ରଥନିର୍ମାଣ ଆରମ୍ଭରୁ ବିଭ୍ରାଟ, ରଥ ଚକରେ ଏକାଧିକ ଫାଟ

ପୁରୀ : ମାସେ ପରେ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନରୁ ବଞ୍ଚିତ ଥିବା ଲକ୍ଷ ଲକ୍ଷ ଭକ୍ତ ରଥ ଉପରେ ଶ୍ରୀଜିଉଙ୍କୁ ଦେଖିବା ପାଇଁ ଆତୁର ସହ ଅପେକ୍ଷା କରି ରହିଛନ୍ତି । ଦୁଇବର୍ଷ ଯେହେତୁ ଭକ୍ତମାନେ ରଥଯାତ୍ରା ଦର୍ଶନରୁ ବଞ୍ଚିତ ଅଛନ୍ତି, ଚଳିତବର୍ଷ ବଡ଼ଦାଣ୍ଡରେ ଭକ୍ତଙ୍କ ସଂଖ୍ୟା ଦ୍ବିଗୁଣିତ ହେବ ବୋଲି ପ୍ରଶାସନ ଏବେଠୁ ଆକଳନ କରି ସାରିଲାଣି । ଏଭଳି ସ୍ଥିତିରେ ରଥ ନିର୍ମାଣରେ ଆରମ୍ଭରୁ ବ୍ରିଭାଟ ଦେଖାଦେଲାଣି । ଚଳିତବର୍ଷ ଦୁଇଗୁଣା ମଜୁରି ଦେଇ ରଥ ନିର୍ମାଣ କରାଯାଉଥିବା ବେଳେ ରଥ ଚକରେ ମାଳ ମାଳ ଫାଟ ଦେଖାଯିବା ପରେ ରଥଯାତ୍ରା ବେଳେ କିଛି ଅଘଟଣ ଘଟିବ କି ଏପରି ଏକ ଆଶଙ୍କା ଭକ୍ତଙ୍କ ମନରେ ବସାବାନ୍ଧିଲାଣି ।

ଗତ ୫ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରେ ବଡ଼ଦାଣ୍ଡ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଜୋରଦାର କରାଯାଇଛି । କେଉଁ ବର୍ଷ ଗୋଟିଏ ତ କେଉଁ ବର୍ଷ ଦେଢ଼ ମଜୁରି ଦେଇ ରଥ ନିର୍ମାଣ କାର୍ଯ୍ୟ କରାଯାଇଥାଏ । କିନ୍ତୁ ଚଳିତବର୍ଷ ପ୍ରଥମଥର ରଥ ନିର୍ମାଣ ସେବକଙ୍କୁ ଦୁଇଗୁଣା ମଜୁରି ଦେଇ ନିର୍ମାଣ କାର୍ଯ୍ୟ କରାଯାଉଛି । ଇତି ମଧ୍ୟରେ ରଥ ନିର୍ମାଣ କାମ ବି ଜୋରସୋରରେ ଆଗେଇ ଚାଲିଛି । ଯେଉଁଠି ଦୈନିକ ୯୦ ରୁ ଦେଢ଼ଶହ ଭିତରେ ରଥ ନିର୍ମାଣ ସେବକ ନିୟୋଜିତ ହେଉଥିଲେ, ସେଠି ଚଳିତ ବର୍ଷ ପ୍ରାୟ ୨ ଶହ ସେବକ ନିୟୋଜିତ ହେଉଛନ୍ତି । ଏଭଳି ସ୍ଥିତିରେ ରଥ ଚକରେ ଫାଟ ସୃଷ୍ଟି ହେବା, ସନ୍ଦେହ ସୃଷ୍ଟି କରିଛି । ଆଜି ସ୍ଥିତି ଅନୁଧ୍ୟାନ ବେଳେ ଦେଖିବାକୁ ମିଳିଛି ଯେ ଶ୍ରୀମନ୍ଦିର ସମ୍ମୁଖରେ ଯେଉଁ ଚକ ସବୁ ଅର, ପଇ ସଂଯୋଗ ପରେ ବିଲେଇ ବାଡ଼ିଆ, କଳସା କାମ ସରିଛି, ବଳା, ପନ୍ଦାରି ପିନ୍ଧା ସରିଛି, ସେଥିରେ ଏକାଧିକ ଫାଟ ରହିଛି । କେଉଁଠି ତୁମ୍ବରେ ଫାଟ ରହିଛି ତ କେଉଁ ଅର ଓ ପଇରେ ଫାଟ ରହିଛି । ଏକ ଅର ସମ୍ପୂର୍ଣ୍ଣ ଦୁଇଫାଳ ହୋଇଯାଇଥିବା ବେଳେ ଏକ ପଇ ବି ଦୁଇପାର୍ଶ୍ବରୁ ଫାଟ ରହିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ସମ୍ମୁଖରେ ରଖାଯାଇଥିବା ନାହାକା ଚକରେ ବି ଫାଟ ଦେଖିବାକୁ ମିଳିଛି । ନାହାକା ଚକର ଏକ ପଇ ଓ ଅରରେ ଫାଟ ରହିଛି ।

ନିୟମ ଅନୁଯାୟୀ, ରଥ ନିର୍ମାଣ ବେଳେ ଚକ, ଅଖ ସହ ଅନ୍ୟାନ୍ୟ କାଠରେ ଫାଟ ଓ ଅନ୍ୟାନ୍ୟ ତ୍ରୁଟି ଯାଞ୍ଚ ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି । ଏଥିରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ରହିଛନ୍ତି । ରଥ ନିର୍ମାଣ ଠିକ୍ ଭାବେ ହେଉଛି କି ନାହିଁ, ଏହା ଯାଞ୍ଚ କରିବାର ପ୍ରମୁଖ ଦାୟିତ୍ବ ହେଉଛି ପୂର୍ତ୍ତ ବିଭାଗ ର। କିନ୍ତୁ ରଥ ଚକରେ ସବୁ ଏଭଳି ଫାଟ ଦେଖାଯିବା, ଯାଞ୍ଚ ବ୍ୟବସ୍ଥାକୁ ନେଇ ଭକ୍ତ, ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମହଲରେ ସନ୍ଦେହ ସୃଷ୍ଟି କରିଛି । ଏ ସମ୍ପର୍କରେ ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, କାଠରେ ଫାଟ ରହିବ । ରଥ ନିର୍ମାଣ ବେଳେ ଏଭଳି ଫାଟ ସୃଷ୍ଟି ହୁଏ । କିନ୍ତୁ ଏହାର ମାନ ଯାଞ୍ଚ ପାଇଁ ଯନ୍ତ୍ରୀମାନେ ରହିଛନ୍ତି । ସେମାନେ ଯଦି ଯାଞ୍ଚ ପରେ ଚକ, ଅଖ ବା ଅନ୍ୟାନ୍ୟ ଅଂଶକୁ ପରିବର୍ତ୍ତନ ପାଇଁ କହିବେ, ତେବେ ପରିବର୍ତ୍ତନ କରାଯାଇ ନୂଆ ନିର୍ମାଣ ହେବ ବୋଲି ଶ୍ରୀ ମେକାପ କହିଛନ୍ତି ।

Leave a Reply

Your email address will not be published. Required fields are marked *