ପୁରୀ : ଆଜି ଜଣେ ସେବାୟତଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି । ନିହତ ସେବାୟତ ହେଉଛନ୍ତି ଶିବରାମ ପାତ୍ର । ଶିବରାମ ନିଜ ବାଇକ୍ରେ ବସି ଫୋନ୍ରେ କଥା ହେଉଥିବା ବେଳେ ତାଙ୍କ ମୁଣ୍ଡକୁ ଟାର୍ଗେଟ କରି ଗୁଳି କରାଯାଇଛି । ତାଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ତା’ ଠାରୁ ପିସ୍ତଲ ଜବତ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ହରଚଣ୍ଡୀସାହି ନିକଟ ତଳୁଚ୍ଛସାହିର ଶିବରାମ ପାତ୍ର ଆଜି ରାତି ପ୍ରାୟ ୯ଟା ସମୟରେ ବାଇକ୍ରେ ବସି ମୋବାଇଲ୍ ଫୋନ୍ରେ କଥା ହେଉଥିଲେ । ଏହି ସମୟରେ ହଠାତ ସେଠାରେ ତଳୁଚ୍ଛସାହିର ଚନ୍ଦନ ବାରିକ ଅନ୍ୟ ଜଣକ ସହିତ ଏକ ବାଇକ୍ରେ ଆସି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରିଥିଲା । ପ୍ରାୟ ଚାରି ରାଉଣ୍ଡ ଗୁଳି ଫୁଟାଇଥିବା ବେଳେ ଦୁଇଟି ଗୁଳି ଶିବରାମଙ୍କ ମୁଣ୍ଡରେ ବାଜିଥିଲା । ଗୁଳିମାଡ଼ରେ ଶିବରାମ ଟଳିପଡ଼ିଥିଲେ । ପୁଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପଟେ ଶ୍ରୀମନ୍ଦିର ସମ୍ମୁଖରେ ଗୁଳିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ପୁଲସ ଅଧିକାରୀ ପଞ୍ଚିଥିଲେ । ମୁଖ୍ୟ ଅଭିଯୁକ୍ତ ତଳୁଚ୍ଛସାହିର ଚନ୍ଦନ ବାରିକ(୨୧)କୁ ପୁଲିସ ଧରିଛି । ତା’ ନିକଟରୁ ପିସ୍ତଲ ଓ ଦୁଇଟି ଗୁଳି ଜବତ କରିଛି । ଏହି ହତ୍ୟାକାଣ୍ଡ ପଛରେ ପ୍ରେମ ବ୍ୟାପାର ରହିଥିବା ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି । ପୁଲିସ କହିଛି ଯେ ହତ୍ୟା ଅଭିଯୁକ୍ତ ଚନ୍ଦନ ବାରିକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା । ସମ୍ପୃକ୍ତ ଯୁବତୀଙ୍କ ସମ୍ପର୍କୀୟ ଶିବରାମ ଏହାକୁ ବିରୋଧ କରୁଥିଲେ । ଏହା ଚନ୍ଦନ ଜାଣିବା ପରେ ତା’ର ଶିବରାମଙ୍କ ଉପରେ ରାଗ ରହିଥିଲା । ଆଜି ସେ ଫୋନ୍ରେ କଥା ହେଉଥିବା ବେଳେ ହଠାତ ସେଠାରେ ଚନ୍ଦନ ପହଞ୍ଚି ଗୁଳି କରି ହତ୍ୟା କରିଛି । ପୁଲିସ ତାକୁ ପଚରାଉଚରା କରୁଛି । ପଚରାଉଚରା ସମୟରେ ପ୍ରେମ ସମ୍ପର୍କରେ ବାଧା ଦେବାକୁ ନେଇ ଶିବରାମକୁ ହତ୍ୟା କରିଥିବା ନେଇ ଚନ୍ଦନ ସୂଚନା ଦେଇଥିବା ଜଣାପଡ଼ିଛି । ତେବେ ହତ୍ୟାକାଣ୍ଡ ପରେପୁରୀ ସହରରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି ।
