ଭୁବନେଶ୍ୱର : ବିବାଦ ପରେ ମୁହଁ ଖୋଲିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିବା ଓ ଧମକ ଦେବା ଅଭିଯୋଗ ପ୍ରସଙ୍ଗରେ ବିବାଦ ଘେରକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ଗୀତ ଗାଇବାକୁ ମୋର ପାଳି ପଡିନି କିମ୍ବା ମୋ ଡୋରି ଲାଗିନି ।
ଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରି ବିବାଦ ଘେରକୁ ଓଲିଉଡ୍ ଗାୟକ ହ୍ୟୁମାନ ସାଗର । ଏହାସହ ହତ୍ୟା ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଭୁବନେଶ୍ୱର ଖାରବେଳ ନଗର ଥାନାରେ ସଙ୍ଗୀତ ନିର୍ଦ୍ଦେଶକ ଜାପାନି ଲିଖତ ଅଭିଯୋଗ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କର ଭଜନ ଗାଇବାକୁ ସେ ହ୍ୟୁମାନ ସାଗରଙ୍କୁ ବାରମ୍ବାର ନିବେଦନ କରିଥିଲେ । କିନ୍ତୁ ହ୍ୟୁମାନ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି । ଖାଲି ଏତିକି ନୁହେଁ, ହ୍ୟୁମାନ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି । ଜାପାନୀଙ୍କ କହିବା ଅନୁଯାୟୀ, ଗତ ୫ ବର୍ଷ ଧରି ସେ ହ୍ୟୁମାନଙ୍କୁ ଏକ ଜଗନ୍ନାଥ ଭଜନ ଗାଇବାକୁ ନିବେଦନ କରି ଆସୁଛନ୍ତି । ହେଲେ ସବୁଥର ସେ ଏହାକୁ ଏଡ଼ାଇ ଯାଇଛନ୍ତି । ନିକଟରେ ହ୍ୟୁମାନଙ୍କ ଜଣେ ସହଯୋଗୀ ଜାପାନୀଙ୍କ ବନ୍ଧୁ ତଥା ଗୀତିକାର ତପୁଙ୍କୁ ଫୋନ୍ କରି ଧମକ ଦେଇଥିଲେ । କଟକ ଆସିଲେ ଜାପାନୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ ।
