କନ୍ଧମାଳ : ଅଟୋରେ ମୃତଦେହ ରଖି ରାତି ତମାମ ଥାନା ସମ୍ମୁଖରେ ଧାରଣା । କନ୍ଧମାଳ ଜିଲ୍ଲା ଚକାପାଦ ଥାନା ସମ୍ମୁଖରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପୁଅକୁ ହତ୍ୟା କରି ଗଛରେ ଝୁଲେଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଏତଲା ଦେବାରୁ ଥାନା ପକ୍ଷରୁ ଏତଲା ଗ୍ରହଣ କରାଯାଉ ନଥିବାରୁ ପରିବାର ଲୋକେ ଧାରଣା ଦେଇଛନ୍ତି । ଚକାପାଦ ଥାନା ଅନ୍ତର୍ଗତ ଶିକଗୁଡା ଗ୍ରାମର ବିସିକେସନ ନାୟକଙ୍କ ୩୦ ବର୍ଷୀୟ ପୁଅ ସଞ୍ଜୟ ନାୟକ ଗତ ମେ ୯ ତାରିଖରୁ ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ଚକାପାଦ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।
ତେବେ ୨୪ ତାରିଖ ଅର୍ଥାତ ନିଖୋଜର ୧୫ ଦିନ ପରେ ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ସଞ୍ଜୟର ମୃତଦେହ ଉଦ୍ଧାର ହୋଇଥିଲା । ଚକାପାଦ ପୋଲିସ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ କଲେଜକୁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତଦେହ ଆଣି ପରିବାର ଲୋକେ ଥାନା ସମ୍ମୁଖରେ ରଖି ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି କିଛି ଲୋକଙ୍କ ନାମରେ ଏତଲା ଦେଇଥିଲେ । ଥାନା ପକ୍ଷରୁ ଏତଲା ଗ୍ରହଣ ନ କରାଯିବାରୁ ଗତ ସନ୍ଧ୍ୟାରୁ ରାତି ତମାମ ଶବ ରଖି ଥାନା ସମ୍ମୁଖରେ ବସି ରହିଛନ୍ତି ପରିବାର ଲୋକେ ।
