ଭବାନୀପାଟଣା : ଘର କଳାହାଣ୍ଡି ଜିଲ୍ଲାରେ । ପାଣି ପାଇଁ କିନ୍ତୁ ନବରଙ୍ଗପୁର ଜିଲ୍ଲା ଉପରେ ଭରସା । ତାହା ପୁଣି କୌଣସି ପ୍ରକଳ୍ପ ଉପରେ ନୁହେଁ । ଝରଣାକୁ ଯାଇ ପାଣି ଆଣିବାକୁ ପଡ଼ୁଛି ଏବଂ ଏଥିପାଇଁ ମହିଳାମାନଙ୍କୁ ମାଇଲମାଇଲ୍ ଯିବାକୁ ପଡ଼ୁଛି । ପାଣି ମୁନ୍ଦେ ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଏହିଭଳି ଅବସ୍ଥାରୁ ମୁକୁଳିବା ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରିବା ସାର ହୋଇଛି ।
ପାଣି ମୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଅନ୍ତର୍ଗତ ଧନସୁଲି ପଞ୍ଚାୟତର ପାହାଡ଼ ଉପରଗାଁ ଡଙ୍ଗରିଗୁଡ଼ା । ପାନୀୟ ଜଳ ପାଇଁ ୧୨ଟି ପରିବାର ଥିବା ଏହି ଗାଁର ମହିଳାମାନେ ଡଙ୍ଗରିଗୁଡା ଠାରୁ ୩ କିଲୋମିଟର ଦୂର ଡାକୁଲଗୁଡା ଝରଣାକୁ ଯାଉଛନ୍ତି । ଏହି ଝରଣା ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ । ୩ କିଲୋମିଟର ବାଟ ହେଲେ ବି, ପାଣି ପାଇଁ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯିବା ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ପରିଣତ ହୋଇଛି । ତେବେ, ଏହି ସମସ୍ୟା କେବଳ ଗୋଟିଏ ଗାଁ କି ଗୋଟିଏ ପଞ୍ଚାୟତରେ ସୀମିତ ନୁହେଁ । ଅନେକ ପଞ୍ଚାୟତର ଲୋକମାନଙ୍କୁ ଏହିଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ହସ୍ତଗତ ସୂଚନା ଅନୁସାରେ, ଏହି ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ଜୁନାପାଣି ଗ୍ରାମବାସୀ ଏବେ ଘୋଡ଼ାନାଲର ବାଲି ଚୁଆ ଉପରେ ନିର୍ଭର କରୁଛନ୍ତି । ଲାଞ୍ଜିଗଡ଼ ବ୍ଲକ୍ର ଉପାନ୍ତ ଅଞ୍ଚଳ ମନସ୍ତରାରେ ୩୫ଟି ପରିବାର ରହୁଥିବାବେଳେ ଗାଁର ଲୋକମାନେ ଲହଲ ଝରଣା ଉପରେ ବର୍ଷସାରା ନିର୍ଭର କରୁଛନ୍ତି । ଲାଞ୍ଜିଗଡ଼ ବ୍ଲକ୍ର କୁମଖାଲ ପଞ୍ଚାୟତର ସୋରିଷପଦର ଗ୍ରାମବାସୀ ଦେଢ଼ କିମି ଦୂର ନାଳକୁ ଯାଇ ପାଣି ଆଣିଥା’ନ୍ତି । ଲାଞ୍ଜି ପଞ୍ଚାୟତର ଯୁବାଗାଁ ଲୋକେ ୨ କି.ମି. ଦୂର ଏକ ନାଳରୁ ପାଣି ସଂଗ୍ରହ କରିଥାନ୍ତି । ପାହାଡ଼ପଦର ପଞ୍ଚାୟତ ତଇପଦର ଗ୍ରାମବାସୀ ଦେଢ କିମି ଦୂରରୁ ପାଣି ଆଣିଥା’ନ୍ତି । ବେନଗାଁ ପଞ୍ଚାୟତର ଧଅଁରାଭଟ୍ଟା ଗ୍ରାମରେ ୨ କି.ମି. ଦୂରରୁ ପାଣି ଆଣିବା ପାଇଁ କସରତ କରିଥାନ୍ତି । ମାଲିଯୁବାଙ୍ଗ ପଞ୍ଚାୟତର ସାଲପଦର ଗ୍ରାମବାସୀ ଅଢେଇ କି.ମି. ଦୂର ଝରଣାରୁ ପାଣି ଆଣିବାକୁ ଯାଆନ୍ତି । ବେନଗାଁ ପଞ୍ଚାୟତ କୋକସୁର ଗ୍ରାମବାସୀ ୨ କି.ମି. ଦୂରରୁ ପାଣି ଆଣି ନିଜର ଶୋଷ ମେଣ୍ଟାଇଥାନ୍ତି ।
ସେହିଭଳି, ଲାଞ୍ଜି ପଞ୍ଚାୟତ ତୁର୍କା ଗ୍ରାମବାସୀ ଗୋଟିଏ କି.ମି. ଦୂର ଜଙ୍ଗଲି ଝରଣା ଉପରେ ଭରସା କରନ୍ତି । ବେନଗାଁ ପଞ୍ଚାୟତର ସୋରପଦର ଗ୍ରାମବାସୀଙ୍କୁ ପାଣି ପାଇଁ ୩ କିମି ଯିବାକୁ ପଡ଼ିଥାଏ । ପାହାଡ଼ପଦର ପଞ୍ଚାୟତ ପୁରୁଣାପାଣି ଗ୍ରାମବାସୀ ୨ କିମି ଦୂରକୁ ଯାଇ ନାଳ ପାଣି ଆଣିଥା’ନ୍ତି । ବେନଗାଁ ପଞ୍ଚାୟତର ଭିତରଧଡେଲ ଗ୍ରାମବାସୀ ୨ କିମି, ଭୁର୍ତ୍ତିଗଡ ପଞ୍ଚାୟତର ଜାନକିପଦର ଗ୍ରାମବାସୀ ୨ କିମି, ଲାକବାହାଲି ପଞ୍ଚାୟତର ପଣସପଦର ଗ୍ରାମବାସୀ ଦେଢ କିମି ଓ ଗୁଣ୍ଡରି ପଞ୍ଚାୟତର ତାଡିଝୋଲା ଗ୍ରାମବାସୀ ୧କିମି ଦୂର ଯାଇ ନାଳ ଓ ଝରଣା ପାଣି ଆଣି ଶୋଷ ମେଣ୍ଟାଇଥାନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରବ୍ଲକ ମହକୁମାଠାରୁ ମାତ୍ର ୮ କିଲୋମିଟର ଦୂର ଭଟାଙ୍ଗପଦର ନିକଟ ତଲ ଟାଙ୍ଗନକନା ଗ୍ରାମ ଅବସ୍ଥିତ । ୪୦ଟି ପରିବାର ରାବଣଦର ନାଳର ବାଲିଚୁଆ ଉପରେ ନିର୍ଭର କରିଥାନ୍ତି । ଜିଲ୍ଲା ମୁଖ୍ୟାଳୟର ନାକତଳେ ଥିବା ଏହି ଗ୍ରାମ ପାଇଁ ପାନୀୟ ଜଳ ସ୍ୱପ୍ନ ପାଲଟିଛି । ଥୁଆମୂଳ ରାମପୁର ବ୍ଲକ ବଡଛତରଙ୍ଗ ପଞ୍ଚାୟତ ଦାବରିଗୁଡା ଗ୍ରାମବାସୀ ପ୍ରାୟ ୧ କିମି ଦୂର ଇନ୍ଦ୍ରାବତୀ ନଦୀରୁ ପାଣି ଆଣିଥା’ନ୍ତି । ବିରିକୋଟ ପଞ୍ଚାୟତ ସୁକସାନ ଗ୍ରାମବାସୀ ପ୍ରାୟ ୧ କିମି ଦୂର ଚାଷ ଜମିରୁ ପାଣି ଆଣିଥା’ନ୍ତି ।
ବର୍ଷବର୍ଷ ଧରି ମହିଳାମାନେ ବର୍ଷତମାମ ବିଭିନ୍ନ ନଦୀ ଓ ନାଳ ଉପରେ ପାନୀୟ ଜଳ ପାଇଁ ଭରସା କରୁଛନ୍ତି । ଯୋଜନା ପରେ ଯୋଜନା ଚାଲିଛି ଅଥଚ ଏହି ଗ୍ରାମବାସୀଙ୍କ ଶୋଷ ମେଣ୍ଟି ପାରିନାହିଁ । ଦୂଷିତ ପାନୀୟ ଜଳ ପିଇ ବାରମ୍ବାର ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦୁର୍ଗମ ଅଧିବାସୀ ଭାଗ୍ୟକୁ ଆଦରି ଅନ୍ଧାରୀ ବଣମୂଳକରେ ଜୀବନ ଜିଉଛନ୍ତି । କେବେ ସରକାରଙ୍କ କୃପାଦୃଷ୍ଟି ପଡ଼ିବ ସେନେଇ ଅନାଇ ବସିଛନ୍ତି ।
