ଖଇରା : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ଶାରୀଶୁଆ ପାହାଡ଼ । ରାଜସ୍ବ ବିଭାଗ, ରାଜନେତା, ଖଣି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ବେଆଇନ ପଥର ଖନନ ଓ ଚାଲାଣ ଯୋଗୁ କୁଲଡ଼ିହା ଅଭୟାରଣ୍ୟ ଅଞ୍ଚଳରେ ଥିବା ଏହି ପାହାଡ଼ ଏବେ ଧ୍ବଂସ ପାଇବାକୁ ଯାଉଛି ।
ସୂଚନାଥାଉକି, ଖଣିମାଲିକଙ୍କ ସହ ପ୍ରଶାସନର ବହୁ ବାଦବିବାଦ ପରେ ୨୦୧୮ ମସିହାରେ ଶାରୀଶୁଆ ପାହାଡ଼ରେ ୯୭ଟି ଖଣି ଖନନ ପାଇଁ ନିଲାମ ଡକାଯାଇଥିଲା । କିନ୍ତୁ ଆବେଦନ କରିଥିବା ଅଧିକାଂଶ ଖଣି ମାଲିକ ପୂର୍ବରୁ ବାକି ରଖିଥିବା ଅର୍ଥରାଶି ପୈଠ କରିନଥିବାରୁ ସେମାନଙ୍କୁ ଅନୁମତି ମିଳିନଥିଲା । ତେବେ ସ୍ଥାନୀୟ ପ୍ରଶାସନ ଓ ଖଣି ମାଫିଆଙ୍କ ସଲାସୁତରାରେ ଖଣି ଖନନ ଚାଲିଥିବା ଖବର ସାମ୍ନାକୁ ଆସିବା ପରେ ୨୦୧୯ ମସିହା ଅକ୍ଟୋବର ମାସରେ ପୁଣିଥରେ ଏହାଉପରେ ସରକାର ରୋକ୍ ଲଗାଇଥିଲେ । ତଥାପି ପ୍ରତିଦିନ ଶାରୀଶୁଆ ପାହାଡ଼କୁ ଖୋଳି ଶହଶହ ଟ୍ରିପ୍ ମାଙ୍କଡ଼ା ପଥର, ମୋରମ୍, ମେଟାଲ୍, ଚିପ୍ସ ଆଦି ଲଘୁ ଖଣିଜ ପଦାର୍ଥ ବାହାରକୁ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି । ଖଣି ତଥା ଭୂରାଜସ୍ବ ଦାୟିତ୍ବରେ ଥିବା ସ୍ଥାନୀୟ ତହସିଲଦାର ଏ ବାବଦରେ ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି । କୁପାରୀ ଅଞ୍ଚଳରେ ଥିବା ବିଭିନ୍ନ ଖଣିରୁ ଦିନ ଦ୍ବିପ୍ରହରରେ ମାଙ୍କଡ଼ା ପଥର ଉତ୍ତୋଳନ କରାଯିବା ସହ ମୁଖ୍ୟରାସ୍ତା ଦେଇ ଚାଲାଣ ହେଉଛି । ଅଥଚ ତହସିଲଦାର କିମ୍ବା ତାଙ୍କ ଅଧସ୍ତନ କର୍ମଚାରୀ କେହି କେମିତି ଏ ବିଷୟରେ ଜାଣିପାରୁନାହାନ୍ତି, ତାହା ହିଁ ସାଧାରଣରେ ପ୍ରହେଳିକା ସୃଷ୍ଟି କରିଛି ।
ସବୁଠୁ ବଡ଼କଥା ହେଲା, ବନ ସୁରକ୍ଷା ଓ ପରିବେଶ ଆଇନ୍ ଉଲ୍ଲଂଘନ ଆଦି କାରଣରୁ ଖଣି କାମ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିବା ସତ୍ତ୍ବେ କୁପାରୀ ଅଞ୍ଚଳରେ ୩୦ ରୁ ଅଧିକ ମାଙ୍କଡ଼ା ପଥର ଖଣିରୁ ପ୍ରତ୍ୟହ ପଥର ଉତ୍ତୋଳନ କରାଯାଉଛି । କେବଳ ସେତିକି ନୁହେଁ, ବିନା ଭୟରେ ଖଣି ମାଫିଆ ଦିନ ଦ୍ବିପ୍ରହରରେ ମେସିନ୍ ଦ୍ବାରା ପଥର ଉତ୍ତୋଳନ କରି ସେସବୁକୁ ଟ୍ରକ୍, ଡମ୍ପର, ଟ୍ରାକ୍ଟର ଭଳି ଭାରୀଯାନରେ ବିଭିନ୍ନ ଅଞ୍ଚଳକୁ କାହା ସ୍ବାର୍ଥରେ ଚାଲାଣ କରୁଛନ୍ତି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଶାରୀଶୁଆ ପାହାଡ଼ରେ ବେଆଇନ ଖନନ ଯୋଗୁଁ କୁପାରୀ ଅଞ୍ଚଳର ପରିବେଶ ଓ ପର୍ଯ୍ୟଟନ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଛି ।
୧୯୪୭ ମସିହାରେ କୁଲଡ଼ିହା ଅଭୟାରଣ୍ୟର ୨୭୨. ୭୫ ବର୍ଗ କିମି ଅଞ୍ଚଳକୁ ହାତୀ ଅଭୟାରଣ୍ୟ ପ୍ରକଳ୍ପ ଭାବେ ଘୋଷଣା କରାଯାଇଥିଲା । ସୋର ରେଞ୍ଜ ପାଇକପଡ଼ା ପର୍ଯ୍ୟନ୍ତ ଏହାର ସୀମା ଲମ୍ବିଥିବା ବେଳେ ହାତୀମାନଙ୍କ ଚଳପ୍ରଚଳ ଓ ବଂଶବୃଦ୍ଧି ପାଇଁ ଶାରୀଶୁଆ ପାହାଡ଼ର ପାଦଦେଶରେ ଥିବା ଜଙ୍ଗଲକୁ ବନ ବିଭାଗ ହାତୀଚଲା ପଥ ଭାବେ ଘୋଷଣା କରିଥିଲା । ପରବର୍ତ୍ତୀ ସମୟରେ କେନ୍ଦୁଝର ଜିଲ୍ଲା ହଦଗଡ଼ ପର୍ଯ୍ୟନ୍ତ ୧୬୫ ବର୍ଗ କିଲୋମିଟର ଅଞ୍ଚଳକୁ ହାତୀ ସୁରକ୍ଷା କରିଡର୍ ଭାବେ ସାମିଲ କରାଯାଇଛି । ୨୦୧୧ ମସିହାରେ ଶାରୀଶୁଆ ପାହାଡ଼ ପାଦଦେଶରେ ସୂଚନାଫଳକ ଲଗାଯାଇ ହାତୀମାନଙ୍କ ପାଇଁ ଏହି ଅଞ୍ଚଳ ସଂରକ୍ଷିତ ରଖାଯାଇଥିବା ଦର୍ଶାଯାଇଥିଲେ ହେଁ ବେଆଇନ୍ ଭାବେ ଅହରହ ଖଣି ଖୋଳା ଚାଲିଛି । ଅବିଳମ୍ବେ ଏହାକୁ ରୋକାନଗଲେ ଆଗାମୀ ଦିନରେ ଏ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ପ୍ରତି ସଙ୍କଟ ଉପୁଜିବା ସହ ଶାରୀଶୁଆ ପାହାଡ଼ ମାଟିରେ ମିଶିଯିବ ବୋଲି ଅଞ୍ଚଳବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି ।
ଏ ସଂପର୍କରେ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ପଚରାଯିବାରୁ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ରାଜସ୍ବ ବିଭାଗ ଉକ୍ତ ଅଞ୍ଚଳରେ ନିୟମିତ ଯାଞ୍ଚ କରୁଥିବା ସଫେଇ ଦେଇଛନ୍ତି ।
