ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଡାକ୍ତର ଅଭାବ ତଥା ବଦଳିକୁ ନେଇ ଗତ କିଛିଦିନ ହେବ ରାଜନୀତି ଜୋର ଧରିିଛି । ସହରର ଅଧିକାଂଶ ସାମାଜିକ ସଙ୍ଗଠନ ସହ ବିରୋଧୀ ଦଳ, ଗଣମାଧ୍ୟମ ପ୍ରତିନିଧି ଓ ଶେଷରେ ଶାସକ ଦଳ ପ୍ରତିନିଧିଙ୍କ ବାକ୍ୟବାଣକୁ ନେଇ ପ୍ରସଙ୍ଗଟି ସରଗରମ ହୋଇପଡ଼ିଛି । ଦିନକୁ ଦିନ ଜନଅସନ୍ତୋଷ ବଢୁଥିବା ଦେଖି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏମକେସିଜିରେ ଖାଲି ଥିବା ଡାକ୍ତର ପଦ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଇଛି ।
ଏମକେସିଜିରୁ ଗତ କିଛି ମାସ ଭିତରେ ୩୦ରୁ ଅଧିକ ବରିଷ୍ଠ ତଥା ଅଭିଜ୍ଞ ଡାକ୍ତରଙ୍କ ବଦଳିକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଡାକ୍ତରଙ୍କୁ ପଦୋନ୍ନତି ହେଉ କିମ୍ବା ବଦଳି ପ୍ରକିୟାରେ ଏମକେସିଜିରୁ ଅନ୍ୟ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି । ଡାକ୍ତର ବଦଳିରେ କାହାର ଆପତ୍ତି ନାହିଁ, ହେଲେ ତା’ର ପ୍ରତିବଦଳରେ ମାତ୍ର ୧୦ ପ୍ରତିଶତ ଡାକ୍ତର ହିଁ ଏମକେସିଜିକୁ ଆସିଛନ୍ତି । ସେହିପରି ପୂର୍ବରୁ ଏମକେସିଜିର ଏକାଧିକ ବିଭାଗରେ ଖୁବ କମ ସଂଖ୍ୟକ ଡାକ୍ତର କାର୍ଯ୍ୟ କରୁଛନ୍ତି । ବାରମ୍ବାର ଡାକ୍ତର ବଦଳିକୁ ନେଇ ବ୍ରହ୍ମପୁରବାସୀ ସହଜରେ ଗ୍ରହଣ କରିପାରି ନାହାନ୍ତି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଫେରାଲ ହସପିଟାଲ କୁହାଯାଉଥିବା ଏହି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଉପରେ ଗଞ୍ଜାମ, ଗଜପତି, କନ୍ଧମାଳ ଜିଲାର ରାଗୀ ସିଧାସଳଖ ନିର୍ଭରଶୀଳ । ପଡୋଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଏବଂ ପୁରୀ ଜିଲାର ରୋଗୀ ମଧ୍ୟ ପ୍ରତ୍ୟେକ ଦିନ ଏଠାକୁ ଆସୁଛନ୍ତି । ଏଭଳି ସ୍ଥିତିରେ ପର୍ଯ୍ୟାପ୍ତ ଡାକ୍ତର ରହିବା ଜରୁରୀ । ହେଲେ ରାଜ୍ୟରେ କେନ୍ଦୁଝର ଓ ସୁନ୍ଦରଗଡ ଭଳି ଜିଲାରେ ନୂତନ ମେଡିକାଲ କଲେଜ ଖୋଲିବା ପରେ ରାଜ୍ୟ ସରକାର ଏମକେସିଜିରୁ ବରିଷ୍ଠ ଡାକ୍ତରଙ୍କୁ ବଦଳି କରି ନେଇ ଯାଉଛନ୍ତି । ଯାହା ଅସନ୍ତୋଷର ମୁଖ୍ୟ କାରଣ । ଡାକ୍ତର ବଦଳି ପ୍ରତିବାଦରେ ମାନବ ଅଧିକାର ସୁରକ୍ଷା ମଞ୍ଚ, ଭାରତୀୟ ବିକାଶ ପରିଷଦ ଭଳି ସାମାଜିକ ଅନୁଷ୍ଠାନ ପୃଥକ ଓ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିସାରିଛନ୍ତି । ସେହିପରି ବ୍ରହ୍ମପୁର ସହରର ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ୪ ଦିନ ଧରି ଡାକ୍ତରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତପୂର୍ଣ୍ଣ ଭାବେ ପ୍ରତୀକ ଧାରଣା ଦେଇଥିଲେ । ଏହାପରେ ଗଞ୍ଜାମ ଜିଲା ବିଜେପି ପକ୍ଷରୁ ୧୭ ରୁ ୧୯ ତାରିଖ ଯାଏଁ ଏମକେସିଜି ସମ୍ମୁଖରେ ୩ ଦିନ ପାଇଁ ଧାରଣା ଦିଆଯାଇଥିଲା । ସହରର ଗଣମାଧ୍ୟମ ପ୍ରତିନିଧିମାନେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟି ଏହି ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।
ଏତିକି ବେଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଏମକେସିଜି ମେଡିକାଲକୁ ଯାଇ ବିଭିନ୍ନ ବିଭାଗ ବୁଲିବା ସହ ଡାକ୍ତର ଅଭାବ ଓ ରୋଗୀ ସେବା ସମ୍ପର୍କରେ ଏମକେସିଜି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ମେଡିକାଲର ସମସ୍ୟାକୁ ନେଇ କିଛି ଲୋକ ରାଜନୀତି କରୁଛନ୍ତି ବୋଲି ବିଧାୟକ ନିଜ ପ୍ରତିକ୍ରିୟାରେ କହିଥିଲେ । ଏହା ଦ୍ବାରା କାର୍ଯ୍ୟରତ ଡାକ୍ତର ନିରୁତ୍ସାହିତ ହେବେ ବୋଲି ମଧ୍ୟ ବିଧାୟକ କହିଥିଲେ । ଆଉ ବିଜେପି ଆଜି ଏହାର ଜବାବ ରଖିଛି । ଏମକେସିଜିରେ ହୃଦରୋଗ ଅେସ୍ତ୍ରାପଚାର ହୋଇପାରୁନଥିବା ଯୋଗୁ ବିଧାୟକ ନିଜେ ରୋଗୀଙ୍କୁ ବିଶାଖାପାଟଣା ପଠାଉଛନ୍ତି ବୋଲି ବିଜେପିର ବରିଷ୍ଠ ନେତା କାହ୍ନୁଚରଣ ପତି କହିଛନ୍ତି । ସେହିପରି ଖାଲିଥିବା ଶତାଧିକ ଡାକ୍ତରୀ ପଦ କେବେ ପୂରଣ ହେବ, ୨୪ ଘଣ୍ଟିଆ ଶବ ବ୍ୟବଛେଦ ବ୍ୟବସ୍ଥା, ସୁପରସ୍ପେସିଆଲିଟି ବିଭାଗ ପୂର୍ଣ୍ଣ କାର୍ଯ୍ୟକ୍ଷମ କେବେ ହେବ ବୋଲି ଶ୍ରୀ ପତି ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ଡାକ୍ତର ବଦଳିକୁ ନେଇ ବ୍ରହ୍ମପୁର ସହରରେ ଦେଖାଦେଇଥିବା ଜନ ଅସନ୍ତୋଷ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି । ଯେହେତୁ କେନ୍ଦୁଝର ଓ ସୁନ୍ଦରଗଡରେ ୧୦୦ ଏମବିବିଏସ ସିଟ ବିଶିଷ୍ଟ ଦୁଇଟି ମେଡିକାଲ କଲେଜ ଖୋଲିବା ପାଇଁ ଜାତୀୟ ଭେଷଜ ପରିଷଦ ନିକଟରେ ଆବେଦନ କରାଯାଇଛି ଏବଂ ପରିଷଦର ନିୟମପ୍ରକାରେ ପ୍ରଥମ ବର୍ଷରୁ ହିଁ ୬ ପ୍ରାଧ୍ୟାପକ, ୨୦ ସହଯୋଗୀ ପ୍ରାଧ୍ୟାପକ ଓ ୨୪ ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି ଅନିବାର୍ଯ୍ୟ କାରଣରୁ ସରକାର ବାଧ୍ୟ ହୋଇ ଏମକେସିଜି ଓ ଏସସିବି ମେଡିକାଲରୁ କିଛି ବରିଷ୍ଠ ଡାକ୍ତରଙ୍କୁ ବଦଳି କରିଛନ୍ତି ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଏମକେସିଜିରେ ମୋଟ ୩୫ ବିଭାଗ ରହିଛି । ଏହି ବିଭାଗଗୁଡ଼ିକ ପାଇଁ ମଞ୍ଜୁର ହୋଇଥିବା ୩୯ ଜଣ ପ୍ରାଧ୍ୟାପକଙ୍କ ମଧ୍ୟରୁ ୩୫ ଜଣ ଏମକେସିଜିରେ କାର୍ଯ୍ୟ କରୁଛନ୍ତି । ସେହିପରି ୮୧ଟି ସହଯୋଗୀ ପ୍ରାଧ୍ୟାପକ ମଧ୍ୟରୁ ୫୧ ଜଣ ଓ ୧୬୩ ସହକାରୀ ପ୍ରାଧ୍ୟାପକ ମଧ୍ୟରୁ ୧୫୨ ଜଣ କାର୍ଯ୍ୟ କରୁଛନ୍ତି ବୋଲି ସୂଚନା ଦିଆଯାଇଛି । କିଛି ଦିନ ଭିତରେ ସରକାରଙ୍କ ପକ୍ଷରୁ ଏମକେସିଜିରେ ୧୧ ଜଣ ସହକାରୀ ପ୍ରାଧ୍ୟାପକ, ୧୬ ଜଣ ଟ୍ୟୁଟର ଓ ୪ ଜଣ ନିସିୟର ରେସିଡେଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଖାଲିଥିବା ଅନ୍ୟ ଡାକ୍ତରୀ ପଦ ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
