ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ମୁଖ୍ୟ ରାସ୍ତାରେ ଖାମଖିଆଲି କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳିଛି । ଅଭିଯୋଗକାରିଙ୍କ ଅଭିଯୋଗ ବାଲିଆପାଳ ବ୍ଲକ ଛକ ଠାରୁ ବସ ଷ୍ଟାଣ୍ଡ ପ୍ରଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ପାଣି ନିଷ୍କାସନ ପାଇଁ ଡ୍ରେନର ବ୍ୟବସ୍ତା ଅଛି କିନ୍ତୁ ଡ୍ରେନଗୁଡିକ ଅବହେଳିତ ଅବସ୍ଥାରେ ପଡିଛି ।

ସେହି ଡ୍ରେନ ପାଖ ଦୋକାନୀମାନେ ବ୍ୟବହାର କରୁଥିବା ଗନ୍ଧା ପାଣି ଏବଂ ଘରୋଇ ଗାଧୁଆ ପାଣି, ପାଇଖାନା ପାଣି ବି ସେହି ଡ୍ରେନକୁ ଆସୁଛି । ଡ୍ରେନଟିକୁ ଡଷ୍ଟବିନ ଭାବି ଯିଏ ଯାହା ପାରୁଛି ଅଳିଆ ଆବର୍ଜନା ଫିଙ୍ଗି ଦେଉଛନ୍ତି । ଯାହା ଫଳରେ ଡ୍ରେନରେ ପାଣି ପାସ ନ ହେଉଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ବନ୍ୟା ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । କିଛି ଦିନ ଆଗରୁ ଡ୍ରେନଟିକୁ ସଫା ହେଉଥିବାର ଦେଖିବାକୁ ମିଳିଥିଲା ସତ କିନ୍ତୁ ସେହି ଅଳିଆକୁ ରାସ୍ତା ଉପରେ ପକାଇ ରଖିଥିବା ନଜରକୁ ଆସିଥିଲା ।

ଅଳିଆ ଏମିତି ପଡ଼ିରହିଛି ଯାହା ଦ୍ୱାରା କି ସତୁରି ଭାଗ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ଯିବା ଆସିବା ପାଇଁ ଲୋକମାନଙ୍କୁ ବହୁତ ସମସ୍ୟା ହେଉଛି । ପ୍ରଶାସନ ଅଧିକାରୀ, ସରପଞ୍ଚଙ୍କ ସହିତ ସମସ୍ତ ରାଜନେତାମାନେ ତହସିଲ, ଥାନା ଓ ବ୍ଲକ ଯାଉଛନ୍ତି ସବୁ ଦେଖି ନଦେଖିବା ପରି ଚାଲିଯାଉଛନ୍ତି । ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ‘ସ୍ଵଚ୍ଛ ଶାସନ, ସ୍ଵଚ୍ଛ ଭାରତ’ ଯଦି ସବୁ ସ୍ଵଚ୍ଛ ତା’ ହେଲେ ଏଠାରେ ଯେଉଁ ଦୃଶ୍ୟ ଦେଖାଯାଉଛି ତାହା ବି କ’ଣ ସ୍ଵଚ୍ଛ ଅଟେ । ସେହି ଅଳିଆ ଆବର୍ଜନା ଗନ୍ଧରେ ଲୋକ ଅତିଷ୍ଟ ହେଇପଡୁଛନ୍ତି । ଯଦି ବାଲିଆପାଳ ମୁଖ୍ୟ ରାସ୍ତାର ଦୃଶ୍ୟ ଏପରି ତା’ ହେଲେ ଗାଁରେ ଥିବା ନାଳ ନର୍ଦମାର ଅବସ୍ଥା କେମିତି ଥିବ ଆପଣମାନେ ଚିନ୍ତା କରନ୍ତୁ ।
