ଜଣେ ନିରାଶ୍ରୟ ମହିଳାଙ୍କ ପାଇଁ ପ୍ରହସନରେ ପରିଣତ ହୋଇଛି ସରକାରଙ୍କର ଜାଗା ମିଶନ ଓ ସହରାଞ୍ଚଳ ବାସଗୃହ ଯୋଜନା

ଆଠଗଡ : ସରକାରଙ୍କର ଜାଗା ମିଶନ ଓ ସହରାଞ୍ଚଳ ବାସଗୃହ ଯୋଜନା ଜଣେ ନିରାଶ୍ରୟ ମହିଳାଙ୍କ ପାଇଁ ପ୍ରହସନରେ ପରିଣତ ହୋଇଛି । ସରକାରଙ୍କ ପକ୍ଷରୁ ସଂପୃକ୍ତ ନିରାଶ୍ରୟ ଭୂମିହୀନ ମହିଳାଙ୍କୁ ଆଠଗଡ ସହରରେ ୩୨୩ ବର୍ଗଫୁଟ ଜାଗା ଦେଲେ ଏବଂ ୨୦୧୯ରେ ଘର ତିଆରି ପାଇଁ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାରେ ଅନ୍ତର୍ଭୁକ୍ତକରି କାର୍ଯ୍ୟାଦେଶ ଦେଲେ । ତେବେ ଜଣେ ଆଗଧାଡିର ବିଜେଡି ନେତା ତାଙ୍କ ଜାଗା ଜବରଦଖଲ କରିଥିବାରୁ ସେ ଘର ତିଆରିରୁ ବଞ୍ଚିତ ହୋଇ ନେତା ଓ ପ୍ରଶାସକଙ୍କ ପାଖକୁ ଦୌଡି ଦୌଡି ନିରାଶ ହୋଇ ବସିଛନ୍ତି । ଏପରିକି ସେ ବିଧାୟକ ଅଥବା ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ତାଙ୍କୁ ହତ୍ୟାଧମକ ମିଳୁଥିବା ସଂପୃକ୍ତ ମହିଳା ଅଭିଯୋଗ କରିଛନ୍ତି ।

ଘଟଣାର ବିବରଣୀରୁ ପ୍ରକାଶ ଆଠଗଡ ଏନଏସି ଅନ୍ତର୍ଗତ ୭ନଂ ୱାର୍ଡ ଅଧିନ କାଲୁବସ୍ତିରେ ଅନ୍ୟଘରେ ମୁଣ୍ଡଗୁଞ୍ଜି ପର ଘରେ କାମକରି ନିଜର ଗୁଜୁରାଣ ମେଣ୍ଟାଉଥିବା ପ୍ରମିଳା ଭୁତ୍ୟାଙ୍କ ସ୍ୱାମୀ ଫଗୁଚରଣ ଭୁକ୍ତା ଆଜକୁ ପ୍ରାୟ ୨୫ ବର୍ଷ ପୂର୍ବରୁ କେଉଁଆଡେ ଚାଲିଯାଇ ଆଉ ଫେରିନାହାଁନ୍ତି । ସ୍ୱାମୀ ପରିତ୍ୟକ୍ତା ପ୍ରମିଳା ନିଜର ଏକ ବଢିଲା ଝିଅକୁ ଧରି ସେହି କାଲୁବସ୍ତିରେ ଅନ୍ୟଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି। ୨୦୧୯ ମସିହାରେ ସରକାରଙ୍କ ନୂତନ ସହରାଞ୍ଚଳ ଜାଗାମିଶନ ଯୋଜନାରେ ତାଙ୍କୁ ଖାତା ନଂ ୭୮୬ ଓ ପ୍ଲଟ ନଂ ୧୭୩୩ରେ ପତିତ କିସମର ୩୨୩ ବର୍ଗଫୁଟ ଜାଗା ମିଳିଥିଲା ଏବଂ ସେହି ବର୍ଷ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ବାସଗୃହ ଯୋଜନାରେ ଦୁଇ ଲକ୍ଷ ଟଙ୍କା ବ୍ୟୟରେ ଗୃହ ନିର୍ମାଣ ପାଇଁ ୭୨୩ନଂ କାର୍ଯ୍ୟାଦେଶ ମିଳିଥିଲା । ନିଜେ ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନଏସି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରମିଳାଙ୍କୁ ଏହି ଜାଗାମିଶନ ମାଧ୍ୟମରେ ଜାଗାର ପଟ୍ଟା ଓ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । କିନ୍ତୁ ସେ ଘର ତିଆରି କରିବା ପାଇଁ ଉଦ୍ୟମ କରିବା ବେଳକୁ ସେହି ୱାର୍ଡର ବାସିନ୍ଦା ତଥା ବିଜେଡିର ନିଜକୁ ଶ୍ରମିକ ନେତା ଭାବେ ପରିଚୟ ଦେଉଥିବା ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଉକ୍ତ ଜାଗା ତାଙ୍କର ବୋଲି ଦାବିକରି ତାଙ୍କୁ ଘର ତିଆରି କରାଇଦେଇ ନଥିଲେ । ପ୍ରମିଳା ଏ ସଂପର୍କରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏବଂ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ପାଇପାରିଲେ ନାହିଁ । ଏପରିକି ପୌର ନିର୍ବାଚନ ପୂର୍ବରୁ ସେ ମନ୍ତ୍ରୀ ଓ ନେତାଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ନିର୍ବାଚନ ପରେ ତାଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ନିର୍ବାଚନ ସରିବାର ଦୁଇମାସ ବିତି ଯାଇଥିଲେ ବି ତାଙ୍କ କଥା କେହି ଶୁଣୁନାହାଁନ୍ତି । ବିଚରା ନିରାଶ୍ରୟ ମହିଳା ଜଣଙ୍କ ସରକାରଙ୍କ ଯୋଜନାର ସୁଫଳ ନପାଇ ନିରାଶ ହୋଇ ପଡିଛନ୍ତି । ଗରିବ ଲୋକଙ୍କ ପାଇଁ ପ୍ରାଣ କାନ୍ଦୁଥିବା ସ୍ଥାନୀୟ ଜନ ପ୍ରତିନିଧି କ’ଣ ପାଇଁ ସଂପୃକ୍ତ ନିରାଶ୍ରମ ମହିଳାଙ୍କ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିଛନ୍ତି ତାହା ବୁଝା ପଡୁନାହିଁ । ନିରାଶ୍ରୟ ମହିଳା ପ୍ରମିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ସ୍ଥାନୀୟ ବିଧାୟକ ଓ ଏନଏସି ନଗରପାଳଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *