୫ଟି ବିଦ୍ୟାଳୟର ଚାକଚକ୍ୟ ଭିତରେ ଶତାଧିକ ବର୍ଷର ପୁରୁଣା ବିଦ୍ୟାଳୟକୁ ହତାଦର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଞ୍ଚଳର ସବୁଠାରୁ ପୁରୁଣା ବିଦ୍ୟାଳୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ୧୯୦୦ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ସାମ୍ପ୍ରତିକ ପରିସ୍ଥିତିରେ ସରକାରୀ ସ୍କୁଲ୍ ଗୁଡିକରେ ପିଲl ସଂଖ୍ୟା କମି ଯାଉଛନ୍ତି । ହେଲେ ଏହି ବିଦ୍ୟାଳୟରେ ଆଜି ମଧ୍ୟ ୨୫୦ ପିଲା ପଢୁଛନ୍ତି । ପ୍ରତିବର୍ଷ ଏହି ବିଦ୍ୟାଳୟରୁ ଅନେକ ପିଲା ଛାତ୍ର ବୃତ୍ତି, ନବୋଦୟ ଆଦି ପାଇ ବ୍ଲକରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଆସିଛି ।

ଏହି ବିଦ୍ୟାଳୟଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହାର ୩ଟି ଶ୍ରେଣୀଗୃହ ଶତାଧିକ ବର୍ଷର ପୁରୁଣା ହୋଇଥିବାରୁ ଛାତ ଖସୁଥିବାରୁ ସମ୍ପୂର୍ଣ ଅଚଳାବସ୍ଥା ସୃଷ୍ଟି ହୋଇଛି । ଛାତ ଫାଟି ଲୁହା ଛଡ଼ ଗୁଡ଼ିକ ତାଳମୁହଁ ହୋଇ ରହିଛି । ଏକ ଅର୍ଦ୍ଧ ନିର୍ମିତ ନୂତନ ଶ୍ରେଣୀ ଗୃହରେ ଝରକା ନାହିଁ କି କବାଟ ନାହିଁ । କାନ୍ଥ ଛପେଇ ବି ହୋଇନାହିଁ। ବର୍ତ୍ତମାନ ଖରା ଦିନରେ ପାଠପଢ଼ା ଚାଲିଛି । କୋଠରି ମଧ୍ୟରେ ପଙ୍ଖାଟିଏ ଲଗାଇବାର ବ୍ୟବସ୍ଥା ବି କରିହେଉନି ଖୋଲା ଥିବା ଯୋଗୁ । ଏମିତି ପରିସ୍ଥିତିରେ ପିଲା ବସି ପାଠ ପଢିବେ କେମିତି ।

ଅନ୍ୟପକ୍ଷରେ ଏହି ବିଦ୍ୟାଳୟକୁ ଲାଗି ରହିଛି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ । ବର୍ତ୍ତମାନ ଏହାର ୫ ଟି ରୂପାନ୍ତରଣ କାର୍ଯ୍ୟ ଚାଲୁଛି । ଏହି ବିଦ୍ୟାଳୟର କାର୍ଯ୍ୟ ଦେଖିବା, ତଦାରଖ କରିବା ପାଇଁ ବରଗଡ଼ ଜିଲ୍ଲାପାଳ ଦୁଇ ଦୁଇ ଥର ପରିଦର୍ଶନରେ ଆସିଛନ୍ତି । ହେଲେ ଏହି ଛୋଟ ଛୋଟ ଶିଶୁଙ୍କ ଶତାଧିକ ବର୍ଷର ପୁରୁଣା ବିଦ୍ୟାଳୟକୁ ଟିକେ ଦୃଷ୍ଟି ପକେଇ ନାହାନ୍ତି । ଡିମିରି ଗଛ ତଳେ ଅଙ୍ଗନୱାଡି ପାଠ ପଢାକୁ ନେଇ ଖବର ପ୍ରକାଶିତ ହେବା ପରେ ତତ୍କାଳୀନ ଜିଲ୍ଲାପାଳ ଟୋପରେ ପହଞ୍ଚିଥିଲେ । ସମସ୍ୟାର ସମାଧାନ କରିବା ପାଇଁ ସେ ପ୍ରାଥମିକ ବିଦ୍ୟାଳୟରେ ଅଙ୍ଗନୱାଡି କେନ୍ଦ୍ର ହେବ ବୋଲି କହି ଏହି କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ଏଥିପାଇଁ କୌଣସି ସ୍ଥାନ କିମ୍ବା ଘର ପାଇଁ କୌଣସି ଆର୍ଥିକ ରାଶିର ବ୍ୟବସ୍ଥା କରିନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *