ଭୁବନେଶ୍ୱର : ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଅହୋରାତ୍ର ଧାରଣାରେ ନର୍ସିଂ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ବିଏସସି ନର୍ସିଂ ବିଭାଗ ଛାତ୍ରଛାତ୍ରୀ ୪ର୍ଥ ଥର ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ଚଣ୍ଡିଖୋଲ ଠାରେ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ୨ ବର୍ଷ ହେବ ବିଏସସି ନର୍ସିଂ କୋର୍ସ ଆରମ୍ଭ ହୋଇଛି ।
ତେବେ ଏଠାରେ ଭିତ୍ତିଭୂମିର ଅଭାବ ଥିବା ଦେଖିବାକୁ ମିଳିଛି । କେବଳ ୩ ଜଣ ଷ୍ଟାଫ ଥିବାରୁ କ୍ଲାସ ମଧ୍ୟ ନିୟମିତ ହେଉନାହିଁ । ସେହିପରି ଲାଇବ୍ରେରୀ, ହଷ୍ଟେଲ ଓ ଖାଇବା ପିଇବା ସୁବିଧାରୁ ମଧ୍ୟ ଛାତ୍ରଛାତ୍ରୀମାନେ ବଞ୍ଚିତ ହେଉଛନ୍ତି । ଏନେଇ ଭିସି ଅଫିସ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଅହୋରାତ୍ର ଧାରଣା ଦେଇଛନ୍ତି । ପ୍ରତିଶ୍ରୁତି ପୂରଣ ନହେବା ଯାଏ ଧାରଣା ପ୍ରତ୍ୟାହୃତ ହେବନାହିଁ ବୋଲି ଚେତାବନୀ ଦିଆଯାଇଛି ।
