କଟକ : କଟକ ବଡ଼ ଡାକ୍ତରଖାନା (ଏସ୍ସିବି)ରେ ଏପର୍ଯ୍ୟନ୍ତ ରୋବୋଟିକ୍ ସର୍ଜରି ଆରମ୍ଭ ହୋଇପାରିନି । ଲିଭର୍ ପ୍ରତିରୋପଣ ବ୍ୟବସ୍ଥା ପାଇଁ ଦୁଇଦୁଇ ଥର ବ୍ୟବସ୍ଥା କରାଗଲାଣି, ଲିଭର୍ ଓପିଡି ମଧ୍ୟ ଖୋଲାଯାଇଛି । ହେଲେ, କେବଳ ରୋଗୀଙ୍କ ପଞ୍ଜୀକରଣରେ ସୀମିତ ରହିଛି ଲିଭର୍ ପ୍ରତିରୋପଣ ବ୍ୟବସ୍ଥା । ଉଭୟ ବ୍ୟବସ୍ଥା ୭/୮ବର୍ଷ ତଳର ହୋଇଥିବାବେଳେ ଯଦି ଠିକ୍ ସମୟରେ କାର୍ଯ୍ୟକାରୀ ହୋଇଥା’ନ୍ତା, ସରକାରୀ ବ୍ୟବସ୍ଥାରେ ପୂର୍ବଭାରତର ପ୍ରଥମ ଯୋଜନା ଭାବେ ନୂଆ ଅଧ୍ୟାୟ ସୃଷ୍ଟି କରିଥା’ନ୍ତା । ତେବେ, ଏହି ଦୁଇ ବ୍ୟବସ୍ଥା କେବେ କାର୍ଯ୍ୟକାରୀ ହେବ ତାହା ଜଣାପଡ଼ିନାହିଁ ।
ୟୁରୋଲୋଜି ବିଭାଗରେ ରୋବୋଟ୍ ମାଧ୍ୟମରେ କରାଯିବ ଅସ୍ତ୍ରୋପଚାର । ଏଥିପାଇଁ ୬ ବର୍ଷ ହେଲା ଯୋଜନା କରାଯିବା ସହ ୧୨ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଛି । କିନ୍ତୁ ଏଥିପାଇଁ ରାଜ୍ୟ ଔଷଧ ନିଗମ(ଓଏସ୍ଏମ୍ସିଏଲ୍) ପକ୍ଷରୁ ଏହାର କ୍ରୟ ପାଇଁ ଯେଉଁ ଟେଣ୍ଡର ହେବା କଥା, ତାହା ଆଜି ପର୍ଯ୍ୟନ୍ତ ହୋଇପାରୁନି । ୨୦୧୬ରେ ରୋବୋର୍ଟ କ୍ରୟ ପାଇଁ ରାଜ୍ୟ ଔଷଧ ନିଗମକୁ ଟଙ୍କା ବ୍ୟୟବରାଦ କରାଯାଇଛି । ଆଜି ପର୍ଯ୍ୟନ୍ତ ରୋବୋଟ୍ କିଣା ହୋଇପାରୁନି କି ବିଭାଗକୁ ଆସିପାରୁନି । ସେହିଭଳି, ଲିଭର୍ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ କରିବା ପାଇଁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ କିଣାଯାଇଥିଲା । ଏପରିକି ଡାକ୍ତର ଓ କର୍ମଚାରୀ ମଧ୍ୟ ତାଲିମ ନେଇ ଫେରିଥିଲେ । ହେଲେ, କୋଟି କୋଟି ଟଙ୍କାର ସେଇ ଯନ୍ତ୍ରାଂଶ ଏବେ ଖତ ଖାଉଛି । ଏ ଯନ୍ତ୍ରାଂଶ ବି ଉନ୍ନତମାନର ନୁହେଁ ।

ଏହି ଲିଭର୍ ପ୍ରତିରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ ନହେବା ଫଳରେ ଏହାକୁ ନେଇ ଉଚ୍ଚସ୍ତରରେ ବୈଠକ ବସିଥିଲା । ଗତ ୨୦୨୧, ଅକ୍ଟୋବର ୨୫ରେ ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟର ପ୍ରଥମ ଲିଭର୍ ପ୍ରତିରୋପଣ ଚିକିତ୍ସା ବ୍ୟବସ୍ଥା ପାଇଁ ପ୍ରଥମ ପର୍ଯ୍ୟାୟରେ ଲିଭର୍ ପ୍ରତିରୋପଣ ଓପିଡିକୁ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନର ୬ ମାସ ପରେ କେବଳ ରୋଗୀ ପଞ୍ଜୀକରଣ ବ୍ୟବସ୍ଥାରେ ସୀମିତ ରହିଛି ଏହି ଲିଭର୍ ପ୍ରତିରୋପଣ ଓପିଡି। ଆଜି ସୁଦ୍ଧା ୨ ଶହରୁ ଅଧିକ ରୋଗୀ ଲିଭର୍ ଆବଶ୍ୟକଥିବା ଦର୍ଶାଇ ପଞ୍ଜୀକରଣ କରିଛନ୍ତି । ହେଲେ, ଆଜି ପର୍ଯ୍ୟନ୍ତ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇପାରିନି । ଯୋଜନା ଥିଲା ପ୍ରଥମ ପର୍ଯ୍ୟାୟରେ ୟୁରୋଲୋଜି ବିଭାଗ ଓଟିରେ ଅସ୍ତ୍ରୋପଚାର କରିଥାନ୍ତେ, ପରେ ଏଥିପାଇଁ ହୋଇଥିବା ସ୍ବତନ୍ତ୍ର ଓଟିରେ ଅସ୍ତ୍ରୋପଚାର କରାଯାଇଥା’ନ୍ତା । ହେଲେ, ୬ ମାସ ପରେ ବି କେବଳ ପଞ୍ଜୀକରଣରେ ସୀମିତ ରହିଛି ଲିଭର୍ ପ୍ରତିରୋପଣ ବ୍ୟବସ୍ଥା । ଅନ୍ୟପଟେ, ଏହି ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇ ରୋଗୀ ୨୫ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଫଳରେ, ଏସ୍ସିବରେ ମାଗଣାରେ ଏହି ଚିକିତ୍ସା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ ହୋଇପାରିନାହିଁ ।
