ବିଳମ୍ବିତ ହେଉଛି ଶିମିଳିପାଳ ଗ୍ରିନ ଏଜି ପ୍ରକଳ୍ପ

ଭୁବନେଶ୍ବର : ଶିମିଳିପାଳରେ ଜୈବ ବିବିଧତା ସହିତ ହେବ ସ୍ଥାନୀୟ ଆଦିବାସୀଙ୍କ ଜୀବିକା ସୁରକ୍ଷା । ଏହି ଲକ୍ଷ୍ୟ ନେଇ ଗ୍ଲୋବାଲ ଏନଭର୍ଣ୍ଣମେଣ୍ଟ ଫାସିଲିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଗ୍ରିନ୍ ଏଜି ପ୍ରୋଜେକ୍ଟ କରାଯାଉଛି । ମାତ୍ର ଏହା ବିଳମ୍ବିତ ହେବାରେ ଲାଗିଛି ।

୨୦୧୯ ମସିହାର ଏହି ୬ ବର୍ଷିୟା ପ୍ରକଳ୍ପ କାର୍ଯ୍ୟକାରିତା ଦୂରର କଥା ଏସଂକ୍ରାନ୍ତରେ ଆଜି ପର୍ଯ୍ୟନ୍ତ ସ୍ଥାନ ଚିହ୍ନଟ କିମ୍ବା ଗବେଷକ ସଂସ୍ଥାର ଚୟନ ମଧ୍ୟ ହୋଇନାହିଁ । ଏଥିଯୋଗୁଁ ୫୫.୪୫ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ମାତ୍ର ୭୪ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି । ଅଧିକ ଟଙ୍କା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ମନ୍ଥର ଗତିରେ ଏହାର କାର୍ଯ୍ୟ ଚାଲିଲେ ଏହି ଅନ୍ତର୍ଜାତୀୟ ପ୍ରକଳ୍ପର ଲାଭ ଉଠାଇବାରେ ଓଡ଼ିଶାକୁ କେତେ ସଫଳତା ମିଳିବ, ଏହାକୁ ନେଇ କିଛି ବିଶେଷଜ୍ଞ ଚିନ୍ତା କରୁଛନ୍ତି । ଅନ୍ୟଦିଗରେ କୋଭିଡ୍‌ ଯୋଗୁଁ ଗବେଷଣା ଆଧାରିତ ପ୍ରକଳ୍ପ ବିଳମ୍ବିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି ।

ସ୍ଥାନୀୟ ଆଦିବାସୀଙ୍କ ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ହ୍ରାସ କରାଯାଇ ରାସାୟନିକ ସାର ବଦଳରେ ପାରମ୍ପରିକ ଜୈବିକ ଚାଷ, ଜାତୀୟ ସମନ୍ବିତ କୃଷି ମିସନ, ଜାତୀୟ ଖାଦ୍ୟ ସୁରକ୍ଷା ମିସନ, ଜାତୀୟ ଉଦ୍ୟାନ ମିସନ, ଜାତୀୟ କୃଷି ବିକାଶ ଯୋଜନା ଏଠାରେ କାର୍ଯ୍ୟକାରୀ ହେବ । ମଣିଷ-ପ୍ରାଣୀ ବିବାଦ ହ୍ରାସ ମଧ୍ୟ ଏହି ପ୍ରକଳ୍ପର ଅନ୍ୟତମ ଲକ୍ଷ୍ୟ । ଏହି ଉଦ୍ଦେଶ୍ୟ ପୂରଣ କରୁଥିବା ଶିମିଳିପାଳ ଜଙ୍ଗଲରେ ଥିବା ୧୨୧୮ଟି ଗାଁରେ ଏହା କାର୍ଯ୍ୟକାରୀ ହେବ। ଯେଉଁଥିରେ ୧ ଲକ୍ଷ ୭୦ ହଜାର ପରିବାରର ୭ ଲକ୍ଷ ୯୫ ହଜାର ଲୋକ ଉପକୃତ ହେବେ । ଅନ୍ତର୍ଜାତୀୟ ଅନୁଦାନରେ ଭାରତ ସରକାରଙ୍କ କୃଷି ଏବଂ ପରିବେଶ ବିଭାଗ ପକ୍ଷରୁ ରାଜ୍ୟରେ ମୃତ୍ତିକା ସଂରକ୍ଷଣ, ଇମେଜ ଏବଂ ରାଜ୍ୟ କୃଷି ବିଭାଗ ଏଥିପାଇଁ କାର୍ଯ୍ୟ କରୁଛି । ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ଗାଁ ଚିହ୍ନଟ ପାଇଁ ଜିଲ୍ଲାସ୍ତରୀୟ କମିଟିର ଗଠନ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏସଂକ୍ରାନ୍ତରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଖୁବ୍‌ଶୀଘ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇ ସ୍ଥାନ ଚିହ୍ନଟ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏହାକୁ ନେଇ କୌଣସି ନିଶ୍ଚିତତା ନଥିବା ବି ଅଭିଯୋଗ ହେଲାଣି ।

Leave a Reply

Your email address will not be published. Required fields are marked *