ସମସ୍ୟା ଘେରରେ ଆଦର୍ଶ ବିଦ୍ୟାଳୟ : ଶିକ୍ଷକ ଅଭାବ ଶିକ୍ଷାଦାନରେ ବାଧକ

ଆଠଗଡ : ଆଠଗଡ ବ୍ଲକ ପାଇଁ କୁଲାଇଲୋଠାରେ ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟଟି କାର୍ଯ୍ୟକ୍ଷମ ହେବାର ୭ ମାସ ବିତିଯାଇଥିଲେ ମଧ୍ୟ ଏହା ବିବିଧ ସମସ୍ୟା ମଧ୍ୟଦେଇ ଗତି କରୁଛି । ବିଶେଷ କରି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଠାରେ ଆବଶ୍ୟକୀୟ ବିଷୟଭିତ୍ତିକ ଶିକ୍ଷକଙ୍କର ଅଭାବ ଯୋଗୁଁ ଶିକ୍ଷାଦାନ ବେଶ୍‍ ବାଧାପ୍ରାପ୍ତ ହେଉଛି । ୨୦୧୭ ମସିହା ଡିସେମ୍ବର ୪ ତାରିଖରେ ଶିଳାନ୍ୟାସ ହୋଇଥିବା ଏହି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଟାଟା କମ୍ପାନୀ କରିଥିବାବେଳେ ଏହା ୨୦୨୦ ମସିହାରେ ଶେଷ ହୋଇଥିଲା । ତେବେ କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟଟିର ଉଦ୍‍ଘାଟନ ଓ ବିଦ୍ୟାର୍ଥୀଙ୍କ ନାମଲେଖା ପ୍ରକ୍ରିୟା ବିଳମ୍ବିତ ହୋଇଥିଲା । ୨୦୨୧ ନଭେମ୍ବର ୨୧ ତାରିଖରେ ଏହା ଉଦ୍‍ଘାଟିତ ହେବା ପରେ ଚଳିତ ଶିକ୍ଷାବର୍ଷରୁ ବିଦ୍ୟାର୍ଥୀଙ୍କ ନାମଲେଖା ଆରମ୍ଭ ହେବା ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ମୋଟ ୧୫୬ ଜଣ ବିଦ୍ୟାର୍ଥୀ ନାମ ଲେଖାଇଥିଲେ । ଏବେ ପୁଣି ଆଉ ୫୯ ଜଣ ଛାତ୍ରଛାତ୍ରୀଙ୍କର ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଦ୍ୟାଳୟଟିରେ ମାତ୍ର ୪ ଜଣ ଶିକ୍ଷକ ଯଥା ଇଂରାଜୀ, ଓଡିଆ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟର ଶିକ୍ଷକ ରହିଥିବାବେଳେ ସ୍ଥାୟୀ ଅଧ୍ୟକ୍ଷ ପଦବୀ, ଗଣିତ, ସଂସ୍କୃତ, ହିନ୍ଦୀ, କମ୍ପୁଟର ବିଜ୍ଞାନ, କଳା, ସଂଗୀତ ଓ କ୍ରୀଡା ଶିକ୍ଷକ ପଦବୀ ପୁରଣ ହୋଇନାହିଁ । ତା’ ଛଡା ଏଠାରେ କିରାଣୀ ତଥା ହିସାବ ରକ୍ଷକ ପଦବୀ ଓ ୩ଟି ପିଅନ ପଦବୀ ମଧ୍ୟ ପୁରଣ ହୋଇନାହିଁ । ଫଳରେ ସ୍କୁଲରେ ପାଠପଢା ବାଧାପ୍ରାପ୍ତ ହେବା ସହ ସ୍କୁଲ ପରିଚାଳନାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି ।

ଇଂରାଜୀ ଶିକ୍ଷୟିତ୍ରୀ ଉଷାରାଣୀ ସାହୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବା ସଙ୍ଗେ ସଙ୍ଗେ ଶିକ୍ଷାଦାନ ମଧ୍ୟ କରୁଛନ୍ତି । ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତି ପାଇଁ ରୋଷଶାଳା ନାହିଁ କିମ୍ବା କୌଣସି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଅବା ଅନ୍ୟ କାହିରିକୁ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତି ପାଇଁ ନିଯୁକ୍ତ କରାଯାଇନାହିଁ । ସ୍ଥାନୀୟ କିଛି ମହିଳାଙ୍କ ସହାୟତାରେ ଏବେ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବାବେଳେ ଏଥିପାଇଁ ଆବଶ୍ୟକୀୟ ଅର୍ଥ ମଧ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ । ଫଳରେ ମଧ୍ୟାନ୍ନ ଭୋଜନ ଶିକ୍ଷକ-ଶିକ୍ଷୟିତ୍ରୀ ନିଜ ବେତନରୁ ଖର୍ଚ୍ଚ କରି ପିଲାଙ୍କୁ ଦେଉଛନ୍ତି । ବିଦ୍ୟାଳୟ ଚତୁଃପାଶ୍ୱର୍ରେ ପାଚେରୀ ନଥିବାରୁ ଏହା ବୁଲା ଗାଇଗୋରୁଙ୍କର ଚାରଣ ଭୁଇଁ ପାଲଟିଛି । ବିଦ୍ୟାଳୟର ଖେଳ ପଡିଆ ମଧ୍ୟ ପ୍ରସ୍ତୁତ ହୋଇନାହିଁ ଏବଂ ମୁଖ୍ୟରାସ୍ତାରୁ ବିଦ୍ୟାଳୟକୁ ଯିବାପାଇଁ ଥିବା ପ୍ରାୟ ୫୦୦ ମିଟର ରାସ୍ତା ନିର୍ମାଣ ହୋଇନଥିବାରୁ ତାହା ବିପର୍ଯ୍ୟସ୍ତ ହୋଇ ଯାତାୟତ ଅନୁପଯୋଗୀ ହୋଇପଡିଛି । ୮ କିମି ଦୂର ଆଠଗଡ ସହରରୁ ଓ ତତୋଧିକ ଦୂରରୁ ଅନ୍ୟଗ୍ରାମାଞ୍ଚଳରୁ ପିଲାମାନେ ନିଜ ଅଭିଭାବକଙ୍କ ସହାୟତାରେ ଯିବା ଆସିବା କରୁଛନ୍ତି । ଉଦ୍‍ଘାଟନ ସମୟରେ ସ୍ଥନୀୟ ବିଧାୟକ ତଥା ମନ୍ତ୍ରୀ ପିଲାମାନଙ୍କୁ ନେବା ଆଣିବା କରିବା ଲାଗି ଏକାଧିକ ବସର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରିନାହାଁନ୍ତି । ସେହିପରି ବିଦ୍ୟାଳୟଟି ଅଳ୍ପଦିନ ହେଲା ନିର୍ମାଣ ଶେଷ ହୋଇଥିବାବେଳେ ଏହା ନିମ୍ନମାନର କାମ ଯୋଗୁଁ ଝରକାରେ ଲାଗିଥିବା କାଚ ଆପେ ଆପେ ବାହାରି ପଡି ଭାଙ୍ଗୁଛି । ପାରା ଓ ଅନ୍ୟ ପକ୍ଷୀ ଶ୍ରେଣୀକକ୍ଷରେ ପଶି ପରିବେଶ ନଷ୍ଠ କରୁଛନ୍ତି । ଏତେସବୁ ସମସ୍ୟା ମଧ୍ୟରେ ଏହି ବିଦ୍ୟାଳୟ ଗତି କରୁଥିବାରୁ ବହୁ ଅଭିଭାବକ କ୍ଷୋଭ ପ୍ରକାଶ କରିବା ସହିତ ସେମାନଙ୍କ ପିଲାଙ୍କୁ କାହିଁକି ସେଠାରେ ନାମ ଲେଖାଇଲେ ବୋଲି ଏବେ ପଶ୍ଚାତାପ କରୁଛନ୍ତି । ଏ ସଂପର୍କରେ ଆଠଗଡ ମଣ୍ଡଳ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କୁ ମତାମତ ପଚାରିବାରେ ସେ ଏହି ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟ ଆଦର୍ଶ ବିଦ୍ୟାଳୟ ଗୁଡିକ ପାଇଁ ଖୁବ୍‍ଶୀଘ୍ର ସବୁ ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତି କରାଯିବ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ କାର୍ଯ୍ୟମଧ୍ୟ ପର୍ଯ୍ୟାୟ କ୍ରମେ କରାଯାଉଛି ବୋଲି ମତପ୍ରକାଶ କରିଥିଲେ । ବିଦ୍ୟାଳୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି ସହିତ ପିଲାମାନଙ୍କ ଯିବାଆସିବା ପାଇଁ ଗାଡିର ବ୍ୟବସ୍ଥା କରିବା ଓ ଭିତ୍ତିଭୂମି ବିକାଶ ଦିଗରେ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *