ରାୟଗଡ଼ା : ଆଉ କେତେ ଦଶନ୍ଧି ବିତିଲେ ଲୋକେ ନିଜ ମୌଳିକ ଅଧିକାର ପାଇବେ । ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ସ୍ବାସ୍ଥ୍ୟସେବାରେ ସୁଧାର ଆସିବା ପରିବର୍ତ୍ତେ ଧୀରେଧୀରେ ବିଗିଡିବାରେ ଲାଗିଛି । ମିଳିଥିବା ତଥ୍ୟ ଅନୁଯାୟୀ ଜିଲାର ୧୫୦ ରୁ ଅଧିକ ଗ୍ରାମକୁ ଏଯାଏଁ ପକ୍କା ରାସ୍ତାଟିଏ ନାହିଁ । ଜିଲା ପ୍ରଶାସନର ୱେବସାଇଟ ଅନୁଯାୟୀ ତଥ୍ୟ ଅଲଗା ରହୁଥିବା ବେଳେ ବାସ୍ତବରେ ଏହି ତଥ୍ୟକୁ ନେଇ ମଧ୍ୟ ଅନେକ ସନ୍ଦେହ ସୃଷ୍ଟି ହୋଇଛି । କାରଣ ପ୍ରତ୍ୟେକ ବର୍ଷ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ତାର ପ୍ରକୃତ ତଥ୍ୟ ରଖାଯାଉନି । ଆଉ ସରକାରୀ ବାବୁମାନେ ଏପରି ତଥ୍ୟ ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଗଲା ଦେଢ ବର୍ଷର ତଥ୍ୟ କହୁଛି ରାଜ୍ୟରେ ରାୟଗଡା ଜିଲାର ସର୍ବାଧିକ ୧୮୧ଟି ଗାଁକୁ ପକ୍କା ରାସ୍ତା ନଥିବା ବେଳେ ଦ୍ବିତୀୟରେ ରହିଛି ଜଗତସିଂହପୁର ଜିଲା ।
ଜିଲାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡା ବ୍ଲକର କିଛି ଅଞ୍ଚଳରେ ମାଓବାଦୀଙ୍କ ଦବଦବା ରହିଥିବାରୁ ରାସ୍ତା ନିର୍ମାଣରେ ଲାଲ୍ ସଂଗଠନ କୁଆଡେ ପ୍ରତିବନ୍ଧକ ସାଜିଛନ୍ତି । ଏଭଳି ପରିସ୍ଥିତିରେ ଜିଲା ପୁଲିସ ଓ ପ୍ରଶାସନକୁ କିଛି ବିକଳ୍ପ ଚିନ୍ତା କରିବାର ଆବଶ୍ୟକତା ରହିଛି । ପକ୍କା ରାସ୍ତା ନଥିବାରୁ ରାୟଗଡା ଜିଲାରେ ଦିନକୁ ଦିନ ଜନନୀ ଯନ୍ତ୍ରଣା ବଢ଼ୁଛି । ଗାଁ ଗାଁରେ ରୋଗୀବୁହା ଯାନ ପହଞ୍ଚିପାରୁନି । ଗର୍ଭବତୀଙ୍କୁ ଖଟିଆରେ ତ ଆଉ କେତେବେଳେ ଷ୍ଟ୍ରେଚରରେ ଭରା ନଈ ପାର କରି ଡାକ୍ତରଖାନାକୁ ନେବାକୁ ପଡୁଛି । ଅନେକ ଆସନ୍ନ ପ୍ରସବା ଡାକ୍ତରଖାନାକୁ ଆସିବା ବାଟରେ ହିଁ ପ୍ରସବ କରୁଛନ୍ତି । କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକରେ ବାରମ୍ବାର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଜିଲାରେ ମାତୃ ମୃତ୍ୟୁହାର ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଥିବା କହୁଛନ୍ତି, କିନ୍ତୁ ଦୁର୍ଗମ ଅଞ୍ଚଳରେ ଗାଁ ଗାଁ ଯୋଗାଯୋଗର ବ୍ୟବସ୍ଥା ନଥିବା ଯୋଗୁଁ ଅଧାବାଟରେ ରୋଗୀବୁହା ଯାନ ଅଟକିଯାଉଛି । ଏସବୁ ବ୍ୟତିକ୍ରମକୁ ଦୃଷ୍ଟିରେ ରଖି ଗତ ୨୦୧୭ ମସିହା ସେପ୍ଟେମ୍ବର ୯ ତାରିଖରେ ଜିଲାରେ ବାଇକ୍ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ଆମ ସଂକଳ୍ପ ଯୋଜନା ମାଧ୍ୟମରେ କଲ୍ୟାଣସିଂହପୁର ଓ ମୁନିଗୁଡ଼ା ବ୍ଲକରେ ଦୁଇଟି ବାଇକ ଆମ୍ବୁଲାନ୍ସ ଯୋଗାଇ ଦିଆଗଲା । ହେଲେ ଉକ୍ତ ବାଇକ୍ ଆମ୍ବୁଲାନ୍ସ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଅସୁସ୍ଥ ହୋଇପଡିଛି । ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ୨୦୧୬-୧୭ ମସିହାରେ ୭୪ ପ୍ରତିଶତ ମହିଳା ଡାକ୍ତରଖାନାରେ ପ୍ରସବ ହେଉଥିବା ବେଳେ ଏହା ଏବେ ବୃଦ୍ଧି ପାଇ ୮୦ ପ୍ରତିଶତକୁ ପହଞ୍ଚିଛି । କିନ୍ତୁ ବାରମ୍ବାର ଏଭଳି ଜନନୀ ଯନ୍ତ୍ରଣା ନଜରକୁ ଆସିଲେ ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ପୁଣିଥରେ ମାତୃ ମୃତ୍ୟୁହାର ବଢିବ ବୋଲି ଆଶଙ୍କା କରାଯାଉଛି । ମାତୃ ମୃତ୍ୟୁହାର ଧିରେ ଧିରେ ବଢୁଥିବା ବେଳେ ଏହାର ସ୍ଥାୟୀ ସମାଧାନ କରିବାରେ ସ୍ବାସ୍ଥ୍ୟ ବିଭାଗ ଫେଲ୍ ମାରିଛି । ଅନ୍ୟପକ୍ଷରେ ରାସ୍ତା ସମସ୍ୟା ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପକୁମାର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ପର୍ଯ୍ୟାୟକ୍ରମେ ସମସ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ସମସ୍ୟା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତରାୟଙ୍କ ପ୍ରତିକ୍ରିୟା ହେଲା ଅପହଞ୍ଚ ଅଞ୍ଚଳର ଗର୍ଭବତୀମାନଙ୍କୁ ସ୍ଥାନୀୟ ଅଞ୍ଚଳର ମା’ ଗୃହରେ ରଖାଯିବାର ବ୍ୟବସ୍ଥା କରାଯାଉଛି, ଗାଁ ଗାଁରେ ସଚେତନତା ସୃଷ୍ଟି କରାଯାଉଛି ବୋଲି କହିଥିଲେ ।
