ଭଦ୍ରକ : ଭଦ୍ରକ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଅବ୍ୟବସ୍ଥିତ ଭାବେ ଚାଲିଛି । ଜିଲ୍ଲାର ୬୦ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ରର ଘର ନଥିବାରୁ କିଛି କେନ୍ଦ୍ର ଲୋକଙ୍କର ଘରେ ତ ପୁଣି ଆଉ କିଛି କେନ୍ଦ୍ର ସ୍କୁଲ ବାରଣ୍ଡାରେ ଚାଲିଛି । ଭଦ୍ରକ ଜିଲ୍ଲାରେ ଆଇସିଡିଏସ ଯୋଜନାରେ ଚାଲିଥିବା ଅନେକ ଅଙ୍ଗନବାଡି କେନ୍ଦ୍ରର ସ୍ଥାୟୀ ପକ୍କା ଘର ନଥିବା ବେଳେ କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଣରେ ମଧ୍ୟ ଅଚଳାବସ୍ଥା ଲାଗିରହିଛି ।
ସୂଚନା ଅନୁସାରେ, ଗତ ତିନିମାସ ହେବ ସିଡିପିଓଙ୍କ ଅଫିସ୍ରେ ଗ୍ୟାସ ସଂଯୋଗ ଟଙ୍କା ଆସି ପଡ଼ିରହିଛି । ସେପଟେ କିନ୍ତୁ ଅସ୍ବାସ୍ଥ୍ୟକର ପରିବେଶରେ ଜିଲ୍ଲାର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ କାଠଚୁଲିରେ ରୋଷେଇ କରି ଶିଶୁମାନଙ୍କୁ ଖାଦ୍ୟ ଦିଆଯାଉଛି । କାଠ କିମ୍ବା କୋଇଲା ବ୍ୟବହାର ନକରିବା ପାଇଁ ସରକାର ଗତ ଫେବ୍ରୁଆରି ୨୮ ତାରିଖରୁ ଗାଇଡଲାଇନ୍ ଜାରି କରିବା ସହ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ପ୍ରତି କେନ୍ଦ୍ରକୁ ରନ୍ଧନ ଗ୍ୟାସ୍ ଯୋଗାଣ କରିବାକୁ ନିର୍ଦ୍ଦେଶ ଦେବା ସହ ଅର୍ଥ ମଧ୍ୟ ମଞ୍ଜୁର କରିଥିଲେ । ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ମାର୍ଚ୍ଚ ୨୦ ତାରିଖରେ ଜିଲ୍ଲାରେ ଥିବା ୮ଟି ଆଇସିଡିଏସର ସିଡିପିଓମାନଙ୍କ ଆକାଉଣ୍ଟକୁ ଏଲ୍ପିଜି ସଂଯୋଗ ପାଇଁ ପ୍ରଥମ ଦଫାରେ ୧ କୋଟି ୮୨ ଲକ୍ଷ ୬୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା ।
ଡବଲ ସିଲିଣ୍ଡରଯୁକ୍ତ ଏଲପିଜି ସଂଯୋଗ ଲାଗି ପ୍ରତି ଅଙ୍ଗନବାଡି କେନ୍ଦ୍ର ପିଛା ୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲା । ଜିଲ୍ଲାରେ ମୋଟ ୨ ହଜାର ୪୩୫ଟି ଅଙ୍ଗନବାଡି କେନ୍ଦ୍ରକୁ ଏଲପିଜି ସଂଯୋଗ ପାଇଁ ଏହି ଅର୍ଥ ମଞ୍ଜୁର ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ଅନେକ କେନ୍ଦ୍ରକୁ ଗ୍ୟାସ୍ ସଂଯୋଗ କରାଯାଇନାହିଁ । ଚାନ୍ଦବାଲି ବ୍ଲକରେ ମୋଟ ୫୬୧ଟି କେନ୍ଦ୍ର ରହିଥିବା ବେଳେ ଭଦ୍ରକ ବ୍ଲକରେ ୪୫୦ଟି କେନ୍ଦ୍ର ରହିଛି । ବାସୁଦେବପୁର ବ୍ଲକରେ ୪୨୨ କେନ୍ଦ୍ର, ଧାମନଗର ବ୍ଲକରେ ୩୫୩, ତିହିଡି ବ୍ଲକରେ ୩୦୪, ଭଣ୍ଡାରିପୋଖରୀ ବ୍ଲକରେ ୨୪୦, ବନ୍ତ ବ୍ଲକରେ ୨୩୮ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଏହିସବୁ କେନ୍ଦ୍ରକୁ ତୁରନ୍ତ ଏଲପିଜି ସଂଯୋଗ ପାଇଁ ଦାବି ହୋଇଛି ।
ଏ ସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ପଚାରିବାରୁ ଏବେ ସୁଦ୍ଧା ୧୪ ଶହରୁ ଊର୍ଦ୍ଧ୍ବ ଅଙ୍ଗନବାଡି କେନ୍ଦ୍ରକୁ ରନ୍ଧନ ଗ୍ୟାସ୍ ଯୋଗାଣ କରାଯାଇଥିବା କହିଛନ୍ତି । ଖୁବ୍ଶୀଘ୍ର ଅନ୍ୟ କେନ୍ଦ୍ରଗୁଡ଼ିକୁ ମଧ୍ୟ ଗ୍ୟାସ୍ ସଂଯୋଗ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
