ବଣାଇ : ବଣାଇ ବ୍ଲକ୍ କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦରେଇକଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତକାଲି, କେନ୍ଦ୍ରିକଳା ସରପଞ୍ଚ ଉଗ୍ରସେନ କିସାନଙ୍କ ଅଧ୍ୟକ୍ଷତାରେ ନୂତନ ସାପ୍ତାହିକ ହାଟ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ପଞ୍ଚାୟତର ସମସ୍ତ ନିର୍ବାଚିତ ସଭ୍ୟ ସଭ୍ୟା, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ଦୀର୍ଘ ଦିନ ଧରି ପଞ୍ଚାୟତରେ ଏକ ସାପ୍ତାହିକ ହାଟ ବସିବା ନିମନ୍ତେ ଦାବି ହୋଇଆସୁଥିଲେ ମଧ୍ୟ କାର୍ଯ୍ୟକାରୀ ହେବାରେ ତାହା ଅନେକ ବିଳମ୍ବ ଘଟୁଥିଲା । ତେଣୁ ଆଖପାଖ ୨୦ଟି ଗ୍ରାମର ଚାଷୀଙ୍କ ହିତକୁ ଦୃଷ୍ଟି ଦେବା ସହିତ, ପଞ୍ଚାୟତର ଆର୍ଥିକ ବିକାଶ ଧାରାକୁ ଅଗ୍ରାଧିକାର ଦେଇ ସରପଞ୍ଚଙ୍କ ଏହି ପ୍ରୟାସକୁ ସମସ୍ତ ଜନସାଧାରଣ ବିପୁଳ ସମର୍ଥନ କରିଥିବା ଦେଖାଯାଇଛି । ତେଣୁ ଆଗାମୀ ଦିନରେ ପ୍ରଶାସନ ଠାରୁ ଅନୁମତି ନିଆଯାଇ ପ୍ରଥମ ଥର ପାଇଁ ପ୍ରତ୍ୟେକ ରବିବାର ଉପରବାହାଳ ଛକ ଠାରୁ ଦରେଇକଳା ଛକ ପର୍ଯ୍ୟନ୍ତ ୧୪୩ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି ବଜାର ବସିବା ନିମନ୍ତେ ସ୍ଥିର କରାଯାଇଛି ।
