ଛତିଶଗଡ଼ର ଷଡ଼୍‌ଯନ୍ତ୍ର ପାଇଁ ଶୁଖିଲା ପଡ଼ିଛି ମହାନଦୀ

ବରଗଡ଼ : ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ରେ କିଭଳି ଷଡ଼୍‌ଯନ୍ତ୍ର ରଚନା କରିଛି, ‘ଗ୍ରାଉଣ୍ଡ୍‌ ଜିରୋ’ରୁ ଏହାର ସ୍ଥିତି ଅନୁଧ୍ୟାନ ପରେ ଜଣାପଡ଼ିଛି । ତିନିଦିନ ତଳେ ଛତିଶଗଡ଼ ପଟେ ମହାନଦୀରେ ପାଣି ଉଛୁଳୁମୁଛୁଳୁ ଥିବାବେଳେ ଓଡ଼ିଶା ପଟରେ ଏକପ୍ରକାର ଶୁଖିଲା ପଡ଼ିଛି ବୋଲି ଯାହା ଚର୍ଚ୍ଚା ହେଉଥିଲା, ଆଜି ବି ସେଠାରେ ସମାନ ଅବସ୍ଥା ରହିଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଯେମିତି ଦୁଇରାଜ୍ୟର ଜଳବିବାଦ ବିଳମ୍ବିତ ହେଉଥିବାରୁ ଏଥିପାଇଁ ଓଡ଼ିଶାକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି । ଏଥି ସହିତ, ବିବାଦୀୟ କଲ୍‌ମା ବ୍ୟାରେଜ୍‌ରୁ ଛତିଶଗଡ଼ର ଷଡ଼୍‌ଯନ୍ତ୍ର ଏକପ୍ରକାର ସ୍ପଷ୍ଟ ଜଣାପଡ଼ୁଛି ।

ଓଡ଼ିଶା ସୀମା ଡେଇଁଲେ ୧୮୨.୦୩ କୋଟି ଟଙ୍କାରେ ନିର୍ମିତ ଏହି ବୃହତ୍‌ ବ୍ୟାରେଜ୍‌ରେ ୬୫ଟି ଗେଟ୍‌ ରହିଛି । ଏହାର ଲମ୍ବ ହେଲା ୧.୯୮ କିଲୋମିଟର୍‌ । ଏଠାକାର ସବୁ ଗେଟ୍‌ କେବଳ ଜୁନ୍‌ ୧୬ ରୁ ଅକ୍ଟୋବର ୩୦ ଯାଏଁ ଗେଟ୍‌ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିବା ଛତିଶଗଡ଼ କହୁଛି । କିନ୍ତୁ, ବର୍ଷସାରା ଗେଟ୍‌ଗୁଡ଼ିକ ବନ୍ଦ ରହୁଛି । (ମେ’ ୨୩ ତାରିଖ) ‘ଗ୍ରାଉଣ୍ଡଜିରୋ’ରୁ ସ୍ଥିତି ଅନୁଧ୍ୟାନ ହୋଇ ଜଣାପଡ଼ିଛି ଯେ ଓଡ଼ିଶା ପଟେ ବ୍ୟାରେଜ୍‌ର ୨/୩ଟି ଗେଟ୍‌ର ସିପେଜ୍‌ ବା ଲିକେଜ୍‌ ପାଣି ପ୍ରବାହିତ ହେଉଛି । କିନ୍ତୁ ଛତିଶଗଡ଼ ପଟେ ସ୍ଥିତି ସଂପୂର୍ଣ୍ଣ ଭିନ୍ନ । ସେପଟେ ପଛୁଆ ପାଣି ୧୦ କିଲୋମିଟର ଯାଏଁ ଭରି ରହିଛି । କଲ୍‌ମାରୁ ଉପରମୁଣ୍ତକୁ ପ୍ରାୟ ୧୦ କିମି ଦୂରରେ ରହିଛି ସାରାଡିହ ବ୍ୟାରେଜ୍‌ । କଲ୍‌ମାର ଗେଟ୍‌ ବନ୍ଦ ଥିବାରୁ ପଛୁଆ ପାଣି ସାରାଡିହ ପର୍ଯ୍ୟନ୍ତ ପହଁଚି ଯାଇଛି । ସେହିପରି ସାହାଡିହରେ ମାତ୍ର ୨ଟି ଗେଟ୍‌ ଆ˚ଶିକ ଭାବେ ଖୋଲାରହିଛି । ସେଠାକାର ପଛୁଆ ପାଣି ମଧ୍ୟ ୮ କିଲୋମିଟର ଉପରମୁଣ୍ତକୁ ପହଞ୍ଚିଛି । ଅର୍ଥାତ୍‌ ଛତିଶଗଡ଼ ପଟରେ ମହାନଦୀରେ ଜଳଜୀବନ ପରିପୁଷ୍ଟ ଥିବାବେଳେ ଓଡ଼ିଶା ପଟେ କେବଳ ବାଲି ।

ଛତିଶଗଡ଼ର ଏହି କାରସାଦି ଯୋଗୁ ମତ୍ସ୍ୟଜୀବୀଙ୍କ ପେଟପାଟଣା ସ˚କଟରେ ରହିଛି । ଓଡ଼ିଶା ପଟେ ପାଣି ନଥିବାରୁ ନଦୀରେ ଡଙ୍ଗା ଚାଲୁନାହିଁ । ଫଳରେ, ମାଛ ମାରିବା ଆଉ ସମ୍ଭବପର ହେଉନାହିଁ । ପର୍ଯ୍ୟାପ୍ତ ପାଣି ନଥିବାରୁ ବିଭିନ୍ନ ମେଗା ଜଳସେଚନ ପ୍ରକଳ୍ପ ଠପ୍‌ ହୋଇପଡ଼ିଛି । ମହାନଦୀ କୂଳରେ ଥିବା ଶହଶହ ଗାଁରେ ଜଳାଭାବ ଯୋଗୁଁ ଫସଲ ଉଜୁଡ଼ି ଯାଉଛି । ଛତିଶଗଡ଼ର ଏହିଭଳି ଷଡ଼୍‌ଯନ୍ତ୍ରରେ ତୁରନ୍ତ ଅଙ୍କୁଶ ଲଗାନଗଲେ ହୀରାକୁଦ ନଦୀବନ୍ଧ ପ୍ରତି ବି ବିପଦ ସୃଷ୍ଟି ହେବାନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ଛତିଶଗଡ଼ ପାଖରେ ମହାନଦୀରେ ରବିଶଂକର ସାଗର, ହସ୍‌ଦେଓ ବାଂଗୋ, ମୁରୁମ୍‌ ସିଲି, ତନ୍ଦୁଲା, ସୋନ୍‌ଦୁର, ଦୁଧୱା, ଘୋଙ୍ଗା ଭଳି ବୃହତ୍‌ ଜଳଭଣ୍ଡାର ରହିଛି । ଏହାବାଦ୍‌ ଖରଂଗ, ମୋଗରା, ମୋନିୟାରି, କୋଦାର ଭଳି ଛୋଟ ଜଳଭଣ୍ଡାର ରହିଛି । ଓଡ଼ିଶା ତୁଳନାରେ ଛତିଶଗଡ଼ ପାଖରେ ୧୦ ପ୍ରତିଶତ ଅଧିକ କେଚ୍‌ମେଣ୍ଟ ଏରିଆ (ଜଳଗ୍ରହଣ କ୍ଷେତ୍ର) ରହିଛି । ଯଦି ଛତିଶଗଡ଼ ନିଜ ସବୁ ବ୍ୟାରେଜ୍‌ କାର୍ଯ୍ୟକ୍ଷମ କରେ, ମହାନଦୀରେ ଏକ ତୃତୀୟାଂଶ ଜଳ ହିଁ ପ୍ରବାହିତ ହେବ । ଏହି ଜଳକୁ ପୁଣି ଛତିଶଗଡ଼ ବିଭିନ୍ନ ବ୍ୟାରେଜ୍‌ ମାଧ୍ୟମରେ ରୋକିଲେ ହୀରାକୁଦକୁ ପର୍ଯ୍ୟାପ୍ତ ପାଣି ପହଞ୍ଚିବ ନାହିଁ । ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟିଦେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *