କୁତ୍ରା : ବର୍ତ୍ତମାନ ଓଡ଼ିଶା ସାରା ୫ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଥିବା ବେଳେ କୁତ୍ରା ବ୍ଲକ୍ରେ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ ଚାଲିଛି । ତେବେ ରୂପାନ୍ତରୀକରଣରେ କେତେକ ବିଦ୍ୟାଳୟର ନବକଳେବର ହୋଇଯାଇଥିବା ବେଳେ ଆଉ କେତେକ ବିଦ୍ୟାଳୟରେ ବିଚିତ୍ର ଦୃଶ୍ୟ ପରିଲକ୍ଷିତ ହେଉଛି । ଏହି ବ୍ଲକ୍ ଲତାଲଗା ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ଦୃଷ୍ଟାନ୍ତ ଭାବରେ ନିଆଯାଇପାରେ । ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ଥିବା ବେଳେ ଛାତ୍ରଛାତ୍ରୀ ସଂଖ୍ୟା ୧୮୩ । ପିଲାଙ୍କ ପାଠପଢ଼ା ପାଇଁ ରହିଛି ୫ଟି ଶ୍ରେଣୀଗୃହ । ଶ୍ରେଣୀଗୃହ ଅଭାବରୁ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲା ବିଦ୍ୟାଳୟର ଅଫିସ୍ ବାରଣ୍ଡାରେ ତଳେ ବସି ପାଠ ପଢୁଛନ୍ତି ।
ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲା ଅସଂପୂର୍ଣ୍ଣ ଭୋଜନାଳୟରେ ବସି ପାଠ ପଢୁଛନ୍ତି । ଷଷ୍ଠ ଓ ସପ୍ତମ ପିଲା ଅସଂପୂର୍ଣ୍ଣ ଶ୍ରେଣୀଗୃହରେ ପାଠ ପଢୁଛନ୍ତି । କେବଳ ମାତ୍ର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ନିଜସ୍ବ ଶ୍ରେଣୀଗୃହ ରହିଛି । ୫ଟି ତରଫରୁ ୩ଟି ଶ୍ରେଣୀଗୃହ ନିର୍ମାଣ ଚାଲୁଥିଲେ ହେଁ ଏହା ଶ୍ରେଣୀଗୃହ ଅଭାବ ଦୂରକରି ପାରୁନଥିବାରୁ ପିଲାଙ୍କ ଦୁର୍ଦ୍ଦଶା କହିଲେ ନସରେ । ପୂର୍ବରୁ ଥିବା ପୁରୁଣା ଶ୍ରେଣୀଗୃହଗୁଡ଼ିକୁ ଲାଇବ୍ରେରି, କମ୍ପୁଟରଗୃହ, ବିଜ୍ଞାନାଗାର ପ୍ରଭୃତି କରାଯାଇଛି । ତେବେ ଗୋଟିଏ ଶ୍ରେଣୀଗୃହରେ ୩ଟି ଶ୍ରେଣୀର ଛାତ୍ରଛାତ୍ରୀ କିଭଳି ପାଠ ପଢୁଥିବେ ତାହା ସହଜରେ ଅନୁମେୟ । ବିଦ୍ୟାଳୟରେ ଅଧିକ ଶ୍ରେଣୀଗୃହ ଆବଶ୍ୟକ ଥିବାବେଳେ ଏଭଳି ଢଙ୍ଗରେ ବିଦ୍ୟାଳୟ ନିର୍ମାଣକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଯଥାଶୀଘ୍ର ଆବଶ୍ୟକ ଶ୍ରେଣୀଗୃହ ଯୋଗାଇଦେବାକୁ ଦାବିହେଉଛି । ଶ୍ରେଣୀଗୃହ ନ ଥାଇ କେବଳ ରଙ୍ଗମାରି ରୂପାନ୍ତରଣ କଲେ ତାହା କେଉଁକାମର ବୋଲି ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।
