ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରରାମାଞ୍ଚଳ ଥାନା ହାଟବାଦଡାରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ମୃତବ୍ୟକ୍ତି ହେଲେ ପଶ୍ଚିମବଙ୍ଗ କମ୍ବାଲି ଥାନା ଅଞ୍ଚଳର ଜାମୁସ ଅଲ୍ଲୀ । ହାଟବାଦଡାରେ ଗୋରୁ ହାଟ ବସେ । ସେଠାକୁ ପଶ୍ଚିମବଙ୍ଗ ଅଞ୍ଚଳର ଅନେକ ବ୍ୟବସାୟୀ ଗୋରୁ କିଣିବା ପାଇଁ ଆସନ୍ତି । ବୁଧବାର ସକାଳ ପ୍ରାୟ ୭ଟାରେ ହାଟବାଦଡା ଗୋରୁ ହାଟରେ ବ୍ୟବସାୟ ଚାଲିଥିବାବେଳେ ହଠାତ ୪ ଜଣ ଦୁର୍ବୃତ୍ତ ୨ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିଲେ । ସେମାନଙ୍କ ନିକଟରେ ଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟ କରିଛନ୍ତି । ପ୍ରାୟ ୩ ରାଉଣ୍ଡ ଗୁଳି କରିଥିବା ଜଣାପଡିଛି । ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଗୁଳିମାଡ ପରେ ସମ୍ପୃକ୍ତ ବ୍ୟବସାୟୀ ତଳେ ପଡିଯାଇଥିଲେ । ଗୁଳିଟି ତାଙ୍କ ଛାତିରେ ବାଜିଥିବା ଅନୁମାନ କରାଯାଉଛି ।
ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟବସାୟୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ବ୍ୟକ୍ତି ଜଣକଙ୍କୁ ଗୁଳି ବାଜି ନଥିବାରୁ ସେ ରକ୍ଷା ପାଇଯାଇଛନ୍ତି । ଅତ୍ୟଧିକ ରକ୍ତଶ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରୁଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।
