ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ଗଡ଼ସାହି ବାଲିଆପାଳ ଗାଁରେ ମନରେଗା ଯୋଜନାରେ ନଦୀ ପଠାରୁ ବାଲି ଓ ମାଟି ଉତ୍ତୋଳନ ବେଳେ ରାଜସ୍ବ ବିଭାଗର ଏନ୍ଫୋର୍ସମେଣ୍ଟ ଟିମ୍ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଉତ୍ତ୍ୟକ୍ତ ଗ୍ରାମବାସୀ ଏନ୍ଫୋର୍ସମେଣ୍ଟ ଟିମ୍ର ଗାଡ଼ି ଭଙ୍ଗାରୁଜା କରିବା ସହ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ସ୍ଥାନୀୟ ସରପଞ୍ଚ ତହସିଲ କାର୍ଯ୍ୟାଳୟକୁ ଆସିଥିବା ବେଳେ ପୁଲିସ ତାଙ୍କୁ ସେଠାରୁ ଥାନାକୁ ନେଇ ଅଟକ ରଖିଛି ।
ସୂଚନା ଅନୁସାରେ, ମନରେଗାରେ ଗଡ଼ସାହି ବାଲିଆପାଳ ଗାଁର ସାନ୍ତାଳୀ ଢିପଠାରୁ ନିମରିଡ଼ା ରାସ୍ତା ନିର୍ମାଣ ପାଇଁ ୮ ଲକ୍ଷ ଓ ବାସନ୍ତୀ ବିଦ୍ୟାପୀଠ ଖେଳପଡ଼ିଆ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହାର କାର୍ଯ୍ୟ ଆଜି ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟରେ ୨୫୦ ରୁ ଊର୍ଦ୍ଧ୍ବ ଜବ୍କାର୍ଡଧାରୀ ନିୟୋଜିତ ହୋଇ ସୁବର୍ଣ୍ଣରେଖା ନଦୀ ପଠାରୁ ବାଲି ଓ ମାଟି ଖନନ କରୁଥିଲେ । ପୂର୍ବାହ୍ନ ସାଢ଼େ ୮ଟା ବେଳେ ଜମାଳପୁର ଆର୍ଆଇ ସୃଷ୍ଟିଧର ପଟ୍ଟାୟତ, ଖୁଆଡ଼ ଆର୍ଆଇ ସାଗର ବାସ୍କେ, ସଦର ଆରଆଇ ଶରତ ବେହେରାଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀଙ୍କୁ ନେଇ ଏକ ୭ ଜଣିଆ ଏନ୍ଫୋର୍ସମେଣ୍ଟ ଟିମ ବାଲି ଓ ମାଟି ଖନନ ସ୍ଥାନରେ ପହଞ୍ଚିବା ସହ କାମ ବନ୍ଦ କରିବା ପାଇଁ କହିଥିଲେ । ଫଳରେ ସେଠାରେ ଜବ୍କାର୍ଡଧାରୀ ଓ ଏନ୍ଫୋର୍ସମେଣ୍ଟ ଟିମ୍ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ଏହି ସମୟରେ ଜଣେ ଆର୍ଆଇ ମହିଳା ଜବ୍କାର୍ଡଧାରୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ଜବ୍କାର୍ଡଧାରୀ ଓ ଗ୍ରାମବାସୀ ଏନ୍ଫୋର୍ସମେଣ୍ଟ ଟିମକୁ ଘେରିଯାଇ ଗାଡ଼ି ଭଙ୍ଗାରୁଜା କରିବା ସହ କିଛି କର୍ମଚାରୀଙ୍କୁ ଠେଲାପେଲା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣ କରିଥିଲା ।
ସେପଟେ ଘଟଣା ପରେ ଗଡ଼ସାହି ବାଲିଆପାଳ ସରପଞ୍ଚ ଧ୍ରୁବଜ୍ୟୋତି ଗିରି ଜଳେଶ୍ବର ତହସିଲକୁ ଆସିଥିବା ବେଳେ ସେଠାରୁ ପୁଲିସ ତାଙ୍କୁ ଥାନାକୁ ନେଇ ଅଟକ ରଖିଛି । ଜଳେଶ୍ବର ଥାନାରେ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶତାଧିକ ପଞ୍ଚାୟତବାସୀ ଜଳେଶ୍ବର ଥାନାରେ ରୁଣ୍ଡ ହୋଇଥିବା ଜଣାପଡ଼ିଛି ।
