ବେଦବ୍ୟାସ : କଲୁଙ୍ଗା ଶିଳ୍ପାଞ୍ଚଳ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି । ଏହା ଅଞ୍ଚଳରେ ବିଷ ବଳୟ ସୃଷ୍ଟି କରୁଛି । ଏଠାରେ ଥିବା ବିଭିନ୍ନ କଳକାରଖାନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମର ଖୋଲା ଉଲ୍ଲଂଘନ କରୁଛନ୍ତି । ଯଦ୍ବାରା ଅଞ୍ଚଳବାସୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳରେ ଥିବା ଚାଷ ଜମି ନଷ୍ଟହେବା ସହ ପରିମଳ ବ୍ୟବସ୍ଥା ବି ସୀମା ଟପିଲାଣି । ଏମିତିକି ପୂର୍ବରୁ ଥିବା ଏକାଧିକ ଜଳଉତ୍ସ, ଜଳାଶୟ ପୋତି ହୋଇଗଲାଣି । ବିଡ଼ମ୍ବନା, ଏ ଦିଗକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଇଡ୍କୋ କର୍ତ୍ତୃପକ୍ଷ ଆଖିବୁଜି ଦେଇଛନ୍ତି ।
୧୯୮୧ ମସିହାରେ କଳୁଙ୍ଗା ଶିଳ୍ପାଞ୍ଚଳର ପ୍ରତିଷ୍ଠା କରାଯାଇଥିଲା । ଆଖପାଖ ଅଞ୍ଚଳରୁ ୭୦୦.୨୧୯ ଏକର ଜମି ଅଧିଗ୍ରହଣ କରି ଶିଳ୍ପାଞ୍ଚଳ ସ୍ଥାପିତ ହୋଇଥିଲା । ଉଦ୍ଦେଶ୍ୟ ଥିଲା, ଶିଳ୍ପକାରଖାନାର ପ୍ରତିଷ୍ଠା ସହ ସ୍ଥାନୀୟ ନିଯୁକ୍ତି, ରାଜସ୍ବ ବୃଦ୍ଧି ସମେତ ସ୍ଥାନୀୟ ଅଞ୍ଚଳର ସର୍ବାଙ୍ଗୀନ ବିକାଶ । ତେବେ ସ୍ଥାନୀୟ ଲୋକଙ୍କୁ ଚାକିରୀ, ସ୍ୱାସ୍ଥ୍ୟ, ଶିକ୍ଷା ଯୋଗାଇବାର ଯେଉଁ ପ୍ରଲୋଭନ ଦେଖାଯାଇଥିଲା; ତାହା ପରବର୍ତ୍ତୀ ସମୟରେ ପାଳନ କରାଗଲାନାହିଁ । ଶିଳ୍ପ କାରଖାନା ପ୍ରତିଷ୍ଠା ହେଲା କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯାଇଛି । କାରଖାନାରୁ ନିର୍ଗତ ଧୁଳିଧୂଆଁ, ବର୍ଜ୍ୟ ଜଳ, ବର୍ଜ୍ୟ ସାମଗ୍ରୀ ଯୋଗୁଁ ସ୍ଥାନୀୟ କଲୁଙ୍ଗା, ବଲଣ୍ଡା, ବେଦବ୍ୟାସ, ସ’ମିଲ, ଗର୍ଜନ ଆଦି ଗ୍ରାମବାସୀ ଅତିଷ୍ଠ ହେଲେଣି ।
କାରଖାନାରେ ଇଲେକ୍ଟ୍ରୋଷ୍ଟାଟିକ୍ ପ୍ରେସିପିଟାଟର୍(ଇଏସ୍ପି) ଖଞ୍ଜାଯାଉନି କି ରାସ୍ତାରେ ନିୟମିତ ପାଣି ସିଞ୍ଚନ ହେଉନି । ଫଳରେ ଧୂଳିଧୂଆଁରେ ଭର୍ତ୍ତି ହୋଇରହୁଛି ପରିବେଶ । ଏଠାରେ ନିର୍ଗତ ଚାରକୋଲକୁ ଖୋଲାରେ ଡମ୍ପିଂ କରାଯାଉଛି । ଯାହାକି ଏବେ କୁତ୍ରିମ ପାହାଡ଼ରେ ପରିଣତ ହେଲାଣି । ଏମିତିକି ଜଙ୍ଗଲ ଓ ପାହାଡ଼ରୁ ଆସୁଥିବା ବହୁ ଜଳଉତ୍ସଗୁଡ଼ିକ ପୋତି ହୋଇଗଲାଣି । ହାତଗଣତି ଯେଉଁ ଜଳାଶୟ ରହିଛି, ସେଠାକାର ପାଣି ସଂପୂର୍ଣ୍ଣକ୍ତ ବିଷାକ୍ତ ହୋଇପଡ଼ିଛି । ଶିଳ୍ପାଞ୍ଚଳରୁ ନିର୍ଗତ ଅଳିଆଆବର୍ଜନା, ବର୍ଜ୍ୟପାଣି ସିଧାସଳଖ ଚାଷ ଜମିରେ ପଡ଼ୁଛି; ଯଦ୍ବାରା ଏକର ଏକର ଚାଷଜମି ନଷ୍ଟ ହେଲାଣି । ଯାବତୀୟ ଅବ୍ୟବସ୍ଥା ଯୋଗୁଁ ସ୍ଥାନୀୟ ଲୋକ ବିଭିନ୍ନ ଚର୍ମ, ଶ୍ବାସ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏମାନଙ୍କ ଦୁର୍ଦ୍ଦଶା ବଢ଼ୁଛି ସିନା କମିବାର ନାଁ ନେଉନି । ଦୁର୍ଭାଗ୍ୟ ଏହା ଯେ, ଏନେଇ ସ୍ଥାନୀୟ ଲୋକ ବହୁବାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଇଡ୍କୋ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାତ୍ର ଶିଳ୍ପସଂସ୍ଥା ସହ ଭିତିରିଆ ସଲାସୁତୁରା ଯୋଗୁଁ ବିଭାଗୀୟ ଅଧିକାରୀ ଏ ଦିଗ ପ୍ରତି ଆଖିବନ୍ଦ କରିଦେଇଛନ୍ତି । ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।
