ସାତଲହଡ଼ି ମଠ ପୁନରୁଦ୍ଧାର ଅବହେଳା ; ଅଧାରୁ କାମଛାଡ଼ି ପଳାଇଛି ପ୍ରତ୍ନତତ୍ତ୍ବ ବିଭାଗ

ପୁରୀ : ଓଡ଼ିଆ ଭାଗବତ ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାଧନାପୀଠ ସାତଲହଡ଼ି ମଠ ପୁନରୁଦ୍ଧାର କରିବାରେ ଅବହେଳା କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ଶିଳାନ୍ୟାସ କରାଯିବାର ୯ ବର୍ଷ ବିତିଗଲାଣି । ପୁନରୁଦ୍ଧାର କାର୍ଯ୍ୟ ଅଧାରେ ଛାଡ଼ି ଚାଲି ଯାଇଛନ୍ତି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଠିକାଦାର । ଦୁଇଟି ପର୍ଯ୍ୟାୟରେ ମିଳିଥିବା ୧ କୋଟି ୨୦ ଲକ୍ଷ ଟଙ୍କାର ସଠିକ ହିସାବ ମିଳୁନାହିଁ । ସାତଲହଡ଼ି ମଠ ପରିସରରେ ଆରମ୍ଭ ହୋଇଥିବା ୧୧ଟି ଭଜନ ମଣ୍ଡପ ନିର୍ମାଣ ଉପରେ ଏପର୍ଯ୍ୟନ୍ତ ଛାତ ପକାଯାଇ ନାହିଁ । ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ସିମେଣ୍ଟ ଖୁଣ୍ଟଗୁଡ଼ିକ ଭାଙ୍ଗିରୁଜି ଗଲାଣି । ମଠ ପରିସରରେ ପରିକ୍ରମା ମାର୍ଗ ନିର୍ମାଣ ଅଧାରେ ଅଟକିଛି । ମୁଖ୍ୟ ପ୍ରବେଶପଥ ନିର୍ମାଣ ଶେଷ ହୋଇନଥିବା ବେଳେ ଦୁଇପାର୍ଶ୍ବରେ ଥିବା ଖାଲି ଜାଗା ଆବର୍ଜନାମୟହୋ​‌ଇ ରହିଛି । ପୁରୁଣା ସମ୍ମିଳନୀ କକ୍ଷ ଭଙ୍ଗା ଯାଇଥିଲେ ମଧ୍ୟ ନୂତନ ସମ୍ମିଳନୀ କକ୍ଷ ଏପର୍ଯ୍ୟନ୍ତ ନିର୍ମାଣ କରାଯାଇ ନାହିଁ । ରାଜ୍ୟ ସଂସ୍କୃତି ବିଭାଗ ମଞ୍ଜୁର କରିଥିବା ଅନୁଦାନ ମଧ୍ୟରୁ ଏପର୍ଯ୍ୟନ୍ତ କେତେଟଙ୍କା ଖର୍ଚ୍ଚ କରାଯାଇଛି ଏବଂ କେତେ ଟଙ୍କା ବଳକା ରହିଛି ତା’ର ହିସାବ ଜିଲା ସଂସ୍କୃତି କାର୍ଯ୍ୟାଳୟରେ ନାହିଁ । ଏହି ଐତିହାସିକ ପୀଠର ପୁନରୁଦ୍ଧାର ପାଇଁ ରାଜ୍ୟ ଐତିହ୍ୟ କ୍ୟାବିନେଟ୍‌ରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ପୁରୀ ସମୁଦ୍ରକୂଳରେ ରହିଛି ସାତଲହଡ଼ି ମଠ । ଏହାର ପୁନରୁଦ୍ଧାର ପାଇଁ ୨୦୧୪ ଜାନୁଆରୀ ୪ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏଥିପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ପୁନରୁଦ୍ଧାର ଦାୟିତ୍ବ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗକୁ ଦିଆଯାଇଥିଲା । ଜଣେ ଠିକାଦାର ନିର୍ମାଣ ଦାୟିତ୍ବ ନେଇଥିଲେ। ତେବେ କାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ୨ ମାସ ପରେ ହଠାତ ବନ୍ଦ ହୋଇଯାଇଥିଲା । ଏହାପରେ ରାଜ୍ୟ ସଂସ୍କୃତି ବିଭାଗ ଆଉ ୭୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲା । ପୁନରୁଦ୍ଧାର ଯୋଜନାରେ ଥିବା ୭ଟି ପ୍ରକଳ୍ପ ମଧ୍ୟରୁ ୫ଟି ଏପର୍ଯ୍ୟନ୍ତ ଅଧାରେ ଅଟକି ରହିଛି । ନିର୍ମାଣ କାର୍ଯ୍ୟ ପାଇଁ ମଠ ଭିତରେ ରଖା ଯାଇଥିବା ଲୁହାଛଡ଼ କଳଙ୍କି ଲାଗି ନଷ୍ଟ ହେଉଛି । ସିମେଣ୍ଟ ବସ୍ତାଗୁଡ଼ିକ ପଥର ହୋଇଗଲାଣି । ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତିରକ୍ଷା କମିଟିର ସଭାପତି ଭାବେ ପୁରୀ ଜିଲାପାଳ ରହିଛନ୍ତି । ଜିଲା ସଂସ୍କୃତି ଅଧିକାରୀ ସମ୍ପାଦକ ଥିବା ଜଣାପଡ଼ିଛି । ଏହାଛଡ଼ା ପୁରୀର ଆଉ କିଛି ଜଣାଶୁଣା ବ୍ୟକ୍ତିଙ୍କୁ ଏହି କମିଟିରେ ସାମିଲ କରାଯାଇଛି । ଏହାସତ୍ତ୍ବେ ମଠର ସୁରକ୍ଷା ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ କମିଟି ପକ୍ଷରୁ ଏପର୍ଯ୍ୟନ୍ତ ସମୀକ୍ଷା କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *