ସୋର : ବାରିକପୁର ଆଞ୍ଚଳିକ ବଜାର କମିଟି ପରିଚାଳିତ ଗୋରୁହାଟ ଏବେ ଗୋରୁ ଚୋରା ଚାଲାଣର କେନ୍ଦ୍ରସ୍ଥଳୀ ପାଲଟିଛି । ହାଟରେ ବିକ୍ରିହେବା ନାଁରେ ହଜାର ହଜାର ଗୋରୁ ବିଭିନ୍ନ ଅଞ୍ଚଳରୁ ଗାଡ଼ି ଯୋଗେ ଅଣାଯାଇ ଏଠାରେ ଠୁଳ କରାଯାଉଛି । ମାଲିକମାନେ ଆରଏମସିରେ ନାମକୁମାତ୍ର ୫୦ ଟଙ୍କାର ରସିଦ କାଟି ଗୋରୁମାନଙ୍କୁ ଏଠାରୁ ବାହାରକୁ ଚାଲାଣ କରୁଛନ୍ତି । ଏହାର ସୁଯୋଗରେ ଅସାଧୁ କର୍ମଚାରୀମାନଙ୍କୁ ବେପାରିମାନେ ଗୋରୁ ପିଛା ୨୦୦ ଟଙ୍କା ହାତଗୁଞ୍ଜା ଦେଇ ରାତିରେ ପିକଅପ୍, କଣ୍ଟେନର ଭଳି ଗାଡ଼ିରେ ବାହାରକୁ ଚାଲାଣ କରୁଛନ୍ତି ।
ଏହି ସମୟରେ ଅତି ଅମାନୁଷିକ ଭାବେ ଗୋରୁଗୁଡ଼ିକୁ ନିଶା ଇଂଜେକ୍ସନ ଦେଇ ବସ୍ତା ଭଳି ଲଦାଲଦି କରି ଗାଡ଼ିରେ ଚାଲାଣ କରାଯାଉଛି । ଏଥିପାଇଁ ଭଦ୍ରକ ଓ ବାସୁଦେବପୁର ଅଞ୍ଚଳର କିଛି ଚୋରା ଗୋରୁ ବେପାରି ବାରିକପୁର ଠାରେ ଜମି କିଣି ଘରଦ୍ବାର କରି ସ୍ଥାୟୀ ଭାବେ ରହୁଥିବା ଦେଖାଯାଇଛି । ଗତକାଲି ଏଠାରେ ଗୋରୁ ବିକ୍ରି ନାମରେ ବାହାରକୁ ଚାଲାଣ ପାଇଁ ଆଣିଥିବା ଗୋରୁ ବେପାରିମାନଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣରୁ ଗଣ୍ତଗୋଳ ଲାଗିବା ଦ୍ବାରା ବାହାରକୁ ଚାଲାଣ ହୋଇନପାରି ୧୦୮୦ ଗୋରୁ ଭୋକ ଉପାସରେ ଗତକାଲି ଠାରୁ ପଡ଼ି ରହିଛନ୍ତି । ଏ ବିବାଦ ତୁଟି ନଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ପୁଣି ୯୦୦ ଗୋରୁ ସେଠାରେ ଭୋକ ବିକଳରେ ରଡ଼ି ଛାଡ଼ୁଥିବା ଦେଖିବାକୁ ମିଳିଛି । ତୁରନ୍ତ ପୁଲିସ ଏବଂ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
