ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସ୍ବାସ୍ଥ୍ୟସେବା ଭୁଶୁଡ଼ିବାରେ ଲାଗିଛି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଏମ୍କେସିଜି ମେଡିକାଲରୁ ସରକାର ପର୍ଯ୍ୟାୟ କ୍ରମେ ବିଶେଷଜ୍ଞ ଡାକ୍ତରଙ୍କୁ ବଦଳି କରି ନେଉଛନ୍ତି । ଫଳରେ ଏମ୍କେସିଜି ମେଡିକାଲରେ ଅନେକ ଗୁରୁତ୍ବପୂର୍ଣ ବିଭାଗରେ ରୋଗୀ ତ୍ବରିତ ଚିକିତ୍ସାସେବା ପାଇପାରୁ ନାହାନ୍ତି । କେବଳ ଏମ୍କେସିଜି ମେଡିକାଲ ନୁହେଁ ପୂରା ଗଞ୍ଜାମ ଜିଲ୍ଲାର ସ୍ବାସ୍ଥ୍ୟସେବା ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ । ସବୁ ବ୍ଲକ୍ ମୁଖ୍ୟଳୟ, ଗ୍ରାମାଞ୍ଚଳ ଡାକ୍ତରଖାନାରେ ଡାକ୍ତର ଅଭାବ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ବିଷୟରେ ତଥ୍ୟ ମିଳିଥିବା ବେଳେ ଓଡ଼ିଶାର ଅନ୍ୟ ଜିଲ୍ଲାର ସ୍ଥିତି କ’ଣ ଥିବ ତାହା ସହଜେ ଅନୁମେୟ ।
ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ବ୍ରହ୍ମପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭଞ୍ଜନଗର ଏବଂ ଛତ୍ରପୁରରେ ଦୁଇଟି ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ରହିଛି । ଏଥିପାଇଁ ଗଞ୍ଜାମ ଜିଲ୍ଲାକୁ ମୋଟ ୫୬୭ ଡାକ୍ତର ପଦବି ମଂଜୁର ହୋଇଛି । ତନ୍ମଧ୍ୟରୁ ୨୭୪ଟି ପଦବିରେ ଡାକ୍ତର ଥିବା ବେଳେ ଗତ ୧୨ ତାରିଖ ସୁଦ୍ଧା ୨୯୩ଟି ଡାକ୍ତର ପଦ ଖାଲି ପଡ଼ିଛି । ଜିଲ୍ଲା ପାଇଁ ୨୦୧ ଫାର୍ମାସିଷ୍ଟ୍ ପଦବି ମଂଜୁର ହୋଇଥିବା ବେଳେ ୧୪୯ ଜଣ ଅଛନ୍ତି ଓ ୫୨ ଫାର୍ମାସିଷ୍ଟ ପଦବି ଖାଲି ପଡ଼ିଛି । ସେହିଭଳି ଜିଲ୍ଲାକୁ ସମୁଦାୟ ୬୩୭ ନର୍ସ ପଦବି ସରକାର ମଂଜୁର କରିଥିବା ବେଳେ ସେଥିରୁ ୧୯୯ ପଦବି ଖାଲି ରହିଛି । ସେହିପରି ୧୦୮ ଲ୍ୟାବ୍ ଟେକ୍ନିସିଆନ୍ ପଦବି ମଂଜୁର ହୋଇଥିଲା ବେଳେ ଜିଲ୍ଲାରେ ୫୪ଟି ପଦବି ଖାଲି ପଡ଼ିଛି ।
ଗଞ୍ଜାମ ଜିଲ୍ଲାର ୨ଟି ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ସହିତ ବ୍ରହ୍ମପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡାକ୍ତର ଅଭାବ ଲାଗି ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ସିଟି ହସ୍ପିଟାଲ୍) ପାଇଁ ୭୭ ଡାକ୍ତର ପଦବି ମଂଜୁର ହୋଇଥିବା ବେଳେ ୫୦ ଜଣ ଅଛନ୍ତି । ସେହିପରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ପାଇଁ ୨୩ ଡାକ୍ତର ପଦବି ମଂଜୁର ହୋଇଥିବା ବେଳେ ୧୬ ଜଣ ଅଛନ୍ତି । ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ପାଇଁ ୧୮ ଡାକ୍ତର ପଦବି ମଂଜୁର ହୋଇଥିବା ବେଳେ ୧୨ ଜଣ କାର୍ଯ୍ୟ କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ଡାକ୍ତର ପଦବି ଖାଲି ରହିଛି । ଗ୍ରାମାଞ୍ଚଳ ଡାକ୍ତରଖାନାଗୁଡ଼ିକରେ କାମ କରିବା ପାଇଁ ଡାକ୍ତରମାନେ ଇଚ୍ଛା ପ୍ରକାଶ କରୁନଥିବାରୁ ଏଭଳି ଅସୁବିଧା ସୃଷ୍ଟି ହେଉଥିବା ଜଣେ ଅଧିକାରୀ କହିଛନ୍ତି ।
ରାଜ୍ୟ ସରକାର ରୋଗୀଙ୍କୁ ମାଗଣା ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ନାନା ଯୋଜନା କରିଛନ୍ତି । ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ ପାଇଁ ‘ନିରାୟମ’ ଯୋଜନା କାର୍ଯ୍ୟକାରୀ କରା ଯାଇଥିବା ବେଳେ ମାଗଣା ପରୀକ୍ଷା ପାଇଁ ‘ନିଦାନ’ ଯୋଜନା କାର୍ଯ୍ୟକାରୀ ହୋଇଛି । ସେହିପରି ଗରିବ ଶ୍ରେଣୀର ରୋଗୀଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ଼ ମଧ୍ୟ କରାଯାଇଛି । ଏହା ବ୍ୟତୀତ ସରକାରୀ ମେଡିକାଲଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ସ୍ବାସ୍ଥ୍ୟସେବାର ସବୁଠାରୁ ମୌଳିକ ଆବଶ୍ୟକତା, ଡାକ୍ତର ନଥିଲେ ଏ ସବୁ ବ୍ୟବସ୍ଥା ଓ ଯୋଜନା କେଉଁ କାମରେ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି ।
