ବ୍ରହ୍ମପୁର : ଏମ୍କେସିଜି ମେଡିକାଲ କଲେଜକୁ ସରକାରୀ ସ୍ତରରେ ଅବହେଳା ଜାରିରହିଛି । ଏ ବର୍ଷର ତୃତୀୟ ଦଫାରେ ଶୁକ୍ରବାର ଦିନ ପୁଣି ୪ ଜଣ ଡାକ୍ତରଙ୍କୁ ଏଠାରୁ ବଦଳି କରିନିଆଯାଇଛି । ତାଙ୍କ ସ୍ଥାନରେ ଦୁଇଜଣ ଡାକ୍ତର ଏଠାକୁ ଆସିଛନ୍ତି । ଗତ ତିନିମାସ ଭିତରେ ତିନିଟି ପର୍ଯ୍ୟାୟରେ ଏମ୍କେସିଜିରୁ ୨୫ ଜଣ ଡାକ୍ତରଙ୍କୁ ବଦଳି ହୋଇଥିବାବେଳେ ତାଙ୍କ ବଦଳରେ ଆସିଛନ୍ତି ମାତ୍ର ୯ ଜଣ ।
ଏମ୍କେସିଜି ମେଡିକାଲର ୯ ଜଣ ଆସିଷ୍ଟାଣ୍ଟ୍ ପ୍ରଫେସର୍ଙ୍କୁ ଆସୋସିଏଟ୍ ପ୍ରଫେସର ଭାବେ ପଦୋନ୍ନତି ଦିଆଯାଇଛି । ତନ୍ମଧ୍ୟରୁ ୪ ଜଣଙ୍କୁ ଡେପୁଟେସନ୍ରେ ଅନ୍ୟ ମେଡିକାଲକୁ ନିଆଯାଇଛି । ଇଏନ୍ଟି ବିଭାଗର ଡା.ସଂଜିତ କୁମାର ମିଶ୍ରଙ୍କୁ ପୁରୀ ମେଡିକାଲ କଲେଜକୁ ଡେପୁଟେସନ୍ରେ ନିଆଯାଇଥିବା ବେଳେ ଅସ୍ଥିଶଲ୍ୟ ବିଭାଗ ଡା.ଭବାନୀ ଶଙ୍କର ଲେଙ୍କାଙ୍କୁ କଟକ ଏସ୍ସିବି, ଶିଶୁରୋଗ ବିଭାଗର ଡା.ଅଶୋକ କୁମାର ନନ୍ଦଙ୍କୁ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍ ଓ ଡା.ସନ୍ତୋଷ କୁମାର ପ୍ରଧାନଙ୍କୁ କଟକ ଏସ୍ସିବି ମେଡିକାଲକୁ ବଦଳି କରାଯାଇଛି । ଅନ୍ୟ ୫ ଜଣ ଡାକ୍ତର ଏମ୍କେସିଜି ମେଡିକାଲରେ ରହିଛନ୍ତି । ସେହିପରି କୋରାପୁଟ ମେଡିକାଲ କଲେଜ ନିଶ୍ଚେତକ ବିଭାଗ ଡା.ଶିବ ପ୍ରସାଦ ଦାସ ଓ ସର୍ଜରି ବିଭାଗ ଡାକ୍ତର ଡା.ଆଇ.ଗୋପାଳଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ଡେପୁଟେସନ୍ରେ ଅଣାଯାଇଛି ।
ପ୍ରକାଶଥାଉକି, ଗତ ମାର୍ଚ୍ଚ ୧୧ ତାରିଖରେ ଏମ୍କେସିଜି ମେଡିକାଲରୁ ବିଭିନ୍ନ ବିଭାଗର ୧୩ ଜଣ ଅଭିଜ୍ଞ ଡାକ୍ତରଙ୍କୁ ବଦଳି କରାଯାଇଥିଲା । କିନ୍ତୁ ତାଙ୍କ ସ୍ଥାନରେ ଏମ୍କେସିଜି ମେଡିକାଲକୁ ମାତ୍ର ୭ ଜଣ ଡାକ୍ତର ଆସିଥିଲେ । ଏହାର ମାସେ ନପୂରୁଣୁ ପୁଣିଥରେ ଏମ୍କେସିଜି ମେଡିକାଲରୁ ୮ ଜଣ ଡାକ୍ତରଙ୍କ ବଦଳି କରାଯାଇଥିଲା । ଏମ୍କେସିଜି ମେଡିକାଲରୁ ବାରମ୍ବାର ଡାକ୍ତରଙ୍କୁ ଅନ୍ୟ ଡାକ୍ତରଖାନାକୁ ନିଆ ଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
