ଦଦରା ଗାଡ଼ିକୁ ଭରସା କରିଛି ପୁଲିସ, ଚକ୍‌ମା ଦେଇ ଖସିଯାଉଛନ୍ତି ଅପରାଧୀ

କଳାବାଡ଼ିଆ : ବାଙ୍ଗିରିପୋଷି ଥାନାରେ ଥିବା ଗାଡ଼ିଟି ଦଦରା ହୋଇଯାଇଥିଲେ ବି ଏହା ପାଟ୍ରୋଲିଂ ଡ୍ୟୁଟିରେ ଲାଗିଛି । ପରିସ୍ଥିତି ଏମିତି ହେଲାଣି ଯେ ବର୍ଷା ଦିନରେ ଗାଡ଼ି ଭିତରେ ଛତାର ଆବଶ୍ୟକତା ପଡ଼ୁଛି ବୋଲି ଜଣେ କର୍ମଚାରୀ କହିଛନ୍ତି । ଟାୟାର ସବୁ ଘୋରିଗଲାଣି । ଏବେ ଦ୍ବାରଶୁଣୀ ଘାଟିରେ ପ୍ରାୟ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଏହି ଗାଡ଼ିରେ ଘାଟି ଉପରକୁ ଯିବାକୁ ଡରୁଛି ପୁଲିସ । ହେଲେ ଏହି ଦଦରା ଗାଡ଼ିରେ ପୁଲିସ ନିଜ ଜୀବନକୁ ପାଣି ଛଡ଼ାଇ ଦିନରାତି କାର୍ଯ୍ୟ କରୁଛି ।

ଏହି ଗାଡ଼ିରେ ଥାନାରୁ ୨୫ ରୁ ୩୫ କିଲୋମିଟର ଦୂର ଚାକିଡି, ବ୍ରାହ୍ମଣ ଗାଁ, ସୋରିଷପାଳ, ଭୂଆଶୁଣୀ, କୁସୁମବନ୍ଧରେ ପହଞ୍ଚିବା ପାଇଁ ବିଳମ୍ବ ହେଉଥିବାରୁ ବହୁ ସମୟରେ ଜନସାଧାରଣଙ୍କ ରୋଷର ଶିକାର ହେଉଛି ପୁଲିସ । ଗତ ୮ ତାରିଖ ଦିନ ଜଣେ ବାଟୋଇ ଠାରୁ ଦ୍ବାରଶୁଣୀ ଘାଟିରେ ବନ୍ଧୁକ ଦେଖାଇ ତିନିଜଣ ଦୁର୍ବୃତ୍ତ ୧୫ ହଜାର ଟଙ୍କା ଓ ଗାଡ଼ି ଚାବି ଛଡ଼ାଇ ନେଇଗଲେ । ଖବର ପାଇ ପୁଲିସ ଏହି ଦଦରା ଗାଡ଼ିରେ ଦୁର୍ବୃତ୍ତଙ୍କ ପିଛା କରି ବିଫଳ ହେଲା । ଗାଡ଼ିର ଅବସ୍ଥା ଦେଖି କିଏ ଏହାର ଫିଟିନେସ୍‌ ପ୍ରମାଣପତ୍ର ଦେଇଛି ବୋଲି ଲୋକେ ପ୍ରଶ୍ନ କଲେଣି । ତେବେ ଥାନାକୁ ଏକ ନୂତନ ଗାଡ଼ି ଯୋଗାଇ ଦେବାକୁ ଅନେକ ଥର ଦାବି କରାଯାଇଛି ବୋଲି ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା କହିଛନ୍ତି ।

Leave a Reply

Your email address will not be published. Required fields are marked *