ଭୁବନେଶ୍ବର : ରାଜ୍ୟରେ ୨୬ ଜଣ ହ୍ୟାଣ୍ଡ, ଫୁଟ୍, ମାଉଥ୍ ଡିଜିଜ୍ ବା ଏଚ୍ଏଫ୍ଏମ୍ଡି ରୋଗୀ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଅଧିକ ସତର୍କ ହୋଇଛି । ଆରଏମ୍ଆରସିକୁ ଯେଉଁସବୁ ଜିଲ୍ଲାରୁ ସନ୍ଦିଗ୍ଧଙ୍କ ନମୁନା ପଠାଯାଇଥିଲା ଏବେ ଆକ୍ରାନ୍ତ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା କ’ଣ ରହିଛି ତାହା ଜଣାଇବାକୁ କୁହାଯାଇଛି । ଏହି ଭିତ୍ତିରେ କଟକ, ଖୋର୍ଧା, ପୁରୀ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି ।
ବିଭାଗ ପକ୍ଷରୁ କୁହାଯାଇଛି ଯେ ପଜିଟିଭ୍ ଚିହ୍ନଟ ହୋଇଥିବା ଶିଶୁମାନେ ଏବେ କେଉଁଠି ରହିଛନ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କି ସୁସ୍ଥ ହୋଇ ଘରକୁ ପଳାଇଛନ୍ତି । ଏହାସହ ଯେଉଁ ଶିଶୁମାନେ ଏଚ୍ଏଫ୍ଏମ୍ଡି ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉ । ଯାହା ଫଳରେ ସେମାନଙ୍କ ପରିବାରରେ ଅନ୍ୟ କେହି ଏଥିରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ବିଭାଗ ପକ୍ଷରୁ ଉଲ୍ଲେଖ ରହିଛି । ଅପରପକ୍ଷରେ ଗତକାଲି ଯେଉଁ ୨୬ ଜଣ ଶିଶୁ ଏଚ୍ଏଫ୍ଏମ୍ଡି ରୋଗରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା ସେମାନଙ୍କ ନମୁନାକୁ ପୁନେସ୍ଥିତ ଏନ୍ଆଇଭିକୁ ସେରୋ ଟାଇପିଂ ପାଇଁ ପଠାଯାଇଛି । ଯାହା ଫଳରେ ରାଜ୍ୟରେ ଏଚ୍ଏଫ୍ଏମ୍ଡିର କେଉଁ ଗ୍ରୁପ୍ଟି ସଂକ୍ରମଣ କରିବାରେ ସକ୍ରିୟ ରହିଛି ତାହା ସଂପର୍କରେ ସ୍ପଷ୍ଟ ହୋଇପାରିବ । ଖୁବଶୀଘ୍ର ଏହା ସଂପର୍କିତ ରିପୋର୍ଟ ଆସିବ ବୋଲି ସୂଚନା ଦେଇଛନ୍ତି ଆରଏମ୍ଆରସି ନିର୍ଦେଶିକା ଡା.ସଂଘମିତ୍ରା ପତି । ରାଜ୍ୟରେ ଶିଶୁମାନଙ୍କ ମଧ୍ୟରେ ଏଚ୍ଏଫ୍ଏମ୍ଡି ରୋଗ ବଢ଼ୁଥିବା ଆଶଙ୍କା କରାଯାଉଛି । ଲଗାତାର ଭାବେ ହସ୍ପିଟାଲଗୁଡ଼ିକୁ ଏଭଳି ସନ୍ଦିଗ୍ଧ ଚିକିତ୍ସା ପାଇଁ ଆସୁଛନ୍ତି । ଆଜି କଟକରୁ ଆଉ ୬ ପରୀକ୍ଷା ପାଇଁ ଆରଏମ୍ଆରସିକୁ ପଠାଯାଇଥିବା ସୂଚନା ମିଳିଛି । ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ ସନ୍ଦିଗ୍ଧମାନଙ୍କ ନମୁନା ପଠାଇବାକୁ ନିର୍ଦେଶ ଦିଆଯାଇଥିଲା । ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ହାଡ଼ଫୁଟି, ମିଳିମିଳା ହେଲେ ଯେପରି ରୋଗୀମାନଙ୍କୁ ଆଇସୋଲେଟ୍ କରି ରଖାଯାଇ ଚିକିତ୍ସା କରାଯାଏ, ଏହି ରୋଗରେ ବି ସମାନ ଚିକିତ୍ସା ପଦ୍ଧତି ଆପଣାଇବା ଦରକାର । ରୋଗୀକୁ ଆଇସୋଲେସନ୍ରେ ରଖିଲେ ତାହା ଜଣଙ୍କ ଭିତରେ ସୀମିତ ରହିବ ଓ ରୋଗୀଟି ୩-୭ ଦିନ ଭିତରେ ଭଲ ହୋଇପାରିବ । ଏହି ରୋଗର ଚିକିତ୍ସା ପାଇଁ କୌଣସି ସ୍ବତନ୍ତ୍ର ଔଷଧ ବା ଟିକା ନାହିଁ । ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ । ଏହି ରୋଗକୁ ନେଇ ଭୟଭୀତ ହେବାର କିଛି ନାହିଁ । ଏପରି ଲକ୍ଷଣ ଥିବା ରୋଗୀଙ୍କୁ ହସ୍ପିଟାଲର ବହିର୍ବିଭାଗକୁ ଆସିଲେ ସେମାନଙ୍କ ନମୁନା ପରୀକ୍ଷା ପାଇଁ ନିର୍ଦେଶ ଦିଆଯାଇଛି । ଏହାସହ କମ୍ୟୁନିଟି ସର୍ଭେଲାନ୍ସ ଉପରେ ନଜର ରଖାଯାଇଥିବା ଡା.ମହାପାତ୍ର କହିଛନ୍ତି ।
ଉଲ୍ଲେଖ ଯେ ଦେଶର କିଛି ରାଜ୍ୟରେ ଶିଶୁଙ୍କଠାରେ ନାଲି ଫୋଟକାଜନିତ ରୋଗ ଦେଖାଯିବା ପରେ ଏହାକୁ ଟମାଟୋ ଫ୍ଲୁ ନେଇ ଚର୍ଚା ହୋଇଥିଲା । ଓଡ଼ିଶାରେ ଏହି ରୋଗ ଅଛି ନା ନାହିଁ ଓ ଏଚ୍ଏଫ୍ଏମ୍ଡି ରୋଗ ସହିତ ଏହାର କ’ଣ ସାମଞ୍ଜସ୍ୟ ରହିଛି ତାହା ଜାଣିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିବା ସହିତ କିଭଳି ଢଙ୍ଗରେ ସନ୍ଦିଗ୍ଧ ନମୁନା ପଠାଇବାକୁ ହେବ ତାହା ସଂପର୍କରେ ଏହା ଗାଇଡଲାଇନ୍ ମଧ୍ୟ ଜାରି ହୋଇଥିଲା । ନିକଟରେ ଆରଏମ୍ଆରସିକୁ ୩୬ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ତହିଁରୁ ୨୬ ଜଣ ଏଚ୍ଏଫ୍ଏମ୍ଡିରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା ।
