ପୁରୀ : ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ପର୍ଯ୍ୟଟକଙ୍କୁ ଆକ୍ରମଣ । ପର୍ଯ୍ୟଟକଙ୍କୁ ମାଡ ମାରି ଲହୁ ଲୁହାଣ କଲେ ସଫାରୀ କର୍ମଚାରୀ । ଟିକଟକୁ ନେଇ ରାୟପୁରରୁ ଆସିଥିବା ପର୍ଯ୍ୟଟକଙ୍କ ସହ ପ୍ରଥମେ ସଫାରୀ କର୍ମଚାରୀମାନଙ୍କର ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।
ପରେ ୩ ଜଣ କର୍ମଚାରୀ ଲୁହା ରଡରେ ପର୍ଯ୍ୟଟକଙ୍କ ଉପରକୁ ଆକ୍ରମଣ କରିଥିଲେ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ପର୍ଯ୍ୟଟକଙ୍କ ପକ୍ଷରୁ ଥାନାରୁ ଏତଲା ଦିଆଯାଇଛି । ପରେ ନନ୍ଦନକାନନ ପୋଲିସ ୩ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ସୂଚନାମୁତାବକ, ଛତିଶଗଡ଼ରୁ ଆସିଥିବା ପ୍ରାୟ ୨୬ ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବୁଲିବାକୁ ସଫାରୀ ଗାଡ଼ି ମିଳିନଥିଲା । ଏହାକୁ ନେଇ ପର୍ଯ୍ୟଟକମାନେ ସଫାରୀ କାଉଣ୍ଟରରେ ପାଟିଗୋଳ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସଫାରୀ କର୍ମଚାରୀ ସେମାନଙ୍କୁ ଠେଲାପେଲା କରିଥିଲେ ।
ଉତ୍ତେଜନା ବଢିବାରୁ ସଫାରୀ କର୍ମଚାରୀ ସ୍ଥାନୀୟ ଅଂଚଳର ପ୍ରାୟ ୫୦ ଲୋକଙ୍କୁ ଡାକି ଦେଇଥିଲେ । ପରେ ସେମାନେ ମିଳିତ ଭାବେ ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ ଓପାଡ଼ି ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏହି ଆକ୍ରମଣ ଯୋଗୁ ୫ ଜଣ ଗୁରୁତର ହୋଇଛନ୍ତି ।
