ଭୁବନେଶ୍ୱର : ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଜୁନ ଦ୍ବିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ ଓଡିଶା ଛୁଇଁବା ସମ୍ଭାବନା ରହିଛି । ମୁଖ୍ୟତଃ ଜୁନ ପ୍ରଥମ ସପ୍ତାହରେ କେରଳ ସ୍ପର୍ଶ କରିଥାଏ ମୌସୁମୀ ବାୟୁ । ତେବେ ଚଳିତ ବର୍ଷ ପାଗ ଅନୁକୂଳ ଥିବା ଯୋଗୁ ଆକଳନ ସମୟର ୩ ଦିନ ପୂର୍ବରୁ ମୌସୁମୀ ସ୍ଥଳଭାଗ ଛୁଇଁଛି । ପ୍ରଭାବରେ ରବିବାର କେରଳର କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି । ମୌସୁମୀ ଓଡିଶା କେବେ ପହଁଞ୍ଚିବ ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଜୁନ ଦ୍ବିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ ଓଡିଶା ଛୁଇଁବା ଆକଳନ କରାଯାଉଛି । ଅନ୍ୟପଟେ ରାଜ୍ୟର ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି ।
ଆଗାମୀ ୪ ରୁ ୫ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ଆସିବାକୁ ନଥିବା ବେଳେ ତାତି ଆହୁରି ବଢିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଛି । ବଲାଙ୍ଗୀର, ଝାରସୁଗୁଡା, ବୌଦ୍ଧ ଇତ୍ୟାଦି ଜିଲ୍ଲାରେ ମଧ୍ୟ ପାରଦ ୪0 ଡିଗ୍ରୀ ଉପରେ ରହିଛି । ତେବେ ଆଜି ଦକ୍ଷିଣ ଓଡିଶା ସମେତ ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ କାଳବୈଶାଖି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
