାଇଥିଲା । ଫଳରେ ଅଳ୍ପକେ ଟ୍ରାକ୍ଟର ସହ ଚାଳକ ରକ୍ଷା ପାଇଯାଥିଲେ । ଏହି ରାସ୍ତା ଉପରେ ଡିମିରିଆପାଳ ଗ୍ରାମର ଲୋକେ ରତ୍ନଗିରି ପଞ୍ଚାୟତ ସହିତ ବ୍ଲକ କାର୍ଯ୍ୟଳୟକୁ ଯାଇଥାନ୍ତି । ବଡ଼ଚଣା ବ୍ଲକର ପର୍ବତ ପଣସୁଆ, ପଣସୁଆପାଳ ଓ ନାନକାର ଆଦି ଗ୍ରାମର କଲେଜ ଛାତ୍ରଛାତ୍ରୀ ଦୈନିକ କଲେଜ ଯିବାଆସିବା କରିଥାନ୍ତି । ଏହି ପୋଲ ଭୁଶୁଡ଼ି ପଡ଼ିବା ଦ୍ବାରା ଲୋକମାନେ କୋଲଣଗିର ବାଘପାହାଡ଼ ଦେଇ ଅତିରିକ୍ତ ୩ କିମି ବୁଲାଣି ରାସ୍ତାରେ ଯିବାକୁ ପଡ଼ିବ । ବର୍ଷା ଦିନ ପୂର୍ବରୁ ବିଭାଗ ପକ୍ଷରୁ ତୁରନ୍ତ ନୂତନ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
