୨୧୧ ଗାଁ’କୁ ନାହିଁ ସବୁଦିନିଆ ରାସ୍ତା

ବାରିପଦା : ସବୁ ଗାଁକୁ ପକ୍କା ରାସ୍ତା ହେବ, ସବୁ ଗାଁରେ ପହଞ୍ଚିବ ସ୍ବାସ୍ଥ୍ୟସେବା । ଚିକିତ୍ସା ଅବହେଳାରୁ କାହାର ମୃତ୍ୟୁ ହେବନାହିଁ । ସରକାର ଏହି ମିଶନକୁ ସାକାର କରିବା ପାଇଁ କୋଟିକୋଟି ଟଙ୍କା ସାରୁଥିଲେ ବି ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଏହା ସଫଳ ହୋଇନି । ଏବେ ବି ଜିଲ୍ଲାର ଶତାଧିକ ଗାଁକୁ ଆମ୍ବୁଲାନ୍ସ ପଶିବା ଭଳି ରାସ୍ତା ନାହିଁ । ଫଳରେ ଭଗବାନଙ୍କ ଭରସାରେ ରହୁଛନ୍ତି ରୋଗୀ । ସବୁଠାରୁ ବଡ଼ କଥା ହେଲା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ନିମନ୍ତେ ନାହାନ୍ତି ଆବଶ୍ୟକ କର୍ମଚାରୀ । ଜିଲ୍ଲାରେ ୮୨୦ ସ୍ବାସ୍ଥ୍ୟ କର୍ମଚାରୀ ପଦ ଖାଲି ପଡ଼ିଥିଲେ ସୁଦ୍ଧା ଏହାକୁ ପୂରଣ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇନି ।

ସରକାରୀ ତଥ୍ୟ ଅନୁଯାୟୀ ଜିଲ୍ଲାରେ ୨୧୧ଟି ଗାଁକୁ ସବୁଦିନିଆ ରାସ୍ତା ନାହିଁ । ଯଶିପୁର ବ୍ଲକ୍‌ରେ ସର୍ବାଧିକ ୫୬ଟି ଗାଁକୁ ରାସ୍ତା ନାହିଁ । ବହଳଦାରେ ୨୬, ଠାକୁରମୁଣ୍ଡାରେ ୨୬, କରଞ୍ଜିଆରେ ୧୯, କୁଳିଅଣାରେ ୧୫, କପ୍ତିପଦାରେ ୧୨, ବାଙ୍ଗିରପୋଷିରେ ୧୨, ବିଜାତଳାରେ ୧୧, ରାଇରଙ୍ଗପୁରରେ ୯, ଜାମଦାରେ ୭, ସାରସକଣାରେ ୫, ରାସଗୋବିନ୍ଦପୁରରେ ୪, କୁସୁମିରେ ୩, ବଡ଼ସାହିରେ ୨, ଖୁଣ୍ଟା, ବିଶୋଇ, ରରୁଆଁ ଓ ଶୁଳିଆପଦା ବ୍ଲକ୍‌ରେ ଗୋଟିଏ ଲେଖାଏଁ ଗାଁକୁ ରାସ୍ତା ନାହିଁ । ପ୍ରଶାସନ ନିଜେ ଏହା ସ୍ବୀକାର କରୁଥିବା ବେଳେ ଅସଲରେ ୩ ଶହରୁ ଅଧିକ ଗାଁକୁ ପାଦଚଲା ରାସ୍ତା ଖଣ୍ଡେ ବି ନାହିଁ ।

ଦୁର୍ଗମ ଓ ପାହାଡ଼ ଜଙ୍ଗଲଘେରା ଅଞ୍ଚଳରେ ଏସବୁ ଗାଁ ଥିବାରୁ ରାସ୍ତା ନିର୍ମାଣ କରିବା ସମ୍ଭବ ହେଉନାହିଁ ବୋଲି କହୁଛି ପ୍ରଶାସନ । ଏଠାର ରାସ୍ତା ତିଆରି ପାଇଁ ଖର୍ଚ୍ଚ ଅଧିକ, ଲାଭ କମ୍ ହେବ ବୋଲି ଭାବି ଠିକାଦାର ବି ଏସବୁ ଗାଁକୁ ରାସ୍ତା ତିଆରି କରିବାକୁ ଇଛା ପ୍ରକାଶ କରୁନାହାନ୍ତି। ଦୁଃଖର କଥା ହେଲା ଏସବୁ ଗାଁର ଲୋକେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ଅଧିକାଂଶ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର କି କର୍ମଚାରୀ । କୌଣସି ଗୁରୁତର ରୋଗୀଙ୍କୁ ଭାରରେ ହେଉ କି କାନ୍ଧରେ ବୋହି ୫-୧୦ କିମି ରାସ୍ତା ପାର୍‌ ହୋଇ ଡାକ୍ତରଖାନା ଆଣିବା‌ ବେଳକୁ ସେଠାରେ ଡାକ୍ତର ଓ କର୍ମଚାରୀ ନଥିବାରୁ ଶେଷରେ ରୋଗୀ ଛଟପଟ ହୋଇ ଆଖି ବୁଜିବା ସାର ହେଉଛି । ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ ।

ଦୁର୍ଗମ ଅଞ୍ଚଳରେ ପ୍ରସୂତିଙ୍କ ପାଇଁ ୬ଟି ମା’ ଗୃହ କାମ କରୁଛି । ୩ଟି ବାଇକ୍‌ ଆମ୍ବୁଲାନ୍ସ ମହଜୁଦ ରହିଛି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ନିମନ୍ତେ ୩୦ଟି ବାଇକ୍‌ ବ୍ୟବସ୍ଥା ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି । ହେଲେ ଏସବୁ ନାମକୁ ମାତ୍ର ଚାଲିଛି ବୋଲି ଅଭିଯୋଗ ହେଉଛି । ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଡାକ୍ତରଙ୍କ ଅପେକ୍ଷା ସ୍ବାସ୍ଥ୍ୟ କର୍ମଚାରୀଙ୍କ ଭୂମିକା ଅଧିକ । ହେଲେ ଜିଲ୍ଲାରେ ୮୨୦ ସ୍ବାସ୍ଥ୍ୟ କର୍ମଚାରୀ ପଦ ଖାଲି ପଡ଼ିଛି । ୮୨୦ ରୁ ୨୦୦ ସ୍ବାସ୍ଥ୍ୟକର୍ମୀ ଗାଁଗାଁ ବୁଲି ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ କରିବା ସହ କାହାର ଦେହ ଖରାପ ହେଲେ ଔଷଧ ଦେଇଥା’ନ୍ତି । ହେଲେ ସେମାନଙ୍କୁ ପଦ ଖାଲି ପଡ଼ିଛି । ଭୋଟ୍‌ ହାତେଇବା ପାଇଁ ନିର୍ବାଚନ ସମୟରେ ଝାଳନାଳ ହୋଇ ନେତାମାନେ ଏସବୁ ଦୁର୍ଗମ ଗାଁରେ ପହଞ୍ଚି ଯାଉଛନ୍ତି । ଗାଁକୁ ରାସ୍ତା ହେବ, ଆଉ ସବୁ ପ୍ରକାର ସୁବିଧା ମିଳିବ କହି କିଛି ହାତଗୁଞ୍ଜା ଦେଇ ଭୋଟ୍‌ ହାତେଇବା ପରେ ଆଉ ସେମାନଙ୍କ ଦେଖା ମିଳେନାହିଁ । ପ୍ରାଶାସନିକ ଅଧିକାରୀମାନଙ୍କ ପାଦ ଏସବୁ ଗାଁରେ କେବେ ପଡ଼ିବାରେ କେହି ଦେଖିନାହିଁ । ବ୍ଲକ୍‌ରେ ବିଡିଓ କିଏ, ଜିଲ୍ଲାର ଜିଲ୍ଲାପାଳ କିଏ ଏସବୁ ଆମେ ଜାଣିନୁ ବୋଲି କୁହନ୍ତି ଯଶିପୁର, ଜାମଦା, ବିଜାତଳା ପରି ବ୍ଲକ୍‌ର ଦୁର୍ଗମ ଅଞ୍ଚଳର ବାସନ୍ଦା । ତେବେ ପ୍ରଶାସନ କେବେ ସେମାନଙ୍କୁ ସେମାନଙ୍କ ହକ୍‌ ଦେବ ଓ ଯୋଗାଯୋଗ, ସ୍ବାସ୍ଥ୍ୟସେବା ଭଳି ମୌଳିକ ସୁବିଧା ଯୋଗାଇବ, ସେ ଅପେକ୍ଷାରେ ଅଛନ୍ତି ୩ ଶହରୁ ଅଧିକ ଗାଁର ବାସନ୍ଦା ।

Leave a Reply

Your email address will not be published. Required fields are marked *