ନୀଳଗିରି : ପାହାଡ଼ ତଳେ ବିଶ୍ରାମ ନେଇଛି ନୀଳ ଜଳରାଶି । ହ୍ରଦର ପରିଚୟ ତୋଳିଛି । ଅପୂର୍ବ ସୌନ୍ଦର୍ଯ୍ୟ ତା’ର । ଆପଣାର ଆଖିରେ ନ ଦେଖିଲେ କଳ୍ପନା କରିବା ମୁସ୍କିଲ୍ । ତେଣୁ ଏଠାକୁ ପ୍ରତିଦିନ ଅନେକ ଲୋକ ଆସନ୍ତି ଏବଂ ବିସ୍ତୀର୍ଣ୍ଣ ଶୋଭାରାଜିର ଆନନ୍ଦ ନିଅନ୍ତି । ତେବେ ସେହି ଲୋଭନୀୟ ପରିବେଶର ପ୍ରଚ୍ଛଦରେ ପ୍ରକୃତିର ଗୋଟିଏ ଯନ୍ତ୍ରଣାଦାୟକ କାହାଣୀ ବି ଲୁଚି ରହିଛି । ପ୍ରାକୃତିକ ଓ ମନୁଷ୍ୟକୃତ ସମଷ୍ଟିରୁ ଜନ୍ମ ନେଇଛି ‘ବ୍ଲୁ ଲେକ୍’ ବା ‘ନୀଳହ୍ରଦ’ । ବାଲେଶ୍ବର ଜିଲ୍ଲା ନୀଳଗିରି ନିକଟ ସ୍ବର୍ଣ୍ଣଚୂଡ଼ ପାହାଡ଼ର ପାଦଦେଶରେ ରହିଛି ଏହି ପର୍ଯ୍ୟଟନ କ୍ଷେତ୍ର ।
ନୀଳଗିରି ସହର ଠାରୁ ମାତ୍ର ୬ କିଲୋମିଟର ଦୂର ମିତ୍ରପୁର ଛକ ନିକଟରେ ରହିଛି ବ୍ଲୁ ଲେକ୍ । ବିସ୍ତୀର୍ଣ୍ଣ ଅଞ୍ଚଳରେ ଜମି ରହିଛି ପାଣି । ଯାହା ଗାଢ଼ ନୀଳ । ଦେଖିଲେ ଇଚ୍ଛା ହେବ ପାଣିରୁ ନୀଳ ରଙ୍ଗତକ କାଢ଼ିଆଣି ଦେହରେ ବୋଳି ହେବାକୁ । ତା’ ସାଥିରେ ନିଜକୁ ମିଶାଇ ଦେବାକୁ । କେବଳ ସେତିକି ନୁହେଁ, ହ୍ରଦ ନିକଟରେ ଶୋଭାପାଉଛି ସ୍ବର୍ଣ୍ଣଚୂଡ଼ ପାହାଡ଼ । ହ୍ରଦର ଛାତିରେ ପ୍ରତିବିମ୍ବିତ ହେଉଥିବା ସବୁଜ ବନାନୀର ଆକର୍ଷଣ ଅଦ୍ଭୁତ । ତେଣୁ ଏଠାକୁ ପ୍ରତିଦିନ ବାଲେଶ୍ବର ସହ ଅନ୍ୟ ଜିଲ୍ଲା ତଥା ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସନ୍ତି ଏବଂ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି ।
ତେବେ ଏହି ସୌନ୍ଦର୍ଯ୍ୟ ପଛରେ ପ୍ରକୃତିର ଏକ ଯନ୍ତ୍ରଣାଦାୟକ କାହାଣୀ ଲୁଚିରହିଛି । ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଦଦେଶରେ ଅନେକ ପଥର ଖାଦାନ ଅଛି । ଯେଉଁଠାରୁ ପଥର ଉତ୍ତୋଳନ ହୋଇଥାଏ । ବ୍ଲୁ ଲେକ୍ ଥିବା ସ୍ଥାନରେ ପୂର୍ବରୁ ପଥର ଖାଦାନ ଥିଲା । ସଂପୃକ୍ତ ଲିଜ୍ଧାରୀମାନେ ସରକାରଙ୍କ ନିର୍ଦ୍ଧାରିତ ନୀତିନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ପଥର ଖୋଳିଲେ । ସମୟ ଏମିତି ଅସିଲା, ତାହା ବିପଦପୂର୍ଣ୍ଣ ଅଞ୍ଚଳରେ ପରିଣତ ହୋଇଗଲା । ତେଣୁ ରାଜସ୍ବ ବିଭାଗ ଉକ୍ତ ଅଞ୍ଚଳର ଲିଜ୍ ରଦ୍ଦ କରିବା ସହ ପଥର ଖନନ ବନ୍ଦ କରିଦେଲା । ଆଉ ସେଇ ଖାଦାନରେ ପାଣି ଜମି ଏବେ ହ୍ରଦର ରୂପ ନେଇଛି । ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ବିପଦପୂର୍ଣ୍ଣ ମଧ୍ୟ । ଏଠାରେ ଏଯାଏ ଏକାଧିକ ପର୍ଯ୍ୟଟକ ଗାଧୋଇବା ବେଳେ ଜୀବନ ହରାଇଛନ୍ତି । ତେଣୁ ପର୍ଯ୍ୟଟକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଥିବା ସ୍ଥାନୀୟ ଲୋକ କହନ୍ତି ।
କୁହାଯାଏ ପୂର୍ବରୁ ନୀଳଗିରିରେ କାର୍ଯ୍ୟ କରୁଥିବା ଉପଜିଲ୍ଲାପାଳ ଅବଲି ଏସ୍ ନରୱଣେ ଏବଂ ତହସିଲଦାର ମନୋରମା ଭୂୟାଁ ଉକ୍ତ ଅଞ୍ଚଳକୁ ପର୍ଯ୍ୟଟନ କ୍ଷେତ୍ରରେ ରୂପାନ୍ତର କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ଉଭୟଙ୍କ ବଦଳି ପରେ ପ୍ରସ୍ତାବ ପ୍ରସ୍ତାବରେ ହିଁ ରହିଯାଇଛି । ଅନ୍ୟପଟେ ସ୍ଥାନୀୟ ଲୋକ ମଧ୍ୟ ବ୍ଲୁ ଲେକ୍ର ବିକାଶ ସହ ଏହାକୁ ଏକ ପର୍ଯ୍ୟଟକସ୍ଥଳ କରିବା ପାଇଁ ଜନପ୍ରତିନିଧିଙ୍କୁ ପ୍ରସ୍ତାବ ଦେଇଛନ୍ତି । ଯାହା ଦ୍ବାରା ସରକାର ରାଜସ୍ବ ପାଇ ପାରନ୍ତେ । ହେଲେ ପ୍ରସ୍ତାବର କାର୍ଯ୍ୟକାରିତା ନେଇ ଏଯାଏ କିଛି ବି କାମ ହୋଇ ନାହିଁ । ହ୍ରଦ ନିକଟରେ କେପି ମହଲା, ମହିଷାପଟ୍ଟା ଓ ମଛୁଆ ପଞ୍ଚାୟତ ରହିଛି । ଏହି ପଞ୍ଚାୟତର ସର୍ବମୋଟ ଜନସଂଖ୍ୟା ପ୍ରାୟ ୨୦ ହଜାର ହେବ । ଯେଉଁ ଲୋକମାନେ ଖରାଦିନେ ପାନୀୟ ଜଳ ସମସ୍ୟାକୁ ସାମ୍ନା କରନ୍ତି । ତେଣୁ ବ୍ଲୁ ଲେକ୍ର ପାଣିକୁ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପଞ୍ଚାୟତବାସୀଙ୍କ ପାଖକୁ ପହଞ୍ଚାଯାଇ ପାରିଲେ ତାହା ବିକାଶ କ୍ଷେତ୍ରରେ ଏକ ବଡ଼ ଉପଲବ୍ଧି ହେବ । ବ୍ଲୁ ଲେକ୍ ପର୍ଯ୍ୟଟକଙ୍କୁ ଆନନ୍ଦ ଦେବା ସହ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତାକୁ ପୂରା କରିବାରେ ସକ୍ଷମ ହୁଅନ୍ତା ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି ।
ବ୍ଲୁ ଲେକ୍ର ବିକାଶ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦଙ୍କ ପ୍ରତିକ୍ରିୟା ନିଅଯାଇଥିଲା । ସେ ଏହାକୁ ପର୍ଯ୍ୟଟନସ୍ଥଳୀ କରିବା ନେଇ ତତ୍କାଳୀନ ଉପଜିଲ୍ଲାପାଳ ଓ ତହସିଲଦାର ଦେଇଥିବା ପ୍ରସ୍ତାବ ବାବଦରେ ଜାଣି ନାହାନ୍ତି । କିନ୍ତୁ ଆଗାମୀ ଜିଲ୍ଲା ପରିଷଦ ବୈଠକରେ ଏନେଇ ଆଲୋଚନା କରିବେ ବୋଲି କହିଛନ୍ତି । ସେହିପରି ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ ବୁଦ୍ଧିଜୀବୀଙ୍କ ମତକୁ ବିଚାର କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କଥା ହେବେ ଏବଂ ବ୍ଲୁ ଲେକ୍ର ବିକାଶ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ।
