ଯାଜପୁର : ଯଯାତି କେଶରୀଙ୍କ ସ୍ମୃତିରକ୍ଷା ପାଇଁ ତାଙ୍କର ଏକ ପ୍ରତିମୂର୍ତ୍ତି ଯାଜପୁର ସହରରେ ସ୍ଥାପନ ପାଇଁ ଯୋଜନା ହୋଇଥିଲା । ଏଥିପାଇଁ ୪ ବର୍ଷ ପୂର୍ବରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅର୍ଥ ବ୍ୟବସ୍ଥା କରିଥିଲେ । ଏଭଳି କି ଗତବର୍ଷ ଦ୍ବିତୀୟ ପର୍ଯ୍ୟାୟ ଅର୍ଥ ମଞ୍ଜୁର କରିଥିଲେ । ହେଲେ ଏହି ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରି ନଥିଲା । ଏଭଳି କି ମୂର୍ତ୍ତି କେଉଁଠି ? କେଉଁ ଅବସ୍ଥାରେ ଅଛି ଜିଲ୍ଲା ପର୍ଯ୍ୟଟନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ସୂଚନା ଦେଇପାରୁ ନଥିଲେ । ଖବର ପ୍ରକାଶନ ପରେ ଏହାର ସଠିକ୍ ଠିକଣା ମିଳିଯାଇଛି । ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ଭୁବନେଶ୍ବରରେ ଗଢ଼ା ଚାଲିଛି । ଶିଳ୍ପୀଗୁରୁ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଏହି ପ୍ରତିମୂର୍ତ୍ତି ନିର୍ମାଣ କରୁଥିବା ଜଣାପଡିଛି ।

ସୂଚନା ଅଧିକାର ତଥ୍ୟ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ଯଯାତିକେଶରୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହାପରେ ୨୦୨୧-୨୨ରେ ୮୬ ଲକ୍ଷ ୮୨ ହଜାର ଟଙ୍କା ଯୋଗାଇଥିଲେ । ହେଲେ ଏହି ପ୍ରତିମୂର୍ତ୍ତି କେଉଁଠି ଅଛି ସେ ସଂପର୍କରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଜ୍ଞ ଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରଥମେ ମୁହଁ ଖୋଲି ନଥିଲା । ମିଳିଥିବା ସୂଚନା ଅନୁସାରେ କେବଳ ରାଜା ଯଯାତିକେଶରୀ ନୁହନ୍ତି ଏହା ସହ ୧୧ ଜଣ ବ୍ରାହ୍ମଣଙ୍କ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ ସରିଛି । ଯାହାକି ରାଜାଙ୍କ ପାର୍ଶ୍ବରେ ରହିବ । ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର ଜୟଦେବ ବିହାର ନିକଟ ସୁଦର୍ଶନ ଆଟ ଆଣ୍ଡ କ୍ରାପ୍ଟ ଅନୁଷ୍ଠାନର କାରିଗରଙ୍କ ଦ୍ବାରା ଏହା ନିର୍ମାଣ ଚାଲିଛି । କାମ ଶେଷ ହେବାକୁ ଆଉ ଦେଢ଼ ମାସ ସମୟ ଲାଗିବ ବୋଲି ଶିଳ୍ପୀ ଶ୍ରୀ ସାହୁ କହିଛନ୍ତି । ସମସ୍ତ ମୂର୍ତ୍ତି ବ୍ରୋଞ୍ଚ ଧାତୁରେ ନିର୍ମାଣ କରାଯାଉଛି । ଘୋଡ଼ା ଉପରେ ବସିଥିବା ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ସାଢ଼େ ୧୧ ଫୁଟ ରହିଥିବା ବେଳେ ୧୧ ଜଣ ବ୍ରାହ୍ମଣଙ୍କ ମୂର୍ତ୍ତିର ଉଚ୍ଚତା ୬ ଫୁଟ ରହିଛି ।
ଏ ନେଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ଯାଜପୁର ସହରର ପ୍ରବେଶପଥ ଖୋଖନା ସ୍ଥିତ ସଠେଇ ପୋଖରୀଠାରେ ଏକ ପର୍ଯ୍ୟଟନ ହବ ନିର୍ମାଣ ହେବାକୁ ଯାଉଛି । ଯେଉଁଠାରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଶ୍ରୀ ରାଠୋର କହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ସୂଚନା ଅଧିକାର ତଥ୍ୟକୁ ନେଇ ପ୍ରତିମୂର୍ତ୍ତି ସଂପର୍କରେ ଖୋଳତାଡ଼ ବେଳେ ସମସ୍ତେ ନିରବ ରହିଥିଲେ । ପର୍ଯ୍ୟଟନ ବିଭାଗ ଅଧିକାରୀ ଅର୍ଥ ଆସିଛି; ପ୍ରତିମୂର୍ତ୍ତି ଦାୟିତ୍ବ ଜିଲ୍ଲା ପ୍ରଶାସନ ନେଇଛି କହିଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ମୁହଁ ଖୋଲି ନଥିଲେ । ଜିଲ୍ଲାରେ ଅନେକ ପ୍ରକଳ୍ପ ଗୋପନରେ ଚାଲିଛି । ନିଜ ବିଭାଗର କାମ ସଂପର୍କରେ ସେହି ବିଭାଗର ଅଧିକାରୀଙ୍କ ନିକଟରେ ସାମାନ୍ୟତମ ସୂଚନା ରହୁନି । ବିଭାଗଗୁଡ଼ିକ ମଧ୍ୟରେ ତାଳମେଳର ଅଭାବ ସହ ଅଧିକାରୀମାନେ ଚାପରେ ପଡ଼ି ସତ ଉଗାଳିବାକୁ ସାହସ ଜୁଟାଇ ପାରୁନଥିବା ଜଳଜଳ ଦିଶୁଛି ।
