ଭତ୍ତା ଟଙ୍କା ହଡପ ମାମଲାରେ ପୌରସଂସ୍ଥାର କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଗୁଣପୁର : ପୌରସଂସ୍ଥାରେ ଗରୀବ, ଅସହାୟ ଲୋକଙ୍କୁ ବଣ୍ଟନ ନିମନ୍ତେ ଆସୁଥିବା ଭତ୍ତା ଟଙ୍କା ହଡପ ଘଟଣାରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ କରି ଜଣେ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଏହି ଅର୍ଥ ତୋଷରପାତ ମାମଲାରେ ସଂପୁକ୍ତ ଥିବା ଅଧିକାରୀ ଓ ନେତାଙ୍କୁ ତଦନ୍ତ ପରିସରପୁକ୍ତ କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।
ଗତ ଏପ୍ରିଲ ୨୦୧୭ ରୁ ଡିସେମ୍ବର ମାସ ମଧ୍ୟରେ ଭତ୍ତା ବାବଦରେ ୨୫ ଲକ୍ଷ ୨୦ ହଜାର ୭୦୦ ଟଙ୍କା ହଡପ ହୋଇଥିବା ପୌରସଂସ୍ଥାର ଅଡିଟ ଧରିବା ପରେ ଘଟଣା ପଦାକୁ ଆସିଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ରାୟଗଡା (ଦୁର୍ନୀତି ନିବାରଣ ବିଭାଗ) ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା । ଗତ ମଙ୍ଗଳବାର ରାୟଗଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ରାଇଗୁରୁଙ୍କ ନେତୃତ୍ୱର ଏକ ଟିମ ଗୁଣପୁର ପୌରସଂସ୍ଥା କାର୍ଯ୍ୟାଳୟକୁ ଆସି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ପରେ ପୂର୍ବତନ କୋଷାଧ୍ୟକ୍ଷ ତଥା ଟିକସ କଲେକ୍ଟର ବି.ମାଲିକେଶ୍ୱରଙ୍କ ନାମରେ ଏକ ମାମଲା ରୁଜୁ କରି ଗତକାଲି ରାୟଗଡାରେ ଗିରଫ କରିଛନ୍ତି ।

ଗିରଫ ମାଲିକେଶ୍ୱରଙ୍କୁ ସନ୍ଧ୍ୟାରେ ଜୟପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ଭିଜିଲାନ୍ସରେ ଏଭଳି ସ୍ୱଳ୍ପ ସମୟରେ ଏତେ ବଡ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ବେଶ୍‍ ପ୍ରଶଂସା କରାଯାଉଛି । ଅନ୍ୟପକ୍ଷରେ ଏହି ହଡପ ଟଙ୍କା କେଉଁ ନେତା ଓ ଅଫିସର ଭାଗବଣ୍ଟା କରିଛନ୍ତି ଓ କାହା ଛତ୍ରଛାୟା ତଳେ ରହି ଏତେ ବଡ ଦୁର୍ନୀତି କରାଯାଇଛି ତାହା ଏବେ ଦୁର୍ନିତି ନିବାରଣ ବିଭାଗ ଖୋଲତାଡ ଆରମ୍ଭ କରିଛି ।

ଗିରଫ ମାଲିକେଶ୍ୱର ଦୁର୍ନୀତି ନିବାରଣ ବିଭାଗ ନିକଟରେ ଗତ ଦୁଇ ଦଶନ୍ଧି ଧରି ପୌରସଂସ୍ଥାରେ ଚାଲିଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ସୂଚନା ସଂଗ୍ରହ କରି ପରବର୍ତ୍ତୀ ସମୟରେ ନେତା ଓ ଅଫିସରକୁ ତଦନ୍ତର ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି । ବିଶେଷ କରି ପାର୍କ ନିର୍ମାଣ, ପରିମଳ ବ୍ୟବସ୍ଥା, ଇତ୍ୟାଦି ଯୋଜନା ହୋଇଥିବା ବଡଧରଣର ଘୋଟଲା ଭିଜିଲାନ୍ସ ତଦନ୍ତ ପରେ ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *