ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଭୂମିବାକୁ କଡ଼ା ଭାଷାରେ ନିନ୍ଦା କଲେ ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ । କହିଲେ ମହାନଦୀ ଶୁଷ୍କ ହୋଇ ପଡ଼ିଛି । ମାଆ ଆଖିରୁ ଲୁହ ଝରୁଛି । ଏପରି ସମୟରେ ମହାନଦୀକୁ ମା କହିଥିବା ମୁଖ୍ୟମନ୍ତ୍ରୀ କୁଆଡ଼େ ଗଲେ । ସେ ଆହୁରି କହିଛନ୍ତି ବିଜେଡ଼ି ପାଇଁ ମହାନଦୀ ଜୀବନ ରେଖା ନୁହେଁ ଭୋଟ ରେଖା । ଏ ସରକାର ଚାଷୀ ବିରୋଧି । ସରକାରଙ୍କ ମନୋମୁଖି କାର୍ଯ୍ୟ ବିରୋଧରେ ଆସନ୍ତାକାଲି ସୁଖୋସୋଡା ଗାଁ ରୁ ସରକାରଙ୍କୁ ଜବାବ ମାଗିବ ଦଳ ।

୫ ବର୍ଷ ତଳେ ମହାନଦୀକୁ ପ୍ରସଙ୍ଗ କରି ଯେଉଁ ବିଜେଡି ନେତା ତୁମ୍ବିତୋଫାନ କରିଥିଲେ ସେହି ନେତାଙ୍କ ମୁହଁରେ ଏବେ ତୁଣ୍ଡି । କୋର୍ଟ ବାହାନା ଦେଖାଇ ଖସି ଯାଉଛନ୍ତି ବିଜେଡିର ବଡ ନେତା । ଯାହାକୁ ନେଇ ଶାସକ ବିଜେଡି ଓ କଂଗ୍ରେସକୁ ଗତକାଲି ଟାର୍ଗେଟ୍ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଥିଲେ, ମହାନଦୀ ପ୍ରସଙ୍ଗରେ ୫ ବର୍ଷ ପୂର୍ବେ କୁମ୍ଭୀରକାନ୍ଦଣା କାନ୍ଦୁଥିବା ବିଜେଡି ଏବେ ଚୁପ୍ ।  ମହାନଦୀ ବିବାଦ ଦଳୀୟ ପ୍ରସଙ୍ଗରେ ସୀମିତ ନଥିବାବେଳେ କ୍ଷୁଦ୍ରମନା ବିଜେଡି ଏହାକୁ ରାଜନୈତିକ ପ୍ରସଙ୍ଗ କରିଥିଲା । ବିବାଦର ସମାଧାନ କରିବାକୁ ହେଲେ ଓଡ଼ିଶାର ସ୍ବର ଏକହେବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଟ୍ରିବ୍ୟୁନାଲରେ ଗଡୁଛି ମହାନଦୀ ମହାବିବାଦ। ସମୟ ଗଡିବା ସହ ଚାଷୀଙ୍କ ଚିନ୍ତା ବଢୁଛି । କାରଣ ଏପଟେ ଶୁଖିଲା ମହାନଦୀ । ଛତିଶଗଡ ପଟେ ମହାନଦୀରେ ପାଣି ଲହଡି ମାରୁଥିବା ବେଳେ ଓଡ଼ିଶା ପଟେ ଖାଲି। ଶୁଖାସୋଡା ନିକଟରେ ପୂରା ଶୁଖିଲା ମହାଦନୀ । କେବଳ ମହାନଦୀ ନୁହେଁ ଏହାର ଶାଖା ନଦୀ ମଧ୍ୟରେ ମଧ୍ୟ ପାଣି ନାହିଁ । ବଡ ନଦୀକୁ ବଡ ବିପଦ ଆଶଙ୍କା କରିଛନ୍ତି ଚାଷୀ ।

ବଡନଦୀକୁ ବଡ ନିର୍ବାଚନୀ ପ୍ରସଙ୍ଗ କରିଥିଲା ବିଜେଡି । ମହାନଦୀ ବଞ୍ଚାଓ ଆନ୍ଦୋଳନ ସହ ମୌସୁମୀ ସମୟରେ ସମୁଦ୍ରକୁ ବୋହିଯାଉଥିବା ଜଳର ସୁରକ୍ଷା ପାଇଁ ତଳମୁଣ୍ଡରେ ୭ ବ୍ୟାରେଜ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ମହାନଦୀ ପଠାର ସୁରକ୍ଷା ପାଇଁ ଆରମ୍ଭ ହୋଇଥିଲା ଗ୍ରୀନ ମହାନଦୀ ମିଶନ । ସବୁ କିଛି ଏବେ ଶୀତଳଭଣ୍ଡାରରେ । ଏମିତି କି ବ୍ୟାରେଜ ପାଇଁ ଜାଗା ଚିହ୍ନଟ କରିପାରିନାହାନ୍ତି ରାଜ୍ୟ ସରକାର । ବଡ ପ୍ରଶ୍ନ,  କୁଆଡେ ଗଲା ମହାନଦୀକୁ ମାଆ ସମ୍ବୋଧନ ? ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢେଇ ସତ ଥିଲା ନା ନାଟକ ?

Leave a Reply

Your email address will not be published. Required fields are marked *